ଚାକିରିଆ ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା ରାସନ କାର୍ଡ ହାତେଇବା

୧ ଟଙ୍କାରେ ନେଇଥିଲେ, ୩୨ ଟଙ୍କା ହିସାବରେ ଫେରାଇବେ

କୋରେଇ: କୋରେଇ ବ୍ଲକରେ କାର୍ଯ୍ୟରତ ବିଏଲ୍ଓ ( ବ୍ଲକ ଜୀବିକା ସଂଯୋଜକ) ସରୋଜିନୀ ଦାସ ଓ ତାଙ୍କ ସ୍ବାମୀ ରାସନକାର୍ଡ ହାତେଇବା ଘଟଣାରେ ଆଜି ନୋଟିସ ଜାରି କରିଛି ପ୍ରଶାସନ। ଏନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କୋରେଇ ବିଡିଓ ରଂଜନ କୁମାର ପରିଡ଼ା ଘଟଣାର ତଦନ୍ତ କରିଥିଲେ। ସ୍ବାମୀସ୍ତ୍ରୀଙ୍କ ନାମରେ ରାସନକାର୍ଡ ଥିବା ଜଣାପଡ଼ିବାରୁ ବିଡିଓ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହିତ ନେଇଥିବା ରାସନର ସରକାରୀ ମୂଲ୍ୟ ତୁରନ୍ତ ଫେରସ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଶ୍ରୀମତୀ ଦାସଙ୍କ ନାମରେ ଥିବା ରାସନ କାର୍ଡ ନମ୍ବର ୧୩୦୮୦୪୧୨୦୮୩ଟି ୨୦୧୮ ରୁ ହୋଇଛି। କେତେ ପରିମାଣର ରାସନ ଉଭୟଙ୍କ ନାମରେ ଉଠାଯାଇଛି ତାହାର ତଦନ୍ତ କରିବାକୁ ବ୍ଲକ୍ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କୁ ବିଡିଓ ନିର୍ଦେଶ ଦେଇଛନ୍ତି। ତଦନ୍ତ ପରେ ଚାଉଳର ସରକାରୀ ବଜାର ମୂଲ୍ୟ (କେଜି ପ୍ରତି ୩୨ ଟଙ୍କା) ହିସାବରେ ଫେରସ୍ତ କରିବାକୁ ନିର୍ଦେଶ ହୋଇଥିବା ବିଡିଓ ଶ୍ରୀ ପରିଡ଼ା କହିଛନ୍ତି।

ପ୍ରକାଶ ଯେ ସରୋଜିନୀ ଦାସ କୋରେଇରେ ବିଏଲଓ ଏବଂ ତାଙ୍କ ସ୍ବାମୀ ବିଶ୍ବରଂଜନ ପଣ୍ତା ସୁକିନ୍ଦା ବ୍ଲକର ଗ୍ରାମ ଜଳଯୋଗାଣ ବିଭାଗର ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଅଛନ୍ତି। ବଡ଼ବିରୁହାଁ ପଞ୍ଚାୟତରେ ଥିବା ରାସନ କାର୍ଡ ନମ୍ବର ୧୩୦୮୦୪୧୨୦୮୩ ରେ ରାସନ ଉଠାଯାଉଥିବାର ଜଣାପଡିଥିଲା।

ସମ୍ବନ୍ଧିତ ଖବର