ଅନୁଗୁଳ: ଆନନ୍ଦ, ଉଲ୍ଲାସ ମଧ୍ୟରେ ଏକ ଭାବ, ଭକ୍ତିମୟ ପରିବେଶରେ ଶୈଳଶ୍ରୀକ୍ଷେତ୍ରରେ ଗଡିଛି ଜଗନ୍ନାଥଙ୍କ ରଥ। ଅଗଣିତ ଶ୍ରଦ୍ଧାଳୁଙ୍କ ଭାବ ରଜୁରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ତିଚାମନ୍ଦିରକୁ ଯାତ୍ରା କରିଛନ୍ତି। ଘଣ୍ଟ, ଘଣ୍ଟା, ଭଜନ, କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ କ˚ପି ଉଠିଛି ସାରା ସହର। ଅନୁକୂଳ ପାଗ ଆଜି ଭକ୍ତ ଓ ଭଗବାନଙ୍କ ମିଳନକୁ ସୁଗମ କରି ଦେଇଥିଲା। ଏପଟେ ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ଦାଣ୍ଡରେ ଭକ୍ତଙ୍କୁ ପାଖରେ ପାଇ ହଟିଆ ଠାକୁର ବି ବେଶ ହଟ କରିଥିଲେ। ଅଟକି ଅଟକି ଜନ୍ମ ବେଦୀକୁ ଯାତ୍ରା କରିଥିଲେ। ସତେ ଯେମିତି ଭକ୍ତଙ୍କ ମେଳରୁ ସେ ଯିବାକୁ ଚାହୁଁ ନ ଥିଲେ। କାଳିଆ ଠାକୁରଙ୍କ ରଥ ଗୁଣ୍ଡିଚାବାଡ଼ିରେ ପହଞ୍ଚିଲାବେଳକୁ ରାତି ୯ଟା ପାର୍ ହୋଇଯାଇଥିଲା। ଆସନ୍ତାକାଲି ସନ୍ଧ୍ୟାରେ ୩ ଠାକୁରଙ୍କୁ ପହଣ୍ଡି କରି ଜନ୍ମବେଦୀଙ୍କୁ ନିଆଯିବ।

Advertisment

publive-image
ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଆଜି ଭୋର ସାଢ଼େ ୩ଟାରେ ଦ୍ବାର ଫିଟା ହୋଇଥିଲା। ପରେ ଠାକୁରଙ୍କ ବିଭିନ୍ନ ରୀତିନୀତି ଶେଷ ହେବା ପରେ ରଥପ୍ରତିଷ୍ଠା କରାଯାଇଥିଲା। ୯ଟା ବେଳକୁ ଆରମ୍ଭ ହୋଇଥିଲା ପହଣ୍ଡି। ହରିବୋଲ, ହୁଳହୁଳି, ଘଣ୍ଟ, କାହାଳୀ ଧ୍ବନୀ ଭିତରେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିର ଛାଡ଼ି ବାହାରି ଆସିଥିଲେ ବଡ଼ଦାଣ୍ଡକୁ। ଶୁଖିଲା ପାଗ କାରଣରୁ ବହୁ ଭକ୍ତ ଠାକୁରଙ୍କ ପହଣ୍ଡି ଦେଖିବାକୁ ବଡଦାଣ୍ଡରେ ଠିଆ ହୋଇ ରହିଥିଲେ। ହଲି, ଦୋହଲି ଭକ୍ତଙ୍କ ମେଳରେ ତିନି ଠାକୁର ରଥାଋଢ ହୋଇଥିଲେ। ପରେ ରଥ ଉପରେ ଠାକୁରଙ୍କ ବିଭିନ୍ନ ନୀତି ହୋଇଥିଲା। ମଦନମୋହନ ରଥକୁ ବିଜେ ହୋଇଥିଲେ। ମଧ୍ୟାହ୍ନ ଗୋଟାଏ ବେଳେ ରଥରେ ଛେରା ପହଁରା କାର୍ଯ୍ୟ ସ˚ପାଦିତ ହୋଇଥିଲା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛେରାପହଁରା କରିଥିଲାବେଳେ ଏସପି ଜଗମୋହନ ମୀନା ପୁଷ୍ପ ପକାଇଥିଲେ। ଏହା ପରେ ରଥରୁ ଚାରମାଳ ଖୋଲାଯିବା ସହ ଅଶ୍ବ ବନ୍ଧା ଯାଇଥିଲା। ଅପରାହ୍ଣ ଠିକ୍ ୩ଟାରେ ଆରମ୍ଭ ହୋଇଥିଲା ରଥଟଣା।

publive-image

ପ୍ରଥମେ ବଡ଼ଠାକୁର ବଳଭଦ୍ର ରଥକୁ ଭକ୍ତମାନେ ଟାଣି ଗୁଣ୍ଡିଚାବାଡ଼ି ଆଡ଼କୁ ମୁହାଁଇଥିଲେ। ବଡ଼ଠାକୁର ଭକ୍ତଙ୍କ ଗହଳରେ ଆଗକୁ ଅଗକୁ ମାଡ଼ି ଚାଲିଥିଲେ। ବାଟରେ ଅଧିକ ବିଳମ୍ବ ନ କରି ସେ ସିଧା ଗୁଣ୍ଡିଚା ମନ୍ଦିର ମୁହାଁ ହୋଇଥିଲେ। ୩ଟା ୨୦ରେ ଦେବୀ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହୋଇଥିଲା। କେବଳ ମହିଳାମାନେ ଦେବୀଙ୍କ ରଥ ଟାଣିଥିଲେ। ହେଲେ କାଳିଆ ଠାକୁରଙ୍କ ରଥ ସେମିତି ରଥ ଚକଡାରେ ଠିଆ ହୋଇ ରହିଥିଲା। ଭକ୍ତଙ୍କ ମେଳରେ ବଡଦାଣ୍ଡରେ କାଳିଆ ଠିଆ ହୋଇ ଭାଇଭଉଣୀଙ୍କ ଯାତ୍ରା ଦେଖୁଥିଲା। ଅପରାହ୍ଣ ୩ଟା ୫୦ରେ ଜଗନ୍ନାଥଙ୍କ ରଥ ଗଡ଼ିଥିଲା। ଆଉ ସେତେବେଳକୁ ଶୈଳଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଭକ୍ତଙ୍କ ଗହଳିରେ ଉଛୁଳି ଉଠିଥିଲା। ଏପରିକି ରଥ ଟାଣିବା ନେଇ ବି ଆରମ୍ଭରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ରଥ ଟାଣିବା ନେଇ ଭକ୍ତଙ୍କ ଭିତରେ ଥିବା ଉତ୍ସାହ ଆଗରେ ପୁଲିସ ବି ଅସହାୟ ହୋଇ ପଡ଼ିଥିଲେ। ପରେ ଭକ୍ତଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଟିକେ ସ୍ବାଭାବିକ କରିଥିଲା ପୁଲିସ ଓ ମନ୍ଦିର ପ୍ରଶାସନ। ଆଉ ଅସଂଖ୍ୟ ଲୋକଙ୍କ ଭିଡ଼ ଭିତରେ ଘୋର ଘର୍ଘର ନାଦ କରି ଧୀରେ ଧୀରେ ଆଗକୁ ବଢିଥିଲେ କାଳିଆ ଠାକୁର। କିନ୍ତୁ ବିଲକୁଲ ତରବର ନ ଥିଲେ କାଳିଆ ସାଆନ୍ତ। ଟିକେ ଯାଇ ଅଟକି ଯାଉଥିଲେ। ଇଆଡ଼େ ସିଆଡ଼େ ଆଖି ବୁଲେଇ ଆଗକୁ ଯାଉଥିଲେ। କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ରଥଯାତ୍ରା ବନ୍ଦ ଥିବାରୁ ଏଥର ଭକ୍ତଙ୍କ ଉତ୍ସାହ ଅଧିକ ଥିଲା। ଆଉ ଠାକୁରଙ୍କ ବି ଭକ୍ତଙ୍କ ଭାବରେ ବନ୍ଧା ପଡ଼ି ଯାଇଥିଲେ।

publive-image
କୋର୍ଟ ପାଖରେ ଜିଲ୍ଲା ଜଜ୍ ଠାକୁରଙ୍କୁ ଭୋଗ ଲଗାଇଥିଲାବେଳେ ଥାନା ପାଖରେ ଏସପି ଭୋଗ ଲଗାଇଥିଲେ। ଏଥିପାଇଁ ରଥ କିଛି ସମୟ ଅଟକିଥିଲା। ଏହା ପରେ ସନ୍ଧ୍ୟାରେ ଯାଇ ଗୁଣ୍ଡିଚାବାଡ଼ିରେ ଲାଗିଥିଲା। ବଳଭଦ୍ର ଓ ସୁଭଦ୍ରା ଆଗୁଆ ପହଞ୍ଚି ଯାଇଥିଲାବେଳେ ଜଗନ୍ନାଥଙ୍କ ରଥ ଗୁଣ୍ଡିଚାବାଡ଼ିରେ ପହଞ୍ଚିଲାବେଳକୁ ରାତି ୯ଟା ୧୫ ବାଜି ଯାଇଥିଲା। ଗୁଣ୍ଡିଚାବାଡ଼ିରେ ଅଟକି ରଖିଥିବା ରଥ ପାଖରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି। ଏପଟେ ପୁଲିସ ପକ୍ଷରୁ ରଥଗୁଡିକର ସୁରକ୍ଷା ପାଇଁ ଫୋର୍ସ ମୁତୟନ କରାଯାଇଛି।
ଅନୁଗୁଳରେ ଦୁଇ ତିନି ଦିନ ହେଲା ଖରା ହେଉଥିଲାବେଳେ ଆଜି ସକାଳୁ ମଧ୍ୟ ପାଗରେ ପରିବର୍ତ୍ତନ ହୋଇ ନ ଥିଲା। ଟାଣଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସମସ୍ତେ ଛଟପଟ ହେଉଥିଲେ। କିନ୍ତୁ ମଧ୍ୟାହ୍ନରୁ ଅଚାନକ ବଦଳି ଯାଇଥିଲା ପାଗ। ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ଛିଡା କରିବାକୁ ଚାହୁଁ ନ ଥିଲା ଖରା। ପାଗ ମେଘୁଆ ହେବା ସହ ହାଲକା ପବନ ‌ବହିଥିଲା। ଏଥିପାଇଁ ମଧ୍ୟାହ୍ନ ପରେ ରାତି ପର୍ଯ୍ୟନ୍ତ ଭିଡ ଅସମ୍ଭାଳ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରଥଟଣା ପୂର୍ବରୁ ଜାତୀୟ ରାଜପଥରୁ ଟ୍ରାଫିକ ହଟାଯିବା ସହ ଏହାକୁ ସିଲ କରି ଦିଆ ଯାଇଥିଲା।