ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥଟଣା ଦଉଡ଼ି

ପୁରୀ: ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ରଥଟଣା ଦଉଡି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପହଞ୍ଚିଛି। ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଏହି ରଥ ଦଉଡ଼ି ଯୋଗାଇ ଦିଆଯାଇଛି। ନିଗମ ରଥଯାତ୍ରା ପାଇଁ ମୋଟ ୨୦ଟି ଦଉଡ଼ି ଦେଇଛି। ଏଥିରୁ ୧୪ଟି ରଥଟଣା କାର୍ଯ୍ୟରେ ବ୍ୟବହୃତ ହେବ। ସେହିଭଳି ଅନ୍ୟ ୬ଟି ଦଉଡି କର୍ଡ଼ନ କାମରେ ଲାଗିବ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ରଥଯାତ୍ରା ଆଉ ୨୨ ଦିନ ପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଜୁନ୍‌ ୨୩ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। କରୋନା ଭାଇରସ ମୁକାବିଲା ପାଇଁ ଏଥର ମହାପ୍ରଭୁଙ୍କ ରଥଯାତ୍ରାରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିପାରିବେ ନାହିଁ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସୀମିତ ସେବାୟତଙ୍କ ଜରିଆରେ ରଥଯାତ୍ରା ସଂପନ୍ନ ହେବ।

ତେବେ ଆସନ୍ତାକାଲି ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଆଜି ତ୍ରୟୋଦାଶୀ ତିଥିରେ ସେନାପଟା ଲାଗି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ପହଣ୍ଡି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜି ଭୋର ସକାଳ ସାଢ଼େ ୪ଟାରେ କୋଠ ସୁଆଁସିଆ ବାହାରିଥିଲା। ୫ଟାରେ ଦଇତାପତି ସେନାପଟାଲାଗିକୁ ପ୍ରବେଶ କରିଥିଲେ। ସକାଳ ୧୦ଟାରେ ଏହି ନୀତି ଶେଷ ହୋଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟାର ମଙ୍ଗଳ ଆଳତି, ୧୦ଟା ୪୫ରେ ମଇଲମ ଓ ତଡ଼ପ ଲାଗି, ୧୧ଟା ୩୦ରେ ଅବକାଶ, ୧୧ଟା ୪୦ରେ ରୋଷହୋମ, ୧୧ଟା ୫୫ରେ ସୂର୍ଯ୍ୟପୂଜା, ୧୨ଟା ୧୦ରେ ଦ୍ୱାରପାଳ ପୂଜା, ୧୨ଟା ୩୦ରେ ବେଶଶେଷ ହୋଇଥିଲା।

ସମ୍ବନ୍ଧିତ ଖବର