କଟକ/ମାହାଙ୍ଗା: ମାହାଙ୍ଗା ଥାନା ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିବା ରଶ୍ମିତାଙ୍କ ସ୍ବାମୀ ଶଙ୍କର ଦାସଙ୍କୁ ସ୍ତ୍ରୀଙ୍କ ଶୁଦ୍ଧିକ୍ରିୟା ପାଇଁ ୧୪ ଦିନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଆଜି ଶଙ୍କର ଆସିବା ପରେ ଏସ୍‌ସିବିରେ ତାଙ୍କ ପତ୍ନୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ସେଠାରେ ଶଙ୍କର ମାହାଙ୍ଗା ଥାନା ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହିତ ତାଙ୍କୁ ମିଛ ଚୋରି କେସରେ ଫସାଇ ଥାନାକୁ ଆଣି ପ୍ରବଳ ମାଡ ମାରିଥିବା ଅଭିଯୋଗ କରିଛି। ତାଙ୍କ ସ୍ତ୍ରୀ ରଶ୍ମିତା(୩୪) ତାଙ୍କୁ ଦେଖାକରି ଔଷଧ ଦେବାକୁ ଯାଇଥିବା ବେଳେ ପୁଲିସ କୌଣସି କଥା ନଶୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଥାନାରୁ ବାହାର କରି ଦେଇଥିଲା। ଏଭଳି ସ୍ଥିତି‌ରେ ତାଙ୍କ ପତ୍ନୀ ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ ବୋଲି ଶଙ୍କର କହିଛି। କରୋନା ସମୟରେ ସେ କରୁଥିବା ବ୍ୟବସାୟ ପାଇଁ ପୁଲିସ ତାଙ୍କୁ ଟଙ୍କା ମାଗିବାରୁ ସେ ମନା କରିଥିଲେ। ତେଣୁ ମାହାଙ୍ଗା ଥାନା ପୁଲିସ୍ ତାଙ୍କ ଉପରେ ରାଗ ରଖି ମିଛ କେସରେ ଫସେଇ ଜେଲକୁ ପଠାଇବ ବୋଲି କହିଥିଲା। ପୁଣି ଜେଲରୁ ଫେରିଲେ ଏନ୍‌କାଉଣ୍ଟର କରିଦେବ ବୋଲି ପୁଲିସ ଧମକ ଦେଇଥିବା ଶଙ୍କର ଅଭିଯୋଗ କରିଛି।

Advertisment

ଅନ୍ୟପଟେ ଆଜି ମାହାଙ୍ଗାରେ ମୃତଦେହ ପହଞ୍ଚିବା ପରେ ଥାନା ନିକଟରେ ରଖି ଦୁଇ ପିଲା, ପରିବାରବର୍ଗ ଓ ଅଞ୍ଚଳବାସୀ ଦାୟୀ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ, ମହିଳା ଏସ୍‌ଆଇ ଇପ୍‌ସିତା ପ୍ରିୟଦର୍ଶିନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଆନ୍ଦୋଳନକାରୀ। ପୁଲିସ ପକ୍ଷରୁ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସାଲେପୁର, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏପଟେ ଅତିରିକ୍ତ ଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକ, ତହସିଲଦାର ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ, ସାଲେପୁର ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଚଳାଇଛନ୍ତି। ସକାଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଓ ତହସିଲଦାର ମୃତକଙ୍କ ଖର୍ତ୍ତାଙ୍ଗସ୍ଥିତ ଘରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ଏଭଳି ସ୍ଥିତିରେ ସପ୍ତାହେ ହେଲା ଅତିରିକ୍ତ ଏସ୍‌ପି ଘଟଣାର ତଦନ୍ତ କରୁଥିଲେ ବି ଆଜି ପର୍ଯ୍ୟନ୍ତ ତଦନ୍ତ ସରୁନଥିବା ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ମୃତ ରଶ୍ମିତାଙ୍କ ମୋବାଇଲ ଫୋନ୍‌କୁ ପୁଲିସ ଜବତ କରି ତଦନ୍ତ କରୁଥିବାବେଳେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି। କିନ୍ତୁ ଯେଉଁ ସ୍ଥାନରେ ରଶ୍ମିତା ଦେହରେ ନିଆଁ ଲଗାଇଥିଲେ ସେହି ସ୍ଥାନର କୌଣସି ସିସିଟିଭି ନଥିବା ଜଣାପଡ଼ିଛି। ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଦୁଇ ଜଣ ପ୍ରତିନିଧି ଧାରଣାରତ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ସେମାନେ ଧାରଣାରୁ ଉଠି ଶବ ସତ୍କାର ପାଇଁ ଯାଇଥିଲେ। ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ।