ରସଗୋଲା ଦିବସ ଆଜି, ଅନିଶ୍ଚିତତା ମଧ୍ୟରେ ଜିଆଇ ମାନ୍ୟତା

ଭୁବନେଶ୍ୱର: ଅାଜି ହେଉଛି ରସଗୋଲା ଦିବସ। ନୀଳାଦ୍ରି ବିଜେ ସମୟରେ ମା’ଲକ୍ଷ୍ମୀଙ୍କ ମାନ ଭଂଜନ ପାଇଁ ଶ୍ରୀଜଗନ୍ନାଥ ରସଗୋଲା ଭୋଗ ଦେଇ ତୁଷ୍ଟ କରିଥାନ୍ତି। ସେହି ଦୃଷ୍ଟିରୁ ଓଡ଼ିଶାରେ ରସଗୋଲା ଦିବସ ପାଳିତ ହୋଇଆସୁଛି। ରାଜ୍ୟବ୍ୟାପୀ ରସଗୋଲା ପ୍ରେମୀ  ଏହି ଉତ୍ସବକୁ ପାଳନ କରୁଛନ୍ତି । ତେବେ ରସଗୋଲାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଏକପ୍ରକାର ଶୀଥିଳ ହୋଇଯାଇଛି। ନୀଳାଦ୍ରି ବିଜେ ପରେ ନୀଳାଦ୍ରି ବିଜେ ଚାଲିଯାଉଛି ମାତ୍ର ରାଜ୍ୟ ସରକାର ରସଗୋଲାକୁ ଭୌଗଳିକ ଉତ୍ପତ୍ତି ବା ଜି.ଆଇ ଟ୍ୟାଗ୍‌ ଦେବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି। ଯଦିଓ ଜି.ଆଇ କାର୍ଯ୍ୟାଳୟରେ ‘ଓଡ଼ିଶାର ରସଗୋଲା’ ନାଁରେ ଆବେଦନ ହୋଇଛି, ତଥାପି ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ ହୋଇ ନ ଥିବାରୁ ଜି.ଆଇ ମାନ୍ୟତା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ସୂଚନା ଅନୁଯାୟୀ, ଚଳିତବର୍ଷ ଫେବ୍ରୁଆରି ୨୩ତାରିଖରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଶିଳ୍ପ ବିଭାଗ ପକ୍ଷରୁ ଚେନ୍ନାଇସ୍ଥିତ ଜି.ଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ଠିକ୍‌ ବିଜେପୁର ଉପ-ନିର୍ବାଚନର ପୂର୍ବଦିନ ହିଁ ସରକାର ତରବରିଆ ଭାବେ ରସଗୋଲା ପାଇଁ ଆବେଦନ କରିଥିଲେ। ‘ଓଡ଼ିଶାର ରସଗୋଲା’ ନାଁରେ ଏହାକୁ ଆବେଦନ କରାଯାଇଥିବା ବେଳେ ଆବେଦନ ପତ୍ର ନଂ ହେଉଛି ୬୧୨। ଗତ ଜୁନ୍‌ ୨୨ତାରିଖରେ ଜି.ଆଇ କାର୍ଯ୍ୟାଳୟରୁ ‘ଓଡ଼ିଶାର ରସଗୋଲା’ ସଂପର୍କିତ ୧୪ଦଫା ପ୍ରଶ୍ନାବଳୀରେ ତଥ୍ୟ ରଖିବାକୁ କୁହାଯାଇଥିଲା। ୨ମାସ ମଧ୍ୟରେ ଏ ନେଇ ସମସ୍ତ ତଥ୍ୟ ଉପସ୍ଥାପନ ପାଇଁ ନିର୍ଦେଶ ରହିଥିଲେ ହେଁ ରାଜ୍ୟ ସରକାର ଏହାକୁ ଦାଖଲ ନ କରିପାରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ରାଜ୍ୟ ସରକାର ଆହୁରି ୧ମାସ ସମୟ ମାଗିଛନ୍ତି। ଫଳରେ ରସଗୋଲାକୁ ଜି.ଆଇ ମାନ୍ୟତା ଦେବା ନେଇ ରାଜ୍ୟ ସରକାରଙ୍କ ତତ୍ପରତାକୁ ପଦାରେ ପକାଇ ଦେଇଛି।

ରସଗୋଲାର ଉତ୍ପତିକୁ ନେଇ ୩ ବର୍ଷ ତଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖାଦେବା ରାଜ୍ୟବ୍ୟାପୀ ଏକପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗ ସରକାର ଆଗୁଆ ରସଗୋଲା ପାଇଁ ଜି.ଆଇ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରସଗୋଲା ପାଇଁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଥିଲା। ପ୍ରଥମେ ଶିଳ୍ପ ବିଭାଗକୁ ଏହାର ଦାୟିତ୍ୱ ଦିଆଯିବା ପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗକୁ ଏହାର ଦାୟିତ୍ୱ ଦିଆଯାଇଥିଲା। ତଥ୍ୟ ସଂଗ୍ରହ କାମ ଗୋଟିଏ ପରେ ଗୋଟିଏ ବିଭାଗକୁ ଡେଇଁଥିଲା। ରାଜ୍ୟ ସରକାର ଏଥିପାଇଁ ଏକ ୩ସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ। ଶ୍ରୀଜଗନ୍ନାଥ ଗବେଷକ ଅସିତ ମହାନ୍ତି ଓଡ଼ିଶାରେ ରସଗୋଲାର ଉତ୍ପତି ସଂପର୍କିତ ସମସ୍ତ ତଥ୍ୟ ୨୦୧୬ ମସିହରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏହାସତ୍ୱେ ମଧ୍ୟ ରାଜ୍ୟ ସରକାର ବର୍ଷେ ଚୁପ୍‌ ରହିଲେ। ଏପରିକି ପଶ୍ଚିମବଙ୍ଗ ସରକାର ଜି.ଆଇ ମାନ୍ୟତା ପାଇଁ ଆବେଦନ କରିବାର ୪ମାସ ମଧ୍ୟରେ ବିପକ୍ଷ ସଂସ୍ଥାକୁ ଆପତ୍ତି ବା ଅବଜେକସନ୍‌ ପାଇଁ ସମୟ ରହିଥିଲେ ହେଁ ସରକାରଙ୍କ ପକ୍ଷରୁ ତାହା କରାଗଲା ନାହିଁ। ଗତବର୍ଷ ନଭେମ୍ବର ୧୪ତାରିଖରେ ପଶ୍ଚିମବଙ୍ଗକୁ ‘ବାଂଲାର ରସଗୋଲା’ ନେଇ ଜି.ଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ହଠାତ୍‌ ତତ୍ପର ହୋଇ ଉଠିଥିଲେ। ରାଜ୍ୟବ୍ୟାସୀ ଓ ବିପକ୍ଷ ଦଳ ରାଜ୍ୟ ସରକାରଙ୍କୁ ରସଗୋଲା ସଂପର୍କରେ ବାରମ୍ବାର ଟାଣିବା ପରେ ତରବରିଆ ଭାବେ ରାଜ୍ୟ ସରକାର ଜି.ଆଇ ପାଇଁ ଆବେଦନ କରିଥିଲେ।

ଅପରପକ୍ଷରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ପ୍ରକ୍ରି୍ରୟାକରଣ ଓ ଉଦ୍ୟାନକୃଷି ବିକାଶ ନିଗମ ପକ୍ଷରୁ ଜି.ଆଇ ପାଇଁ ଆବେଦନ କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାସ୍ଥ୍ୟ ମାମଲା ରୁଜୁ ହେବା ପରେ ସରକାରୀ ଅନୁଷ୍ଠାନ ଜି.ଆଇ ମାନ୍ୟତା ପାଇଁ ଆବେଦନ କରିପାରିବ କି ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ରତ୍ନାକର ସାହୁଙ୍କ କହିବାନୁଯାୟୀ, ଜି.ଆଇ କାର୍ଯ୍ୟାଳୟରୁ ଯେଉଁ ବିଷୟ ଉପରେ ତଥ୍ୟ ମଗାଯାଇଛି ତାହା ଉପରେ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ଯେତେ ସଂଖ୍ୟକ ରସଗୋଲା ବ୍ୟବସାୟୀ ରହିଛନ୍ତି ତାହାର ତଥ୍ୟ ସଂଗ୍ରହ କରାଯାଇଥିଲା। ୪୩୫ଜଣ ରସଗୋଲା ପ୍ରସ୍ତୁତକାରୀଙ୍କ ତଥ୍ୟ ସଂଗ୍ରହ ହୋଇଛି। ଏହାସହ ନିମାପଡ଼ା, ପାହାଳ ଓ ସାଲେପୁରସ୍ଥିତ ରସଗୋଲା ବ୍ୟବସାୟୀଙ୍କ ଭିଡିଓ ରେକର୍ଡିଂ କରାଯିବା ସହିତ ରସଗୋଲାର ପ୍ରସ୍ତୁତି ଓ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହାର ଏକ ସିଡି ପ୍ରସ୍ତୁତ କରାଯାଇ ଜି.ଆଇ କାର୍ଯ୍ୟାଳୟରେ ଦିଆଯିବ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ କରାଯିବ ବୋଲି ଶ୍ରୀ ସାହୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର