ଭୁବନେଶ୍ବର : ଅର୍ଥ ନାହିଁ; ତେଣୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଉନ୍ନତି ହୋଇପାରୁନି। ଶିକ୍ଷକ ଓ କର୍ମଚାରୀ ପଦବି ଖାଲି ପଡ଼ିଥିବାରୁ ଶିକ୍ଷାଦାନ ଠିକ୍ ଭାବେ ହୋଇପାରୁନି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଯେଉଁ ପରିମାଣର ଅର୍ଥ ମିଳୁଛି ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ସେଭଳି ଅର୍ଥ ମିଳୁନି। ତେଣୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାରେ ଆମେ ସ୍ଥାନ ପାଇ ପାରୁନୁ। ନହେଲେ ଦେଶର ଶ୍ରେଷ୍ଠ ଶହେ ଭିତରେ ଆମେ ରହିଥାନ୍ତୁ। ପ୍ରତିବର୍ଷ ମନ୍ତ୍ରଣାଳୟ ଦ୍ବାରା ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇବା ପରେ ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନେ ଏଭଳି ସଫେଇ ଦେଉଛନ୍ତି। ତେବେ ଯେତିକି ଅର୍ଥ ମିଳୁଛି ତାହାକୁ ବିଶ୍ବବିଦ୍ୟାଳୟଗୁଡ଼ିକ କିଭଳି ଖର୍ଚ୍ଚ କରିପାରୁନାହାନ୍ତି ତାହା ଏବେ ପଦାକୁ ଆସିଛି।
ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଗଣାଯାଉଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା)ରୁ ମିଳିଥିବା ଅର୍ଥ କିଭଳି ଖର୍ଚ୍ଚ କରା ନ ଯାଇ ପଡ଼ିରହିଛି। ରମାଦେବୀ ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଥିବା ଅର୍ଥ ବି ଖର୍ଚ୍ଚ ହୋଇପାରି ନାହିଁ। ଏପରିକି କେନ୍ଦ୍ର ସଂସ୍ଥା ‘ସେଣ୍ଟ୍ରାଲ ପବ୍ଲିକ ୱାର୍କସ୍ ଡିପାର୍ଟମେଣ୍ଟ(ସିପିଡବ୍ଲ୍ୟୁଡି)କୁ ଦିଆଯାଇଥିବା କାମ ସବୁ ଅଧପନ୍ତରିଆ ହୋଇ ପଡ଼ିରହିଛି। କେବେ ସରିବ? ସେନେଇ କାହା ପାଖରେ ଉତ୍ତର ନାହିଁ। ସିପିଡବ୍ଲ୍ୟୁଡି ହାତରେ ବିଶ୍ବବିଦ୍ୟାଳୟ ଭବିଷ୍ୟତ ଟେକିଦେଇ କର୍ତୃପକ୍ଷ ଚୁପ୍ ବସିଛନ୍ତି। ସେପଟେ କେହି କିଛି କହୁ ନଥିବାରୁ ସିପିଡବ୍ଲ୍ୟୁଡିର ମନମାନି ଚାଲିଛି। ନିଜ ମର୍ଜିରେ କାମ କରୁଛି।
ନାକ୍ ‘ଏ+’ ଗ୍ରେଡ୍ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ରୁଷା ଗ୍ରାଣ୍ଟରୁ ଉତ୍କଳକୁ ପ୍ରଚୁର ଅର୍ଥ ମିଳିଛି। ଆହୁରି ଶହେ କୋଟି ଟଙ୍କା ମିଳିବ। ତେବେ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ଉଚ୍ଚଶିକ୍ଷା ବିଭାଗର ଏକ ପ୍ରତିନିଧି ଦଳ ରୁଷା ଗ୍ରାଣ୍ଟ କିଭଳି ଖର୍ଚ୍ଚ ହୋଇଛି ତାହାର ସ୍ଥିତି ଯାଞ୍ଚ କରିବା ପରେ ଏଠାରେ ଆଶ୍ଚର୍ଯ୍ୟଜନକ ଘଟଣା ପଦାକୁ ଆସିଛି। କୋଟି କୋଟି ଟଙ୍କାରେ କିଣାଯାଇଥିବା ବହୁ ସାମଗ୍ରୀ ଲଗାଯାଇ ନାହିଁ। କିଛି ସାମଗ୍ରୀ ଅବ୍ୟବହୃ୍ତ ହୋଇ ପଡ଼ିରହିଛି। ଲାବରେଟୋରି ପାଇଁ ଆସିଥିବା ସାମଗ୍ରୀ ଏବେ ନଷ୍ଟ ହେବାକୁ ବସିଲାଣି। ସେହିପରି ସିପିଡବ୍ଲ୍ୟୁଡି ଦ୍ବାରା କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ବିଲ୍ଡିଂ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି।
ଭିତ୍ତିଭୂମି ବିକାଶ ଲାଗି ମିଳିଥିବା ୫ କୋଟି ଟଙ୍କା କିଭଳି ବିନିଯୋଗ ହେବ ସେନେଇ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି।
ସେହିପରି ‘ଇକ୍ୟୁଇଟି ଇନିସିଏଟିଭ୍’ ଗ୍ରାଣ୍ଟରେ ମିଳିଥିବା ଅର୍ଥ ବି ବିନିଯୋଗ ହୋଇପାରିନି। ରୁଷା ପାଣ୍ଠି ଖର୍ଚ୍ଚ ଧିମା ହୋଇଥିବାରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅସନ୍ତୋଷ ପ୍ରକାଶ କରିଛି। ଏପରିକି ଜଣେ ଦୁଇ ଜଣ ପ୍ରଫେସରଙ୍କ ହାତରେ ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟକୁ ଟେକି ଦିଆଯାଇଛି। ରୁଷା ଟଙ୍କା କିଭଳି ଖର୍ଚ୍ଚ ହେବ ସେମାନେ ହିଁ ବୁଝୁଛନ୍ତି। ସେମାନଙ୍କ ଲାପଟପ୍ରୁ ବାହାରିପାରୁନି ବ୍ଲୁ ପ୍ରିଣ୍ଟ। ଏବେ ପ୍ରଶ୍ନ ଉଠୁଛି ଯଦି ପୂର୍ବରୁ ମିଳିଥିବା ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି; ଆଗକୁ ମିଳିବାକୁ ଥିବା ଶହେ କୋଟି ଟଙ୍କା କିଭଳି ଖର୍ଚ୍ଚ ହେବ?
ଏ ସଂପର୍କରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସପ୍ତାହକ ଭିତରେ ବ୍ଲୁ ପ୍ରିଣ୍ଟ କରାଯିବ। ଅର୍ଥ କିଭଳି ଖର୍ଚ୍ଚ କରାଯିବ ସେନେଇ ସିଣ୍ଡିକେଟ୍ରେ ଆଲୋଚନା ହେବ। ଯେଉଁ ସାମଗ୍ରୀ କିଣାଯାଇଛି ସେଗୁଡ଼ିକୁ ଲଗାଯିବା ଦିଗରେ ପଦକ୍ଷେପ ନିଆଯାଉଛି। ସପ୍ତାହକ ମଧ୍ୟରେ ସାମଗ୍ରୀଗୁଡ଼ିକ ଲାଗିଯିବ। ରୁଷା ଗ୍ରାଣ୍ଟରୁ ମିଳିବାକୁ ଥିବା ଶହେ କୋଟି ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେବ ତାହାର ତଥ୍ୟ ଦିଆସରିଛି।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବି ସମାନ ଅବସ୍ଥା। ସିପିଡବ୍ଲ୍ୟୁଡି ଦ୍ବାରା ନିର୍ମାଣ ହେଉଥିବା ବିଲ୍ଡିଂ ନିର୍ମାଣ ସରିଛି। ତେବେ ଏ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ବିଦ୍ୟୁତ୍ ସଂଯୋଗ ବି ହୋଇପାରିନି। ୨୦୧୯-୨୦ ଶିକ୍ଷାବର୍ଷରେ ଅର୍ଥ ଖର୍ଚ୍ଚ କରାଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଆଶ୍ବାସନା ଦେଇଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ନିର୍ମାଣ ନ କରି ସିପିଡବ୍ଲ୍ୟୁଡି ୟୁଟିଲାଇଜେସନ ସାର୍ଟିଫିକେଟ୍(ୟୁସି) ଦାଖଲ କରିଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ଆଗକୁ ଯେପରି ଏଭଳି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି।