ରାଷ୍ଟ୍ରୀୟ ଏକତା ଜନ ଜାଗରଣ ଅଭିଯାନ : କ‌ଶ୍ମୀରବାସୀଙ୍କ ମନରେ ବିଶ୍ବାସ ସୃଷ୍ଟି କର – ଶେଖାୱତ୍

ଭୁବନେଶ୍ବର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଓ ୩୫(ଏ)ର ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ କରିଥିବା ଐତିହାସିକ ଭୁଲକୁ ମୋଦୀ ସରକାର ଠିକ୍ କରିଛନ୍ତି। ଏହି ଦୁଇ ଧାରାର ଉଚ୍ଛେଦ ଫଳରେ ଦେଶର ଅନ୍ୟ ରାଜ୍ୟ ଭଳି ଜମ୍ମୁ ଓ କଶ୍ମୀର ସରକାରଙ୍କ ସମସ୍ତ ଯୋଜନାର ଲାଭ ଓ ସୁବିଧା ନେଇପାରିବେ। ମାତ୍ର କିଛି କୁଚକ୍ରୀ ଏହି ଦୁଇ ଧାରାର ଉଚ୍ଛେଦକୁ ନେଇ ଅପପ୍ରଚାର କରୁଛନ୍ତି। ଏହି ଧାରାର ଉଚ୍ଛେଦ ଠିକ୍‌ ଢଙ୍ଗରେ କରାଯାଇ ନାହିଁ ବୋଲି ଅଭିଯୋଗ କରୁଛନ୍ତି। ହେଲେ ଧାରା ୩୭୦ ଓ ୩୫(ଏ)କୁ ଯେଉଁଭଳି ଲାଗୁ କରାଯାଇଥିଲା, ଠିକ୍ ସମାନ ଢଙ୍ଗରେ ଏହାକୁ ଉଚ୍ଛେଦ କରାଯାଇଛି। କଶ୍ମୀରବାସୀଙ୍କ ମନରେ ବିଶ୍ବାସ ସୃଷ୍ଟି କରିବା ୧୩୦ କୋଟି ଭାରତୀୟଙ୍କ କର୍ତବ୍ୟ ବୋଲି କହିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍।

ଆଜି ହୋଟେଲ ନ୍ୟୁ ମାରିୟନ୍‌ରେ ରାଜ୍ୟ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଏକତା ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧାରା ୩୭୦ ଓ ୩୫(ଏ)ର ଉଚ୍ଛେଦ ପରେ ଏହାର ଉପଲବ୍ଧି ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଦେଶର ୩୫ଟି ପ୍ରମୁଖ ସ୍ଥାନ ଓ ୩୭୦ଟି ଅନ୍ୟ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରାଜଧାନୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶେଖାୱତ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କଶ୍ମୀରରେ ବିକାଶ ପାଇଁ ୫୦ହଜାର ନୂଆ ରୋଜଗାର ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। କଶ୍ମୀରର ପ୍ରତ୍ୟେକ ଗାଁରେ ରହୁଥିବା ଗରିବ ବ୍ୟକ୍ତି ପାଖରେ ମୋଦୀ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ୍‌ କମ୍‌ ଦିନରେ କଶ୍ମୀରବାସୀଙ୍କ ଘରେ ଘରେ ଶୌଚାଳୟ, ଗ୍ୟାସ୍ ସଂଯୋଗ, ବିଜୁଳି, ସ୍ବାସ୍ଥ୍ୟସେବା ଓ ରୋଜଗାର ପହଞ୍ଚିବ। ମାତ୍ର ଏହି ଦୁଇ ଧାରାର ଉଚ୍ଛେଦ ପରେ କଂଗ୍ରେସର ଅଧିକାଂଶ ନେତା କିଭଳି ମନ୍ତବ୍ୟ ରଖିବେ, ସେଥିପାଇଁ ଦ୍ବନ୍ଦ୍ବରେ ରହିଛନ୍ତି।

ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଲାଗୁ ହେବା ଦ୍ବାରା ଅନେକ ଲୋକଙ୍କୁ ବିଧାନସଭାରେ ଭୋଟ ଦେବାର ଅଧିକାର ମିଳୁ ନ ଥିଲା। ଶିକ୍ଷା ଅଧିକାର ଆଇନ, ସୂଚନା ଅଧିକାର ଆଇନ, ବାଲ୍ୟ ବିବାହ ଆଇନ ଭଳି ଅନେକ ଆଇନ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। କେନ୍ଦ୍ର ସରକାର ଦେଶବ୍ୟାପୀ ଜଣେ ଲୋକ ପିଛା ୩୬୫୦ଟଙ୍କା ଖର୍ଚ କରୁଥିବା ବେଳେ କଶ୍ମୀରବାସୀଙ୍କ ପାଇଁ ମୁଣ୍ଡ ପିଛା ୧୨ହଜାର ୬୫୦ଟଙ୍କା ଖର୍ଚ କରୁଥିଲେ। ମାତ୍ର ଏହାର ହିସାବ ମାଗିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିକାର ନ ଥିଲା। କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ରହିବା ପାଇଁ ପାକିସ୍ତାନ ସହ ୪ଥର ଯୁଦ୍ଧ ହୋଇଛି ଓ ଆତଙ୍କବାଦୀ ଆକ୍ରମଣରେ ୪୨ହଜାର ଲୋକ ସହିଦ ହୋଇଛନ୍ତି। ତେଣୁ ଏହି ଦୁଇ ଧାରାର ଉଚ୍ଛେଦ ପରେ କଶ୍ମୀରବାସୀ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବୋଲି ଶ୍ରୀ ଶେଖାୱତ୍ କହିଥିଲେ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଲେ, ଧାରା ୩୭୦ ଉଚ୍ଛେଦ ପରେ ଦେଶରେ ‘ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ’କୁ ସମର୍ଥନ କରୁଥିବା ଲୋକଙ୍କୁ ବହୁତ କଷ୍ଟ ଦେଇଛି। ଯେଉଁମାନେ ଦେଶର ଜନସାଧାରଣଙ୍କ ଟଙ୍କାରେ ଜେଏନ୍‌ୟୁରେ ପାଠ ପଢ଼ୁଥିଲେ ଓ ଦେଶ ବିରୋଧୀ ସ୍ଲୋଗାନ୍ ଦେଉଥିଲେ, ସେମାନଙ୍କ ପୃଷ୍ଠପୋଷକମାନେ ଏବେ ବିଚେଳିତ ହୋଇ ପଡ଼ିଛନ୍ତି। କଶ୍ମୀରରୁ ପଳାୟନ କରିଥିବା ପଣ୍ଡିତମାନଙ୍କ ପାଇଁ ତଥାକଥିତ ମାନବାଧିକାର କର୍ମୀମାନେ କେବେ ସ୍ବର ଉଠାଇ ନ ଥିବା ବେଳେ ପଥର ମରାଳି ଓ ଆତଙ୍କବାଦୀଙ୍କ ମାନବାଧିକାର କଥା କହୁଛନ୍ତି। ପୂର୍ବରୁ ହୋଇଥିବା ଐତିହାସିକ ଭୁଲର ସଂଶୋଧନ କରାଯିବା ସହ ଆଗାମୀ ଦିନରେ ଦାଉଦ୍‌ର ବିଚାର ସହିତ କରାଚି ଓ ଲାହୋରରେ ତ୍ରିରଙ୍ଗା ଉଡ଼ାଇବ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଲେ, ଧାରା ୩୭୦ର ଉଚ୍ଛେଦ ପରେ ବିଚ୍ଛିନ୍ନତାବାଦରେ ଭରି ରହିଥିବା କଶ୍ମୀର ଆଜି ଏକତା ଓ ଭାଇଚାରାର ଉଦାହରଣ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଏହି ଧାରାକୁ ଉଚ୍ଛେଦ କରି ଏକ ସ୍ବର୍ଣ୍ଣିମ ଇତିହାସ ରଚନା କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଲେ, ଧ‌ାରା ୩୭୦ ଉଚ୍ଛେଦ ପରେ ପୃଥିବୀର ଗୋଟିଏ/ଦୁଇଟି ଦେଶ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ସମସ୍ତ ରାଷ୍ଟ୍ର ଭାରତକୁ ସମର୍ଥନ କରୁଛନ୍ତି। ମୋଦୀସରକାର ବହୁତ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଛନ୍ତି। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ମଧ୍ୟ ଏହି ଅବସରରେ ନିଜ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପରିଚାଳନା କରିଥିବା ବେଳେ ସଂପାଦକ ଯତୀନ ମହାନ୍ତି ଧନ୍ୟବାଦ ଦେଇଥିଲେ। ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସମେତ ରାଜ୍ୟ ପଦାଧିକାରୀ, ବୁଦ୍ଧିଜୀବୀ ଓ ବ୍ୟକ୍ତବିଶେଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର