ଅବଢ଼ା ଦର ତାଲିକାକୁ ନେଇ ମୁଣ୍ଡ ଟେକିଲା ବିବାଦ

ମୁଖ୍ୟ ପ୍ରଶାସକ କହିଲେ ମୁଁ ଜାଣିନି

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲଗାଯିବାକୁ କେନ୍ଦ୍ର କରି ବିବାଦ ମୁଣ୍ଡ ଟେକିଛି। ୧୦ରୁ ଅଧିକ ଦିନ ଧରି ଆନନ୍ଦ ବଜାରର ବିଭିନ୍ନ ସ୍ଥାନରେ ଅବଢ଼ାର ଏକାଧିକ ଦର ତାଲିକା ଲାଗିଥିଲେ ବି ଏ ସଂପର୍କରେ କିଛି ଜାଣିନଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଏଭଳି ପରିସ୍ଥିତିରେ କିଏ ଏବଂ କାହା ଅନୁମତିରେ ଦର ତାଲିକା ଆନନ୍ଦ ବଜାରରେ ଲଗାଇଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୁପ୍ରିମ୍‌କୋର୍ଟ ରୋଷଘର, ଚୁଲାକୁ ନିଜ ଅଧୀନକୁ ଆଣିବା ଓ ଅବଢ଼ାର ଦରଦାମ ନିର୍ଧାରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆଦେଶ ଦେବା ପରେ ଏହାକୁ ନେଇ ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା ବୈଠକରେ ତୁହାକୁତୁହା ଆଲୋଚନା ହୋଇସାରିଛି। ଏ ପରିପ୍ରେକ୍ଷୀରେ ଆନନ୍ଦ ବଜାରରେ ଖୁବଶୀଘ୍ର ଅବଢ଼ାର ଦର ତାଲିକା ଲାଗିବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କିଛି ପଦକ୍ଷେପ ନେବା ଆଗରୁ କେହି ଆନନ୍ଦ ବଜାରରେ ଦର ତାଲିକା ଲଗାଇ ଭକ୍ତଙ୍କୁ ଲୁଟିବା ଭଳି ଦୁଃସାହସ କରିଛନ୍ତି। ଯେଉଁ ତାଲିକା ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୋଲି ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି। ଦର ତାଲିକା ଅନୁଯାୟୀ, ବାସୁମତି ଚାଉଳର ବାଇହାଣ୍ଡି ୧୬୦୦ ଟଙ୍କା, ଦାସିଆ ହାଣ୍ଡି ୯୦୦ ଟଙ୍କା, ବଡ଼ମଠ କୁଡ଼ୁଆ ୫୦୦ ଟଙ୍କା, କଳାମଠ କୁଡ଼ୁଆ ୨୫୦ ଟଙ୍କା, ମଠ କୁଡ଼ୁଆ ୨୦୦ ଟଙ୍କା, ଚକା ନମ୍ବରି ୧୫୦ ଟଙ୍କା, ନମ୍ବରି ୧୦୦ ଟଙ୍କା, ଭାତ ୪୦ ଟଙ୍କା, ମଧ୍ୟମ ଚାଉଳ ଅନ୍ନ ବାଇହାଣ୍ଡି ୧୪୦୦ ଟଙ୍କା, ଦାସିଆ ହାଣ୍ଡି ୭୦୦ ଟଙ୍କା, ବଡ଼ମଠ କୁଡ଼ୁଆ ୩୦୦ ଟଙ୍କା, କଳାମଠ କୁଡ଼ୁଆ ୨୦୦ ଟଙ୍କା, ନିରସା କଳାମଠ କୁଡ଼ୁଆ ୧୮୦ ଟଙ୍କା, ମଠ କୁଡ଼ୁଆ ୧୨୦ ଟଙ୍କା, ଚକା ନମ୍ବରି ୮୦ ଟଙ୍କା, ଧଳା କୁଡ଼ୁଆ ଅନ୍ନ ୫୦ ଟଙ୍କା, ଭାତ କୁଡ଼ୁଆ ଅନ୍ନ ୩୦ ଟଙ୍କା, ସ୍ପେଶାଲ୍‌ ବାଇ ଘିଅ ଅନ୍ନ ୩୦୦୦ ଟଙ୍କା, ଦାସିଆ ହାଣ୍ଡି ଅନ୍ନ ୨୫୫୦ ଟଙ୍କା, ଦାସିଆ ଖେଚୁଡ଼ି ୨୨୦୦ ଟଙ୍କା, ଦାସିଆ ମିଷ୍ଟାନ୍ନ ୨୫୦୦ ଟଙ୍କା ରହିଛି। ସେହିଭଳି ଡାଲି ଓ ତରକାରୀ ଉପରେ ବି ଦର ଉଲ୍ଲେଖ ରହିଛି। ଦାସିଆ ହାଣ୍ଡି ଡାଲି ୧୫୦୦ ଟଙ୍କା, ଦାସିଆ ହାଣ୍ଡି ଡାଲମା ୧୫୦୦ ଟଙ୍କା, ବଡ଼ମଠ କୁଡ଼ୁଆ ୭୦୦ ଟଙ୍କା, ମଠ କୁଡ଼ୁଆ ୩୫୦ ଟଙ୍କା, ନମ୍ବରୀ କୁଡ଼ୁଆ ୧୫୦ ଟଙ୍କା, ଚକା ନମ୍ବରି ୨୦୦ ଟଙ୍କା ତାଲିକାରେ ଉଲ୍ଲେଖ ରହିଛି। ଯେହେତୁ ଶ୍ରୀମନ୍ଦିର ପ୍ରଶାସନ ଦର ତାଲିକା ଲଗାଇବା ଉପରେ ବିଚାରବିମର୍ଶ ଚଳାଇଥିଲା, ତାହାର ଅନୁମତିକ୍ରମେ ଏଭଳି ତାଲିକା ଲଗାଯାଇଥିବା ଭକ୍ତମାନେ ବିଶ୍ୱାସ କରି ନେଇଥିଲେ। କିନ୍ତୁ ଭକ୍ତଙ୍କ ସହ ବିଶ୍ୱାସଘାତକତା କରାଯାଇଛି। ତେବେ କାହା ଅନୁମତି ନେଇ ଏଭଳି ଦରଧାର୍ଯ୍ୟ କରାଯାଇଛି ସେ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଛି ଜାଣିନଥିବା କହିଛନ୍ତି।

ଗଣମାଧ୍ୟମ ପ୍ରଶ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି, ତାଲିକା ଲଗାଇବା ଉପରେ ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା ବୈଠକରେ କେବଳ ଆଲୋଚନା ହୋଇଛି। ସେଭଳି କୌଣସି ଦରଧାର୍ଯ୍ୟ ହୋଇନି କି ତାଲିକା ଲଗାଇବା ଉପରେ ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ। ଯେଉଁ ଦର ତାଲିକା ଲାଗିଛି ତାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇନାହିଁ। ଏହି ଦର ତାଲିକାକୁ ତୁରନ୍ତ ହଟାଇବା ଲାଗି ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର