କୋଣାର୍କରେ ରଥଯାତ୍ରା: ଉତ୍ସାହର ସହିତ ସାମିଲ ହେଲେ ଶତାଧିକ ପର୍ଯ୍ୟଟକ

ସୂର୍ଯ୍ୟମନ୍ଦିରକୁ ପ୍ରବେଶଶୁଳ୍କ ଛାଡ଼ ଯୋଗୁ ପ୍ରବଳ ଭିଡ଼, ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

କୋଣାର୍କ: ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ଅର୍କକ୍ଷେତ୍ରରେ ପ୍ରାଚୀନ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ଅବଧୁତ ମଠର ମଠାଧିଶ ଆଦିତ୍ୟଚରଣ ଦାଶ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମାକୁ ରଥାରୁଢ଼ କରାଇବା ପରେ ରଥଟଣା ଆରମ୍ଭ ହୋଇଥିଲା । ଜୟ ସୂର୍ଯ୍ୟନାରାୟଣ ନାରା ଦେଇ ସହସ୍ରାଧିକ ଶ୍ରଦ୍ଧାଳୁ  ମାନେ ରଥ ଟାଣିଥିଲେ । ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସମୟରେ ଶତାଧିକ ପର୍ଯ୍ୟଟକ ମାନେ ମଧ୍ୟ ଏଥିରେ ସାମିଲ ହୋଇ ରଥ ଟାଣିଥିଲେ । ଏହି  ସୂର୍ଯ୍ୟ ରଥଯାତ୍ରାକୁ ଓଡ଼ିଶା ସୌର ବ୍ରାହ୍ମଣ ପରିଷଦ ର କର୍ମକର୍ତା ମାନେ ପରିଚାଳନା କରିଥିଲେ। ସୂର୍ଯ୍ୟରଥଯାତ୍ରା ସହିତ ଆଜି ଗାୟତ୍ରୀ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିସାରିବା ପରେ ମଧ୍ୟାହ୍ନରେ ଚନ୍ଦ୍ରଭାଗାରେ ପହଞ୍ଚିଥିଲା। ସେଠାରେ ଏହି ରଥ ୨୭ ତିଥି ନକ୍ଷତ୍ରରେ ପୂଜାହେବା ପରେ ଆସନ୍ତା ମାଘସପ୍ତମୀ ତିଥିରେ ପୁଣି ଅବଧୁତ ମଠକୁ ବାହୁଡ଼ିବେ। ରଥଟଣା ଶେଷ ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସନ୍ନିକଟ ସୌର ମହାଯଜ୍ଞ ମଣ୍ଡପରେ ଚାଲିଥିବା ତ୍ରିଦିବସୀୟ ସୌରମହାଯଜ୍ଞ ପୀଠରୁ ଏକ ଶୋଭାଯାତ୍ର ବାହାରି ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲେ । ଅପରାହ୍ନରେ ସୌରମହାଯଜ୍ଞର  ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା । ଆଜି ଶନିବାରରେ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ପ୍ରବେଶଶୁଳ୍କ ଛାଡ଼ ହେବା ଫଳରେ ମନ୍ଦିରରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ତ୍ରିଦିବସୀୟସୌର ମହାଯଜ୍ଞକୁ ସୌର ମହାଯଜ୍ଞ କମିଟିର ଭାଗିରଥି ସ୍ବାଇଁ, ରମେଶନାୟକ, ରାମକୃଷ୍ଣ ମହାନ୍ତି,ବାବା ଶକ୍ତିଦେବ ଶତପଥି, ପ୍ରତାପ କାଣ୍ଡି,ରଘୁନାଥ ମହାପାତ୍ର , ପ୍ରିୟ ରଂଜନ ରଥ, କୁନାଲ ପାତ୍ର ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ଶାମ୍ବଦଶମୀ ପାଇଁ ଆଜି ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା । ଏହି ଅବସରରେ କୋଣାର୍କ ସୌରମହାଯଜ୍ଞ କମିଟି ପକ୍ଷରୁ ୨୧ ତାରିଖରୁ ତ୍ରିଦିବସୀୟ ସୌରମହାଯଜ୍ଞ ଆୟୋଜନ କରାଯାଇଥିଲା।

ଭଗବାନ କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ବଞ୍ଚାଇ ରଖିବା ଲକ୍ଷ୍ୟନେଇ ଶହଶହ ବର୍ଷ ଧରି ଶାମ୍ବଦଶମୀ ‌ଏକ ପାରମ୍ପାରିକ ପର୍ବ ଭାବେ  ପାଳନ ହୋଇ ଆସୁଛି ।

ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁ ମାନଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ଚନ୍ଦ୍ରଭାଗାରେ ସ୍ନାନ ସାରି ଶ୍ରଦ୍ଧାଳୁ ମାନେ ସୂର୍ଯ୍ର୍ୟପୂଜା କରିଥିଲେ । ସେଠାରୁ ଫେରି ଶ୍ରଦ୍ଧାଳୁ ମାନେ ନବଗ୍ରହପୀଠରେ ଗ୍ରହଶାନ୍ତି ରିଷ୍ଟକଷ୍ଟ ଖଣ୍ଡନ ପାଇଁ ପୂଜାର୍ଚ୍ଚନା କରିଥିଲେ । ଏଥି ସହିତ ଜଗନ୍ନାଥ ମନ୍ଦିର ସନ୍ନିକଟ ସୌରମହାଯଜ୍ଞ ପୀଠରୁ ହଜାରହଜାର ଜନସାଧାରଣ ଏକ ବିରାଟ ପଟୁଆରରେ ଘଣ୍ଟମର୍ଦ୍ଦଳ ଓ ସଂକୀର୍ତନ ଶୋଭାଯାତ୍ରାରେ ଯାଇ ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲେ ।

 

ସମ୍ବନ୍ଧିତ ଖବର