ଅବଢ଼ା ଦର ନିର୍ଧାରଣ ପାଇଁ ହେବ ପରୀକ୍ଷାମୂଳକ ରୋଷେଇ

ପୁରୀ : କାର୍ତ୍ତିକ ମାସ ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ (ଅବଢ଼ା) ଦର ତାଲିକା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ସୁଆର ମହାସୁଆର ନିଯୋଗ ସହିତ ଏ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ନିଯୋଗର ସହମତି କ୍ରମେ ଆସନ୍ତା ରବିବାର ଅବଢ଼ାର ପରୀକ୍ଷାମୂଳକ ରୋଷେଇ କରିବା ଲାଗି ଦିନ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ଦିର ପରିସରସ୍ଥିତ କୋଠ ଭୋଗ ରୋଷ ଘରେ ଏହି ରୋଷେଇ କରାଯିବ। ଶ୍ରୀମନ୍ଦିର ପ୍ରଶାସନ, ସୁପରଭାଇଜର ଦେଉଳକରଣ ଓ ସୁଆର ମହାସୁଆର ନିଯୋଗର ପ୍ରତିନିଧି ଏଥିରେ ଉପସ୍ଥିତ ରହିବେ। ଅବଢ଼ାର ମାନ ଯାଞ୍ଚ ପରେ ସହମତି ଭିତ୍ତିରେ ଶ୍ରୀମନ୍ଦିର ପରିସରରେ ଏହି ଦର ତାଲିକା ‌ଲାଗିବ। ପରୀକ୍ଷାମୂଳକ ରୋଷେଇ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସାମଗ୍ରୀର ମୂଲ୍ୟ, ପରିମାଣ, ଜାଳେଣି, ଶ୍ରମ ଓ ନିଯୋଗର ଲାଭ ଓ ଅନ୍ୟ ସବୁ ଦିଗକୁ ଦୃଷ୍ଟିରେ ରଖି ଅବଢାର ଚୂଡାନ୍ତ ଦର ନିର୍ଧାରଣ କରାଯିବ ବୋଲି ଜଣାପଡ଼ିଛି। ଦର ତାଲିକା ଲାଗିବା ପରେ ଏହାଠୁ ଅଧିକ ଦର କେହି ନେଇ ପାରିବେ ନାହିଁ। ହାଣ୍ଡି ଓ କୁଡୁଆ ମୁତାବକ ଅବଢା ଦର ଧାର୍ଯ୍ୟ ହେବ ଏବଂ ଏଥି ପାଇଁ ଆନନ୍ଦ ବଜାରରେ ସୂଚନା ଫଳକ ଲାଗିବ। ସେହିଭଳି ଆନନ୍ଦ ବଜାରରେ ଅବଢା ବିକ୍ରି କରିବାକୁ ୪୮ଟି ସେଡ୍‌ ନିର୍ମାଣ କରାଯିବ। ଗୋଟିଏ ପଟେ ‌ଶୁଖିଲା ମହାପ୍ରସାଦ ଏବଂ ଅନ୍ୟ ପଟେ ଅବଢା ବିକ୍ରି କରାଯିବ। ଭକ୍ତଙ୍କୁ ଶୋଷଣ ମୁକ୍ତ କରିବା ପାଇଁ ଏ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜିର ବୈଠକ‌ରେ ଜିଲ୍ଲାପାଳ ଶ୍ରୀ ଦାସଙ୍କ ସହିତ ନୀତି ପ୍ରଶାସକ ପ୍ରଦୀପ ଦାଶ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି, ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରା, କୃଷ୍ଣ ଚନ୍ଦ୍ର ପଢିଆରୀ, ବାମନ ମହାସୁଆର, ଭୁବନ ମହାସୁଆର‌, ବଳଭଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର