ଭୁବନେଶ୍ୱର : ବାଂଲାର ରସଗୋଲାକୁ ଜିଆଇ ମାନ୍ୟତା ମିଳିବାର ସପ୍ତାହ ବିତିଲାଣି। କିନ୍ତୁ ବିବାଦ ଥମିବାର ନାଁ ନେଉନାହିଁ। ପଶ୍ଚିମବଙ୍ଗର ବାଂଲାର ରସଗୋଲାକୁ ଜିଆଇ ମାନ୍ୟତା ମିଳିବାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରସଗୋଲା ବ୍ୟବସାୟୀ କିମ୍ବା ସେମାନଙ୍କ ସଂଗଠନ ନୁହେଁ ବରଂ ପଶ୍ଚିମବଙ୍ଗ ସରକାରଙ୍କ ଏକ ସଂସ୍ଥା ପକ୍ଷରୁ ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିବା ଜଣାପଡ଼ିଛି। ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ। ଏଭଳି କ୍ଷେତ୍ରରେ ବାଂଲାର ରସଗୋଲାକୁ କିଭଳି ଜିଆଇ ମାନ୍ୟତା ମିଳିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟର େଓ୍ଵବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ, ବାଂଲାର ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ଉନ୍ନୟନ କର୍ତୃପକ୍ଷ ଲିମିଟେଡ୍ ବା ଡବ୍ଲ୍ୟୁଏସ୍ଏଫ୍ପିଏଚ୍ଡିସିଏଲ ପକ୍ଷରୁ ଆବେଦନ କରାଯାଇଥିଲା। ରସଗୋଲା ପ୍ରସ୍ତୁତି କିମ୍ବା ରସଗୋଲା ବ୍ୟବସାୟୀଙ୍କ ପାଇଁ ଏହି ଅନୁଷ୍ଠାନ ପ୍ରତିନିଧିତ୍ୱ କରେ ନାହିଁ। କେଉଁ ପରିସ୍ଥିତିରେ ଡବ୍ଲ୍ୟୁଏସ୍ଏଫ୍ପିଏଚ୍ଡିସିଏଲ ବାଂଲାର ରସଗୋଲାକୁ ଜିଆଇ ବା ଭୌଗଳିକ ଉତ୍ପତ୍ତି ପାଇଁ ଆବେଦନ କଲା ତାହାକୁ ଅନୁଷ୍ଠାନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
୧୯୯୯ ମସିହା ଜିଆଇ ଅଫ୍ ଗୁଡ୍ସ(ପଞ୍ଜୀକରଣ ଏବଂ ସୁରକ୍ଷା)ଆଇନର ଧାରା ୧୧ କହୁଛି, କୌଣସି ସଂଘ କିମ୍ବା ଉତ୍ପାଦନକାରୀ କିମ୍ବା କୌଣସି ସଂଗଠନ କିମ୍ବା କର୍ତୃପକ୍ଷ ଉତ୍ପାଦନକାରୀଙ୍କ ପକ୍ଷରୁ ଜିଆଇ ଆବେଦନ କରିପାରିବେ। ବାଂଲାର ରସଗୋଲା କ୍ଷେତ୍ରରେ ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ଉନ୍ନୟନ କର୍ତୃପକ୍ଷ ଲିମିଟେଡ୍ ପକ୍ଷରୁ ଆବେଦନ କରାଯାଇଛି। ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟ ପରିଷଦ ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛି। ତେବେ ଗତ ବର୍ଷ ଫେବ୍ରୁଆରି ୧୨ ତାରିଖରେ ଡବ୍ଲ୍ୟୁଏସ୍ଏଫ୍ପିଏଚ୍ଡିସିଏଲ ପକ୍ଷରୁ ଜିଆଇ କାର୍ଯ୍ୟାଳୟକୁ ଦିଆଯାଇଥିବା ଉତ୍ତର ଘଟଣାକୁ ସନ୍ଦେହ ଘରକୁ ଟାଣି ନେଇଛି।
ଏଥିରେ କୁହାଯାଇଛି ଯେ, ରାଜ୍ୟରେ ୧୦ ହଜାର ମିଠା ଦୋକାନ ରହିଥିବା ବେଳେ ଦୈନିକ ୨୦ଲକ୍ଷ ରସଗୋଲା ପ୍ରସ୍ତୁତ ହେଉଛି। ବ୍ୟବସାୟୀମାନେ ‘ପଶ୍ଚିମବଙ୍ଗ ମିଷ୍ଟାନ୍ନ ବ୍ୟବସାୟୀ’ ସଂଘ ନାଁରେ ପରିଚାଳିତ ହେଉଛନ୍ତି। ଯେହେତୁ ବ୍ୟବସାୟୀମାନେ ଜିଆଇ କାର୍ଯ୍ୟାଳୟରେ ଆବେଦନ କରିବାକୁ ଅସମର୍ଥ, ତେଣୁ ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କେନ୍ଦ୍ର ନିର୍ଦେଶାଳୟ ବାଂଲାର ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରସଗୋଲାର ଉତ୍ପାଦନ କିମ୍ବା ରସଗୋଲା ବ୍ୟବସାୟରେ ସଂପୃକ୍ତ ନ ଥିବା ସଂଗଠନ ଜିଆଇ ଆବେଦନ କରିବାକୁ ନେଇ ପ୍ରଶ୍ନ ଉଠିଛି।
ସେହିପରି ଜିଆଇ କର୍ତୃପକ୍ଷ ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ଉନ୍ନୟନ କର୍ତୃପକ୍ଷ ଲିମିଟେଡ୍କୁ ବାଂଲାର ରସଗୋଲାର ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ସେପ୍ଟେମ୍ବର ମାସ ୧୮ତାରିଖରେ ଡବ୍ଲ୍ୟୁଏସ୍ଏଫ୍ପିଏଚ୍ଡିସିଏଲକୁ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ତେଣୁ ଯେଉଁ ବ୍ୟବସାୟୀମାନେ ବାଂଲାର ରସଗୋଲା ନାଁରେ ବ୍ୟବସାୟ କରିବାକୁ ଚାହିଁବେ, ସେମାନଙ୍କୁ ଡବ୍ଲ୍ୟୁଏସ୍ଏଫ୍ପିଏଚ୍ଡିସିଏଲଠାରୁ ଅନୁମତି ନେବାକୁ ହେବ। ଯେଉଁ ବ୍ୟବସାୟୀମାନେ ଜିଆଇ ମାନ୍ୟତା ମିଳିଥିବା ରସଗୋଲାର ସ୍ୱାଦକୁ ବଜାୟ ରଖିପାରିବେ ନାହିଁ ସେମାନଙ୍କ ବିରୋଧରେ ଉଭୟ ଫୌଜଦାରୀ ଓ ଅପରାଧିକ ମାମଲା ରୁଜୁ ହେବ। କିନ୍ତୁ ଡବ୍ଲ୍ୟୁଏସ୍ଏଫ୍ପିଏଚ୍ଡିସିଏଲ ଏକ ରସଗୋଲା ଉତ୍ପାଦନକାରୀ ସଂସ୍ଥା କିମ୍ବା ସଂଘ ହୋଇ ନ ଥିବାରୁ ବ୍ୟବସାୟୀମାନେ କାହାଠାରୁ ନିଜ ବ୍ୟବସାୟ ପାଇଁ ଅନୁମତି ଆଣିବେ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି।
ଅପରପକ୍ଷରେ ଆବେଦନ ପତ୍ରରେ ବେଙ୍ଗଲର ରସଗୋଲା ଅନ୍ୟଠାରୁ କେଉଁଭଳି ଭାବେ ଭିନ୍ନ ତାହା ଉଲ୍ଲେଖ କରାଯାଇ ନାହିଁ। ରାଜ୍ୟର ୧୦ ହଜାର ମିଷ୍ଟାନ୍ନ ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ ରସଗୋଲାର ସ୍ୱାଦକୁ କିଭଳି ବଜାୟ ରଖାଯିବ ତାହା ଏଥିରେ ଉଲ୍ଲେଖ କରାଯାଇ ନାହିଁ। ତେଣୁ ଓଡ଼ିଶା କିମ୍ବା ଦେଶର ଅନ୍ୟ ସ୍ଥାନରେ ପ୍ରସ୍ତୁତ ହେଉଥିବା ରସଗୋଲା ଯଦି ବେଙ୍ଗଲରେ ପ୍ରସ୍ତୁତ ହେଉଥିବା ରସଗୋଲାର ସ୍ୱାଦ ସହିତ ମେଳ ଖାଏ, ତେବେ କିଭଳି ବାଂଲାର ରସଗୋଲା ହେବ ତାହାର ପ୍ରଶ୍ନ ମଧ୍ୟ ଏବେ ଉଙ୍କି ମାରୁଛି।
ସିଟିଟିସର ଜଣେ ବରିଷ୍ଠ କର୍ତୃପକ୍ଷଙ୍କ କହିବାନୁଯାୟୀ, ବାଂଲାର ରସଗୋଲା ଜିଆଇ ମାନ୍ୟତା ମିଳିବା ପରେ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇଥିଲା। ଡବ୍ଲ୍ୟୁଏସ୍ଏଫ୍ପିଏଚ୍ଡିସିଏଲ କେଉଁ ପରିସ୍ଥିତିରେ ଜିଆଇ ପାଇଁ ଆବେଦନ କରାଯାଇଥିଲା ତାହାକୁ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ଜଣେ କର୍ତୃପକ୍ଷ ଭାବେ ସରକାରୀ ସଂଗଠନ ଏହାକୁ ଆବେଦନ କରିପାରିବ ବୋଲି ଜିଆଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏଥିରେ ଯଥେଷ୍ଟ ସନ୍ଦେହ ଥିବାରୁ ଆଗାମୀ ଦିନରେ ସୂଚନା ଅଧିକାର ଆଇନ କିମ୍ବା ଜିଆଇ ସଂପର୍କିତ ଜଣେ ଓକିଲଙ୍କ ଜରିଆରେ ଏଥିପାଇଁ ଆବେଦନ କରିବାକୁ ଯୋଜନା କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।