ଭୁବନେଶ୍ବର : ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭି‌ଯାନ(ରୁଷା)ରେ ଓଡ଼ିଶାର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନକୁ ମିଳିଥିବା ଅର୍ଥର ଯାଞ୍ଚ ହେବ। କେଉଁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଲାଗି କେତେ ଟଙ୍କା ପ୍ରଦାନ କରାଯାଇଛି, କେତେ ଖର୍ଚ୍ଚ ହୋଇଛି ଓ କେତେ ବଳକା ରହିଛି, ତାହାର ବି ଅନୁଧ୍ୟାନ କରାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୩୦ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୨ରୁ ୪ଜଣ ଯାଏ ସଦସ୍ୟ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ସମେତ ଉଚ୍ଚଶିକ୍ଷା ନିର୍ଦେଶାଳୟ ଓ ବିଭିନ୍ନ ଆଞ୍ଚଳିକ ଶିକ୍ଷା ନି‌ର୍ଦେଶାଳୟର ଅଧିକାରୀଙ୍କୁ ନେଇ ଟିମ୍‌ଗୁଡ଼ିକ ଗଠନ କରାଯାଇଛି। ସେମାନେ ରୁଷାରୁ ମିଳିଥିବା ଅନୁଦାନ ଖର୍ଚ୍ଚର ଯାଞ୍ଚ କରିବେ। ସେମାନଙ୍କ ରି‌ପୋର୍ଟ ଆଧାରରେ ହିଁ ପରବର୍ତୀ ପର୍ଯ୍ୟାୟରେ ରୁଷା ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅର୍ଥ ମିଳିବ ବୋଲି ଗତ ୧୫ ତାରିଖ‌ରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ରଙ୍କ ଅଧ୍ୟକ୍ଷତା‌ରେ ବସିଥିବା ସମୀକ୍ଷା ବୈଠକରେ ସ୍ଥିର ହୋଇଛି।

Advertisment

ରୁଷା ଗାଇଡ୍‌ଲାଇନ୍‌ ଅନୁଯାୟୀ, ଶେଷ ପର୍ଯ୍ୟାୟରେ ଶିକ୍ଷାନୁଷ୍ଠାନକୁ ରୁଷାରୁ ଯେଉଁ ଅର୍ଥ ମିଳିଥିବ, ତାହାର ଅନୁଧ୍ୟାନ କରାଯାଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରାଯିବ। ଯେ ପର୍ଯ୍ୟନ୍ତ ରିପୋର୍ଟ ଦିଆ ନ ଯାଇଛି, ସେ ପର୍ଯ୍ୟନ୍ତ ପରବର୍ତୀ ପର୍ଯ୍ୟାୟରେ ମିଳିବାକୁ ଥିବା ଅର୍ଥ ଦିଆଯିବ ନାହିଁ। ତେଣୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ୩୦ଟି ଡିଗ୍ରି କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଯେଉଁ ଟିମ୍‌ ଗସ୍ତ କରିବେ, ସେମାନେ ୭ଟି ବିଷୟ ଉପରେ ଗୁରୁତ୍ବ ଦେବେ। ରୁଷା ଅର୍ଥରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ପ୍ରଗତି, ଆର୍ଥିକ ପ୍ରଗତି, କେଉଁ ସବୁ ସାମଗ୍ରୀ କେତେ ଟଙ୍କାରେ କିଣାଯାଇଛି, ରୁଷା ଅର୍ଥରେ ଚାଲିଥିବା‌ ପ୍ରକଳ୍ପଗୁଡ଼ିକ କେବେ ଶେଷ ହେବ, ପିଇଏମ୍‌ଏସ୍‌ର ସ୍ଥିତି, ପିଡବ୍ଲୁଡି/ଆର୍‌ଡି ପକ୍ଷରୁ ୟୁସି ଦାଖଲ ହୋଇଛି କି ନାହିଁ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌(ପିଏମ୍‌ୟୁ) ଗଠନ ଆଦି ପ୍ରମୁଖ ବିଷୟ ଉପରେ ଅନୁଧ୍ୟାନ କରିବେ। ନଭେମ୍ବର ୧୫ ସୁଦ୍ଧା ଟିମ୍‌ଗୁଡ଼ିକ ଭିତ୍ତିଭୂମି ଯାଞ୍ଚ କରି ଉଚ୍ଚଶିକ୍ଷା ସଚିବଙ୍କ ନିକଟ‌‌‌‌ରେ ରିପୋର୍ଟ ଦାଖଲ କରିବେ। ଯାଞ୍ଚ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ସମସ୍ତ ପ୍ରକାର ସହଯୋଗ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ସମେତ ସମସ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି।