ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ପ୍ରଶାସନର ମୁଣ୍ଡବ୍ୟଥା ସାଜିଛି। ଏଥିରେ ରୋକ ଲଗାଇବା ପାଇଁ ସମଗ୍ର ଜିଲ୍ଲାରେ ସାମୁହିକ ଗଞ୍ଜେଇ ବିନାଶ ଅଭିଯାନ ଆରମ୍ଭ ହୋଇଛି। ମାଦକ ଦ୍ରବ୍ୟ ଆଇନର କଠୋରତା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ଗୁରୁବାର ନିଶାମୁକ୍ତି ସଚେତନତା ଅଭିଯାନ ରଥ ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଯାତ୍ରା ଆରମ୍ଭ କରିଛି।
ଏହି ରଥ ବୌଦ୍ଧ ବ୍ଲକ୍ର ସୀମାନ୍ତ ବ୍ରାହ୍ମଣିପାଲି, ଆମ୍ବଝରୀ, ବଘିଆପଡ଼ା, ଟିକରପଡ଼ା, ଶଗଡ଼ା, ଗୁନ୍ଦୁଲିଆ ଆଦି ଅଞ୍ଚଳ ସହ କଣ୍ଟାମାଳ ବ୍ଲକ୍ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ। ଗଞ୍ଜେଇ ଚାଷ ଓ ବ୍ୟାପକ ମଦ କାରବାର ବିଷୟରେ ସୂଚନା ଦେବାକୁ ହେଉଥିବା ଗ୍ରାମର ଜନପ୍ରତିନିଧି ଓ ସଚେତନ ନାଗରିକଙ୍କୁ ଅନୁରୋଧ କରାଯାଇଛି। ଗଞ୍ଜେଇ ଚାଷ ଜିଲ୍ଲାର ଏକ ସାମାଜିକ ବ୍ୟାଧିର ରୂପ ନେଇ ସାରିଥିବା ବେଳେ ଗରିବ ଚାଷୀ ଓ ବେକାର ଯୁବକମାନେ କମ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ ଲୋଭରେ ବିପଥଗାମୀ ହେଉଛନ୍ତି। ଏପରିକି କିଛି ବ୍ୟକ୍ତି ଚାଷ ପାଇଁ ଋଣ ନେଇ ଗଞ୍ଜେଇ ଚାଷର ବିନିଯୋଗ କରୁଥିବା ଜଣାଯାଇଛି। ତେଣୁ ଏଥିରୁ ନିବୃତ ରହିବାକୁ ଜନସାଧାରଣଙ୍କୁ ପ୍ରଶାସନ ଦ୍ବାରା ଅନୁରୋଧ କରାଯାଇଛି। ଉଦଘାଟନୀ ଉତ୍ସବରେ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/35-11.jpg)