ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୧୫ ହଜାର ୭୭୬ ମାମଲାର ଫଇସଲା

ହାଇକୋର୍ଟରେ ଲୋକ ଅଦାଲତ: ୧୫୪ ମାମଲା ଫଇସଲା

କଟକ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୫ ହଜାର ୭୭୬ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫଇସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୭୧ କୋଟି ୪୨ ଲକ୍ଷ ୨୭ ହଜାର ୨୧୨ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି। ଫୌଜଦାରୀ, ଦେଵାନି, ଏନଆଇ ଆକ୍ଟର ଧାରା ୧୩୮ ଚେକ୍‌ ବାଉନ୍ସ ମାମଲା, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ପାରିବାରିକ ଓ ବୈବାହିକ ମାମଲା, ରାଜସ୍ବ ମାମଲା, ଶ୍ରମିକ ସ˚ପର୍କିତ ମାମଲା, ଚାକିରି ଓ ବକେୟା ପ୍ରାପ୍ୟ ସ˚କ୍ରାନ୍ତ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ ଦେୟ ସ˚ପର୍କିତ ବିବାଦ, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲା, ରେଳବାଇ ଆଇନ, ବେଲର ମିସ୍ କେସ୍, ମୋଟର ଭେଇକିଲ ଆକ୍ଟ ସଂପର୍କିତ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋସ ସହମତି ଆଧାରରେ ଫଇସଲା କରାଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୭୫ ହଜାର ୪୯୨ଟି ମାମଲା ମଧୢରୁ ୪ ହଜାର ୧୦୪ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା କରାଯାଇଥିଲା। ସେହିଭଳି ୫୦ ହଜାର ୬୧୫ଟି ବିଚାରାଧୀନ ମାମଲା ମଧୢରୁ ୧୧ ହଜାର ୬୭୨ଟି ମାମଲା ଆପୋସ ବୁଝାମଣାରେ ଫଇସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୫୪ଟି ମାମଲାର ଫଇସଲା କରାଯାଇ ୭ କୋଟି ୮୫ ଲକ୍ଷ ୬୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନରେ ରାଜ୍ୟ ଆଇନସେବା ପ୍ରାଧିକରଣର ସହକାରୀ ସଚିବ ଜ୍ୟୋତି ରଂଜନ ଦାଶ ଓ ସ˚ସ୍ଥା ଅଧିକାରୀ କମଳାକାନ୍ତ କର ପ୍ରମୁଖ ସହଯୋଗ କରିଥିଲେ।

ହାଇକୋର୍ଟରେ ଲୋକ ଅଦାଲତ: ୧୫୪ ମାମଲା ଫଇସଲା
କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌.ଜାଭେରୀ, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧୢକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ମାର୍ଗଦର୍ଶନରେ ଏବଂ ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ଲୋକ ଅଦାଲତରେ ୧୫୪ଟି ମାମଲାର ଆପୋସ ବୁଝାମଣାରେ ଫଇସଲା କରାଯାଇଛି। ୮୦୭ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ କେ.ଆର.ମହାପାତ୍ର, ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ଓ ଜଷ୍ଟିସ ବି.ପି.ରାଉତରାୟ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ମାମଲାଗୁଡିକର ଫଇସଲା କରିଥିଲେ। ଲୋକ ଅଦାଲତରେ ବ୍ୟାଙ୍କ ମାମଲା, ଏନଆଇ ଆକ୍ଟର ଧାରା ୧୩୮, ଭୂମି ଅଧିଗ୍ରହଣ ଓ ବୀମା କ୍ଷତିପୂରଣ, ଶିକ୍ଷା, କ୍ରିମିନାଲ କମ୍ପାଉ‌ଣ୍ଡେବେଲ୍ ମାମଲାର ଶୁଣାଣି କରାଯାଇ ଫଇସଲା କରାଯାଇଥିଲା। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧୢରୁ ନ୍ୟୁ ଇଣ୍ତିଆ ଆସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ ଘରୋଇ ବୀମା କମ୍ପାନି ଅ˚ଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୭ କୋଟି ୮୫ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ ପାଇଁ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର