ଦ୍ରୌପଦୀ ମୁର୍ମୁ: ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମର ବିରଂଚି ନାରାୟଣ ଟୁଡୁ ଓ ମାତା ସିନଗୋ ଟୁଡୁଙ୍କ ଔରସରୁ ୨୦ ଜୁନ୍‌ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଓ ପରେ ଭୁବନେଶ୍ବରରେ ରହି ୧୯୭୪ ମସିହାରେ ମାଟ୍ରିକ୍ ପାସ୍‌ କରିଥିଲେ। ଏହାପରେ ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଡିଗ୍ରି ହାସଲ ପରେ ୧୯୭୯ରୁ ୧୯୮୩ ମସିହା ପ୍ରର୍ଯ୍ୟନ୍ତ ସଚିବାଳୟରେ ଜଳସେଚନ ଓ ଶକ୍ତି ବିଭାଗର କିରାଣି ଭାବେ କାର୍ଯ୍ୟ କରିଥିଲେ।

ତେବେ ସ୍ବାମୀ ବ୍ୟାଙ୍କରେ ଚାକିରି କରୁଥିବାରୁ ସେ ରାଇରଙ୍ଗପୁରକୁ ଫେରିଆସିଥିଲେ ଓ ଏଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୧୯୯୪ରୁ ୧୯୯୭ ପ୍ରର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ। ପରେ ଶିକ୍ଷକତା ଛାଡ଼ି ବିଜେପିରେ ସାମିଲ ହୋଇ ରାଜନୀତିରେ ପାଦ ଦେଇଥିଲେ। ୧୯୯୭ ମସିହାରେ ରାଇରଙ୍ଗପୁର ଏନ୍‌ଏସିର ୨ ନଂ ୱାର୍ଡରୁ କାଉନସିଲର୍‌ ହୋଇ ଉପାଧ୍ୟକ୍ଷା ହୋଇଥିଲେ। ୨୦୦୦ ମସିହାରେ ବିଜେପି ଟିକେଟ୍‌ରେ ରାଇରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହେବାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୪ ନିର୍ବାଚନରେ ଦ୍ବିତୀୟଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୫ ମସିହାରେ ଝାଡ଼ଖଣ୍ତର ରାଜ୍ୟପାଳ ନିଯୁକ୍ତ ହୋଇ ୧୨ ଜୁଲାଇ ୨୦୨୧ ମସିହା ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୨୧ ଜୁନ୍‌ ୨୦୨୨ ସନ୍ଧ୍ୟାରେ ସେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ‌ଘୋଷିତ ହୋଇଥିଲେ।

ସ୍ବାମୀ ଓ ପୁଅଙ୍କ ସ୍ମୃତିରେ ସ୍କୁଲ ସ୍ଥାପନ
ନିଜ ଜୀବନ କାଳରେ ବହୁ ବାଧାବିଘ୍ନକୁ ସାମ୍‌ନା କରିଛନ୍ତି ଦ୍ରୌପଦୀ। ପ୍ରଥମେ ବଡ଼ ଝିଅର ମୃତ୍ୟୁ ଘଟିବା ପରେ ଦ୍ରୌପଦୀଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କର ଦେହାନ୍ତ ହୋଇ ଯାଇଥିଲା। ଏହାର କିଛି ବର୍ଷ ପରେ ବଡ଼ପୁଅର ମୃତ୍ୟୁ ଓ ପରେ ଏକ ଦୁର୍ଘଟଣାରେ ସାନପୁଅର ମୃତ୍ୟୁ ଘଟିଥିଲା। ଏବେ କେବଳ ତାଙ୍କ ସାନଝିଅ ଇତିଶ୍ରୀ ମୁର୍ମୁ ଅଛନ୍ତି। ତେବେ ସ୍ବାମୀ ଓ ସନ୍ତାନଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହେବା ପରିବର୍ତ୍ତେ ଆଧ୍ୟାତ୍ମିକ ମାର୍ଗରେ ପାଦ ରଖିଥିଲେ ଦ୍ରୌପଦୀ। ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ ଅଧିକ ସମୟ ବିତାଇଥିଲେ। ଦିବଂଗତ ସ୍ବାମୀ ଓ ୨ ପୁଅଙ୍କ ସ୍ମୃତିରେ ଗରିବ ଛାତ୍ରଛାତ୍ରୀଙ୍କ ନିମନ୍ତେ କୁସୁମୀ ବ୍ଲକ୍‌ ପାହାଡ଼ପୁରଠାରେ ଏକ ବିଦ୍ୟାଳୟ ଓ ଉପରବେଡ଼ାଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନିର୍ମାଣ କରିଛନ୍ତି ଦ୍ରୌପଦୀ।

ସମ୍ବନ୍ଧିତ ଖବର