୯୪ ମାମଲାର ସମାଧାନ: ୪ କୋଟି ୬୭ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ତାଲୁକ ଆଇନ ସେବା ସମିତିର ରାଷ୍ଟ୍ରୀୟ ଲୋକ ଅଦାଲତ

ରାଉରକେଲା: ତାଲୁକ ଆଇନ ସେବା ସମିତି ପକ୍ଷରୁ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍‌ ୯୪ଟି ମାମଲା ସମାଧାନ କରାଯାଇଛି। ଏହାସହ ୪ କୋଟି ୬୭ ଲକ୍ଷ ୪୮ ହଜାର ୬୦୫ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ହୋଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶୁଭଦର୍ଶୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୋଟର ଦୁର୍ଘଟଣା ପାଇଁ ଦୁଇଟି ବେଞ୍ଚ୍‌ ମଧ୍ୟରୁ ପ୍ରଥମରେ ଜିଲ୍ଲାଜଜ୍‌ ଶ୍ରୀ ପଟ୍ଟନାୟକ ଓ ଦ୍ବିତୀୟ ବେଞ୍ଚ୍‌ରେ ପ୍ରଥମ ଅତିରିକ୍ତ ଜିଲ୍ଲାଜଜ୍‌ ଡ. ଭି. ସୁଜାତା ଉପସ୍ଥିତ ଥିଲେ।  ୪୫ଟି ମୋଟର ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩ କୋଟି ୮୧ ଲକ୍ଷ ୩୮ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି।

ସେହିଭଳି ପରିବାର ଅଦାଲତ ଜଜ୍‌ ମୋହନ ରାଓ ଦୋରା ୧୨ଟି ମାମଲାର ଫଇସଲା କରିଥିଲେ। ଏତଦ୍‌ବ୍ୟତୀତ ୨୬ଟି ଅପରାଧିକ ମାମଲା ସମାଧାନ କରାଯାଇ ୪୨ ଲକ୍ଷ ୭୩ ହଜାର ୪୪ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୧୧ଟି ମନି ରିକଭରି ମାମଲାରେ ୪୩ ଲକ୍ଷ ୩୩ ହଜାର ୧୫୬ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସିଜେଏମ୍‌ ପ୍ରଦୀପ କୁମାର ବେହେରା, ସିନିଅର ସିଭିଲ ଜଜ୍‌ ନରୋତ୍ତମ ସେଠୀ, ଏସ୍‌ଡିଜେଏମ୍‌ ରଞ୍ଜନ କୁମାର ପ୍ରଧାନ, ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ରଜତ ପଣ୍ଡା, ସୌରଭ ଶର୍ମା, ଉମାକାନ୍ତ ବେହେରା ପ୍ରମୁଖ ମାମଲା ପରିଚାଳନା କରିଥିଲେ। ଏଥିରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ବି.ଏନ. ପରିହାରୀ, ଅମୂଲ୍ୟ ମହାପାତ୍ର, ନିର୍ମଳ ସ୍ବାଇଁ, ଏମ. ପଟ୍ଟନାୟକ, ପି. ପାତ୍ର, ଏସ. ହୋତା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର