ବିଜେ କାହାଳୀର ମାଙ୍ଗଳିକ ଧ୍ବନି ମହାପ୍ରଭୁ ବିଜେ ହେବାର ସଙ୍କେତ ଦିଏ। କାହାଳୀ ବାଜିବା ପରେ ଶ୍ରୀଜିଉ ପହୁଡ଼ ଯାଆନ୍ତି। ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରକୁ ବିଜେ କଲାବେଳେ ବି ସାଥିରେ ଥାଏ ବିଜେ କାହାଳୀ। ବର୍ଷକ ୩୬୫ ଦିନ ମଧ୍ୟରୁ ଅଣସର ସମୟକୁ ବାଦ ଦେଲେ ୩୫୦ ଦିନ କାହାଳୀ ସେବକ ନିୟୋଜିତ ହୁଅନ୍ତି। ସଂପ୍ରତି ୧୩ ଜଣ ଶାଢ଼ି ବନ୍ଧା କାହାଳିଆ ସେବକ ରହିଥିଲେ ହେଁ ରଥ ଉପରେ ସୁବାସ ଚନ୍ଦ୍ର ମହାନ୍ତି, ଅନିଲ କୁମାର ମହାନ୍ତି, ବିମଳ କୁମାର ମହାନ୍ତି ଏହି ସେବା ଯୋଗାଇ ଆସୁଛନ୍ତି। ଏହାବ୍ୟତୀତ କେବଳ ରଥଯାତ୍ରା ଦିନ ବଳଭଦ୍ରଙ୍କ ରଥରେ ଲୋକନାଥଙ୍କ କାହାଳିଆ ସେବକ ନିୟୋଜିତ ହେଉଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜେ କାହାଳୀ ଚାନ୍ଦିରେ ନିର୍ମିତ ହୋଇଥାଏ। କାହାଳୀର ଲମ୍ବ ୩୯ ଇଞ୍ଚ ବିଶିଷ୍ଟ ହୋଇଥିଲେ ହେଁ ଏହା ୪ ଖଣ୍ଡରେ ବିଭାଜିତ। ୪୦୦ ଗ୍ରାମ୍‌ ଲେଖାଏଁ ଓଜନ ବିଶିଷ୍ଟ ୩ଟି କାହାଳୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଥାଏ। ଗୋଟିଏ ସୁବାସ ଚନ୍ଦ୍ର ମହାନ୍ତିଙ୍କ ପାଖରେ ଥିବା ବେଳେ ଆଉ ଗୋଟିଏ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଓ ଅନ୍ୟଟି କମାଣ୍ଡରଙ୍କ ଦାୟିତ୍ବରେ ରହିଛି। ଚାରି ଖଣ୍ଡ ବିଶିଷ୍ଟ କାହାଳୀକୁ ପରସ୍ପର ସହ ଯୋଡ଼ି, ସଂଯୋଗ ସ୍ଥାନକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପିନ୍ଧା ବସ୍ତ୍ରରେ ଗୁଡ଼ାଇ ବାନ୍ଧିବା ପରେ ଏହାକୁ ବଜାଇବାର ବିଧି ରହିଛି।
ବିଜେ କାହାଳୀ ୪ ଖଣ୍ଡ ହେବା ପଛରେ ଏକ ଲୋକକଥା ରହିଛି। ଅତୀତରେ ଗଜପତି ମହାରାଜ ଯୁଦ୍ଧ କରିବାକୁ ଯିବା ବେଳେ ତାଙ୍କ ମା’ଙ୍କ ପାଇଁ କ’ଣ ଆଣିବେ ବୋଲି ପ୍ରଶ୍ନ କରିଥିଲେ। ଜବାବରେ ତାଙ୍କ ମା’ କହିଥିଲେ ମୋ ପାଇଁ ଗଙ୍ଗାଙ୍କୁ ଆଣିବୁ। ଗଜପତି ଯୁଦ୍ଧରେ ଜୟ ଲାଭ କରିବା ପରେ ମା’ଙ୍କ ପାଇଁ ଗଙ୍ଗାଙ୍କୁ ନେବା କଥା ମନେ ପଡ଼ିଯିବାରୁ ସେ ତପସ୍ୟାରତ ହେଲେ। ମହାମନ୍ତ୍ରୀଙ୍କୁ କହିଲେ, ମୋତେ ତପରୁ ଯିଏ ଉଠାଇବ ତାକୁ ମୋ ଖଡ୍‌ଗରେ ତିନି ଗଡ଼ କରିଦେବି।

Advertisment

ଗଜପତି ତପରେ ବସିଥିବା ବେଳେ ଶତ୍ରୁପକ୍ଷ ପୁନର୍ବାର ଆକ୍ରମଣ କରିବାରୁ ମହାମନ୍ତ୍ରୀ ବ୍ୟସ୍ତ ହୋଇ ପଡ଼ିଲେ। ଯଦିଓ ସୈନ୍ୟସାମନ୍ତ ଯୁଦ୍ଧ‌ କଲେ, କିନ୍ତୁ ପରାସ୍ତ ହେବାର ସମୟ ଉପଗତ ହେଲା। ତେଣୁ ଗଜପତିଙ୍କୁ ତପରୁ ଉଠାଇବା ପାଇଁ କାହାଳିଆଙ୍କୁ ଡକାଇ କାହାଳୀ ବଜାଗଲା। ରାଜା ତପ ଭଙ୍ଗ‌ ହେବାରୁ କାହାଳିଆଙ୍କୁ ଖଡ୍‌ଗରେ ଚୋଟ ପକାଇବାକୁ ଉଦ୍ୟତ ହୁଅନ୍ତେ ଚତୁର ମହାମନ୍ତ୍ରୀ କହିଲେ, କାହାଳିଆ ନୁହେଁ ବରଂ କାହାଳୀ ବାଜିବାରୁ ଆପଣଙ୍କ ତପ ଭଙ୍ଗ ହେଲା। ତେଣୁ ଗଜପତି କାହାଳୀକୁ ତିନିଖଣ୍ଡ କରିବାରୁ ଏହା ଚାରିଖଣ୍ଡ ହେଲା ବୋଲି କଥିତ ଅଛି। ରାତିରେ ମହାପ୍ରଭୁ ପହୁଡ଼ ଯିବା ବେଳେ କର୍ପୂର ଆଳତି ଓ ପିଠଉ ଆଳତି ହେଲେ ୪ଥର କାହାଳୀ ବାଜୁଥିବା ବେ‌ଳେ ପ୍ରତ୍ୟେକ ଯାନିଯାତ୍ରାରେ ବାହାର ବିଜେ ସମୟରେ କାହାଳୀ ବାଜିବାର ପରମ୍ପରା ରହିଛି। ତେବେ ରଥ ନିର୍ମାଣଠୁ ନେଇ ରଥ ଗଡ଼ିବା ଆରମ୍ଭ ହେଲେ କାହାଳୀ ବଜାଇବା ବେଳର ଉନ୍ମାଦନା ସବୁଠୁ ଭିନ୍ନ। ରଥ ନିର୍ମାଣ ଆରମ୍ଭ ତଥା ଅନୁକୂଳ ବେଳଠୁ କାହାଳୀ ସେବା ଆରମ୍ଭ ହୁଏ। ଅକ୍ଷୟତୃତୀୟାରେ ତିନି ରଥର କାଠ ଅନୁକୂଳ ହେବା ସମୟରେ, ଚକଡେରା ନୀତି ଦିନ କାହାଳୀ ବା‌ଜେ। ରଥ ପ୍ରତିଷ୍ଠା ପାଇଁ ସଂସ୍କାର ବେଳେ ତିନି ରଥରେ ଗୋଟିଏ ଲେଖାଏଁ ବିଜେ କାହାଳୀ ବାଜେ। ରଥଯାତ୍ରା ଦିନ ଶ୍ରୀଜିଉଙ୍କ ପହଣ୍ଡି ପୂର୍ବରୁ ଅଣସର ପିଣ୍ଡିରେ ମଙ୍ଗଳାର୍ପଣ ବେଳେ ଯେତେ ସଂସ୍କାର ହୁଏ ସେଠାରେ ୧୫ରୁ ୨୦ ଥର କାହାଳୀ ବାଜେ। ପରେ ଶ୍ରୀଜିଉଙ୍କ ପହଣ୍ଡି ପାଇଁ ଡୋରି ଲାଗିବା ପରେ ବିଜେ କାହାଳୀ ବାଜିବା ପରେ ରଥ ଘଣ୍ଟୁଆ ଘଣ୍ଟ ବଜାଇ ପହଣ୍ଡି ଆରମ୍ଭ କରନ୍ତି। ବଣିଆମାନଙ୍କ ଘରୁ ସୋଲ ଚିତା ଆଣିବା ବେଳେ ମଧ୍ୟ କାହାଳୀ ବାଜେ। ଗଜପତି ମହାରାଜଙ୍କର ସ୍ବତନ୍ତ୍ର କାହାଳିଆ ଥିଲେ ହେଁ ସେ କେବଳ ନଅର ମଧ୍ୟରେ କାହାଳୀ ବଜାଇ ଗଜପତିଙ୍କୁ ରଥ ପାଖରେ ଆଣି ପହଞ୍ଚାନ୍ତି। ଗଜପତି ରଥ ଉପରକୁ ଉଠିବା ବେଳେ କାହାଳିଆ ବିଜେ କାହାଳୀ ବଜାଇ ଥାଆନ୍ତି। ଛେରାପହଁରା ସାରି ଗଜପତି ରାଜନଅରକୁ ଫେରିବା ବେଳକୁ କାହାଳୀ ବାଜେ।

ଶ୍ରୀବଳଭଦ୍ରଙ୍କ ରଥରେ ଲୋକନାଥଙ୍କ କାହାଳିଆ ରହୁଥିବା ‌େବଳେ ଅନ୍ୟ ଦୁଇ ରଥରେ ଶ୍ରୀମନ୍ଦରେ ଶାଢ଼ିବନ୍ଧା କାହାଳିଆ ସେବା ଦିଅନ୍ତି। ରଥ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଯେଉଁଦିନ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପକୁ ବିଜେ କରନ୍ତି ସେଦିନ ରାଜାଙ୍କ ପ୍ରତିନିଧି ମୁଦିରଥ ପୁଷ୍ପାଞ୍ଜଳି ଦେବା ବେଳେ କାହାଳୀ ବାଜେ। ତେବେ ଏହି ସମୟରେ କେବଳ ଦେବୀସୁଭଦ୍ରାଙ୍କ ରଥରେ କାହାଳୀ ବାଜିବାର ପରମ୍ପରା ରହିଛି। ନୀଳାଦ୍ରି ବିଜେରେ ମଧ୍ୟ ଏହିଭଳି ନୀତି ସମ୍ପାଦିତ ହୁଏ। କାହାଳୀ ସେବା ଥରକରେ ତିନି ଥାକିଆ ହୋଇ ପ୍ରାୟ ୧ ମିନିଟ୍‌ ପର୍ଯ୍ୟନ୍ତ ବଜାଇହୁଏ। ଜ୍ବର, ଥଣ୍ଡା କି କାଶ ହେଲେ କାହାଳୀ ବଜାଇବା ସମ୍ଭବ ହୁଏ ନାହିଁ। ଏହାବ୍ୟତୀତ ବୟସର ଅପରାହ୍‌ଣ ପର୍ଯ୍ୟନ୍ତ ସବୁ ସେବା ଦେଇ ହେଉଥିଲେ ମଧ୍ୟ ଥରେ ଦାନ୍ତ ପଡ଼ିଗଲେ କାହାଳୀ ସେବା ସମ୍ଭବ ହୁଏନି। ଆଗରୁ ଏଥିପାଇଁ ଖେଇ ବାବଦରେ କୋରା, ଲଡ଼ୁ, ଅମ୍ବାଲୁ ମିଳୁଥିବା ବେଳେ ଏବେ ମାସକୁ ଦରମା ୧୦୦ ଟଙ୍କା। ଏହାବ୍ୟତୀତ ପାଳିଆ ପୁରସ୍କାର ବାବଦରେ ପ୍ରତିମାସରେ କିଛି ଅର୍ଥ ମିଳେ। ତେବେ ଟଙ୍କା ପାଇଁ ନୁହେଁ, ବରଂ ସେବା କରିବାର ସୁଯୋଗ ଯେ ମିଳିଛି , ତାହା ହିଁ କାହାଳିଆ ସେବକଙ୍କ ପାଇଁ ସବୁଠୁ ବଡ଼ ପାଉଣା।
ସୁବାସ ଚନ୍ଦ୍ର ମହାନ୍ତି
(କାହାଳିଆ ନିଯୋଗର କୋଷାଧ୍ୟକ୍ଷ)