ରୁଷା-୨ରେ ୨୦ ଡିଗ୍ରି କଲେଜକୁ ମିଳିଛି ୨୨ କୋଟି: ଟଙ୍କା ନେଇଛନ୍ତି, ହିସାବ ଦେଉନାହାନ୍ତି

 

ଆଦୌ ହିସାବ ଦେଇନାହାନ୍ତି ୧୨ କଲେଜ
୪ କଲେଜକୁ ମିଳିଛି ଦେଢ଼ କୋଟି, ୧୬ କଲେଜକୁ କୋଟିଏ

ଭୁବ‌ନେଶ୍ବର : ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା)-୨‌ରେ ରାଜ୍ୟର ୨୦ଟି ଡିଗ୍ରି କଲେଜର ଭିତ୍ତିଭୂମି ବିକାଶ ପାଇଁ ୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ୧୩ କୋଟି ୨୦ ଲକ୍ଷ ଓ ରାଜ୍ୟ ସରକାରଙ୍କ ଅଂଶ ବାବଦରେ ୮ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୨୦ଟି କଲେଜ ମଧ୍ୟରୁ ୪ଟି କଲେଜକୁ ଦେଢ଼ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ବାକି ୧୬ଟି କଲେଜକୁ ୧ କୋଟି ଲେଖାଏଁ ଟଙ୍କା ଦିଆଯାଇଥିଲା। କ୍ୟାମ୍ପସର ଭିତ୍ତିଭୂମି ବିକାଶ କରିବା ସହ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଲା ତାହାର ବିନିଯୋଗ ପ୍ରମାଣପତ୍ର(ୟୁଟିଲାଇଜେସନ ସାର୍ଟିଫିକେଟ୍‌) ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଥିଲା। ତେବେ ଏବେ ସୁଦ୍ଧା ୧୨ଟି କଲେଜ ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ମିଳିଥିବା ଅର୍ଥକୁ ସେମାନେ କେଉଁଭଳି ଭାବେ ଖର୍ଚ୍ଚ କରିଛନ୍ତି ତାହାର ତଥ୍ୟ ଉଚ୍ଚଶିକ୍ଷା ବିଭାଗକୁ ଦେଇ ନ ଥିବାରୁ ବିଭାଗ ଅସନ୍ତୋଷ ବ୍ୟକ୍ତ କରିଛି।

ସେପଟେ ବିନିଯୋଗ ପ୍ରମାଣପତ୍ର ମିଳି ନ ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ଚାପ ପଡ଼ୁଛି। ଯେତେଶୀଘ୍ର ସମ୍ଭବ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଉଛି। ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ମୋଟ ମଞ୍ଜୁର ହୋଇଥିବା ୨୨ କୋଟି ଟଙ୍କା ମଧ୍ୟରୁ ଏବେ ସୁଦ୍ଧା ମାତ୍ର ୬ କୋଟି ୪୩ ଲକ୍ଷ ୪୧ ହଜାର ୭୯୬ଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ପହଞ୍ଚିଛି। ବାକି ଅର୍ଥର ହିସାବ ତଥା ପ୍ରମାଣପତ୍ର ଏ ପର୍ଯ୍ୟନ୍ତ ମିଳି ପାରିନାହିଁ। ତେଣୁ ଆସନ୍ତା ଜୁନ୍‌ ୨୫ ତାରିଖ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। କଲେଜକୁ ମୋଟ କେତେ ଟଙ୍କା ମିଳିଥିଲା? ସେଥିରେ କେନ୍ଦ୍ର ଓ ରାଜ୍ୟ ଭାଗ କେତେ ଥିଲା? କେତେ ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେଇଛନ୍ତି? କଲେଜର କେଉଁ ସବୁ କାମ କରାଯାଇଛି? କେଉଁ ସବୁ ସାମଗ୍ରୀ କିଣା ହୋଇଛି ସେବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଯେଉଁ ୧୨ଟି କଲେଜ ଏ ପର୍ଯ୍ୟନ୍ତ ବିନିଯୋଗ ପ୍ରମାଣପତ୍ର ଦାଖଲ ନାହାନ୍ତି ସେଗୁଡ଼ିକ ହେଲା ଅନୁଗୁଳ ଜିଲ୍ଲାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ଡିଏଭି ସ୍ବୟଂଶାସିତ କଲେଜ, କଟକସ୍ଥିତ ୟୁଏନ୍‌ ସ୍ବୟଂଶାସିତ କଲେଜ, ଢେଙ୍କାନାଳସ୍ଥିତ ଜିରାଲ ଡିଗ୍ରି କଲେଜ। ଏଥିସହ ଗଞ୍ଜାମ ଜିଲ୍ଲା ହିଞ୍ଜିଲକାଟୁସ୍ଥିତ ସାଇନ୍ସ ସ୍ବୟଂଶାସିତ କଲେଜ, ବ୍ରହ୍ମପୁରସ୍ଥିତ ସିଟି ଡିଗ୍ରି କଲେଜ, ଜଗତ୍‌ସିଂହପୁରସ୍ଥିତ ଏସ୍‌ଭିଏମ୍‌ ସ୍ବୟଂଶାସିତ କଲେଜ, ଯାଜପୁର ଜିଲ୍ଲାର ବରୁଣେଶ୍ବର ଡିଗ୍ରି ମହାବିଦ୍ୟାଳୟ, ସାଧୁ ଗୌଡ଼େଶ୍ବର ଡିଗ୍ରି କଲେଜ, ଚିତ୍ତୋଳ ଡିଗ୍ରି ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଧାର ପିଏନ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଶିଶୁ ଅନନ୍ତ ଡିଗ୍ରି ମହାବିଦ୍ୟାଳୟକୁ ରୁଷା-୨ରେ ୧ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ସେଥିରେ କେନ୍ଦ୍ର ଅଂଶ ୬୦ ଲକ୍ଷ ଓ ରାଜ୍ୟ ଅଂଶ ଭାବେ ୪୦ ଲକ୍ଷ ଟଙ୍କା ରହିଛି। ‌ତେବେ ଏହି ଅର୍ଥର ବିନିଯୋଗ ପ୍ରମାଣପତ୍ର ମିଳି ନ ଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର