ରସୁଲଗଡ଼ ଛକ ରାସ୍ତା ଦୁରବସ୍ଥା ନେଇ ଜନସ୍ୱାର୍ଥ ମାମଲା

କଟକ : ଭୁବନେଶ୍ୱର ରସୁଲଗଡ ଛକ ନିକଟ ରାସ୍ତାର ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାଖଲ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ରସୁଲଗଡ ଓଭରବ୍ରିଜ ଦୁଇ ପାଖରେ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ବେଳେ ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହି ଦୁଇ ପାଖ ରାସ୍ତାରେ ପ୍ରତିଦିନ ଶତାଧିକ ବସ୍‌, ଟ୍ରକ୍‌, କାର୍‌, ଅଟୋ ଯା’ ଆସ କରୁଛି। ସାଇକେଲ ଆରୋହୀ ଓ ଚାଲି ଚାଲି ଯାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। କିନ୍ତୁ ରାସ୍ତାରେ ବଡ ବଡ ଖାଲ ଖମା ସୃଷ୍ଟି ହୋଇଥିବା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ପ୍ରତି ଦିନ ଦୁର୍ଘଟଣା ଘଟୁଛି। ଏହି ରାସ୍ତା ମରାମତି ପାଇଁ ବାରମ୍ବାର ଦାବି କରାଯାଉ ଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ଏପରି ସ୍ଥଳେ ଅଦାଲଙ୍କ ହସ୍ତକ୍ଷେପ ଲୋଡି ଆବେଦନକାରୀ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଆଇନ ସଚିବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର