ପୁରୀ : ଚଳିତ ରଥଯାତ୍ରାରେ ଥରେ ନୁହେଁ, ବାରମ୍ବାର ବିଶୃଙ୍ଖଳା ଘଟିଲାଣି। କେତେବେଳେ ରଥ ପହଞ୍ଚିବାରେ ବିଳମ୍ବ ହେଲାଣି ତ କେତେବେଳେ ରଥ ଉପରେ ସଂଖ୍ୟାଠାରୁ ଅଧିକ ସେବକ ଚଢ଼ି ଭକ୍ତଙ୍କୁ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ କଲେଣି। ଏତିକିରେ ମନ ପୂରିଲାନି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ଗୁରୁତର ତ୍ରୁଟି ଘଟିଲା। ପହଣ୍ଡି ବେଳେ ଚାର ଉପରେ ପଡ଼ିଗଲେ ମହାପ୍ରଭୁ। ଏହା ଭକ୍ତଙ୍କ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଆଉ କେତେ ଅଘଟଣ ପରେ ସେବକ ଓ ପ୍ରଶାସନ ଚେତିବେ ବୋଲି ପ୍ରଶ୍ନ କରିଛନ୍ତି। ନୂଆ କରି ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ଦାୟିତ୍ବ ଗ୍ରହଣ କରିଥିବା ବେଳେ ସେ ଏ ଦିଗରେ କାହିଁକି ନିରବ ବୋଲି ଭକ୍ତ ମହଲରୁ ପ୍ରଶ୍ନ ଉଠିଲାଣି।

Advertisment

publive-image

ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥାବଳି ଲାଗୁ କରିଛି। ଏହି ବ୍ୟବସ୍ଥାବଳି ଆଧାରରେ ସେବକ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କରିବେ, ସେ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ପହଣ୍ଡି ବେଳେ କିଏ ରହିବେ, ରଥ ଗଡ଼ିବା ବେଳେ ରଥ ଉପରେ କେତେ ଜଣ ସେବକ ରହିବେ, ବ୍ୟବସ୍ଥାବଳିରେ ସବୁ ଉଲ୍ଲେଖ ରହିଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ଏହି ବ୍ୟବସ୍ଥାବଳିକୁ ଦଳିଚକଟି ଦେଇଛନ୍ତି ସେବକ। ଯେଉଁଠି ନନ୍ଦିଘୋଷ ରଥରେ ୭୦ ଜଣ ସେବକରେ ରଥ ଗଡ଼ିବା କଥା, ସେଠି ରଥ ଉପରେ ଶହ ଶହ ଚଢ଼ି ଭକ୍ତଙ୍କ ମୁକ୍ତ ଦର୍ଶନକୁ ଅବରୋଧ କରିଛନ୍ତି। ସେବା ନ ଥାଇ ବି ପିଲାଠାରୁ ବୁଢ଼ା, ସମସ୍ତେ ରଥ ଉପରେ ଚଢ଼ି ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ କରିଛନ୍ତି। ସେପଟେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସବୁ ରଥ ବାରମ୍ବାର ଡାହାଣ କଡ଼ ମାଡ଼ି ଚାଲିବା ଦେଖିବାକୁ ମିଳିଥିଲା। ଅତ୍ୟଧିକ ସେବକ ରଥ ଉପରେ ଚଢ଼ିବାରୁ ଏଭଳି ଘଟଣା ଘଟିଲା ଓ ତିନି ରଥ ନିର୍ଦ୍ଧାରିତ ସମୟରେ ଶରଧାବାଲିରେ ପହଞ୍ଚି ନ ପାରିବାର ଏହା ଏକ କାରଣ ବୋଲି ଚର୍ଚ୍ଚା ହେଉଛି।

publive-image

ସେପଟେ ସେବକମାନେ ଠେକେରା ବାଡ଼ରେ ବସିବା ସହ ପାର୍ଶ୍ବ ଦେବାଦେବୀଙ୍କ ଉପରେ ପାଦ ରଖି ରଥଯାତ୍ରା କରିଛନ୍ତି। ଭକ୍ତଙ୍କ ଉପରକୁ ନଡ଼ିଆ, ତୁଳସୀ ଆଦି ଫିଙ୍ଗିଛନ୍ତି। ଏହା ବି ବ୍ୟବସ୍ଥାବଳି ବାହାରେ। ଏ ଚିତ୍ର ସାମାଜିକ ଗଣମାଧ୍ୟମରେ ବୁଲୁଛି। ଏତିକିରେ ମନ ବୁଝିଲାନି ଯେ ଦୁଇଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ବି ନୀତିକାନ୍ତିରେ ଅହେତୁକ ବିଳମ୍ବ କରାଗଲା। ମହାପ୍ରଭୁଙ୍କୁ ଉପାସରେ ରଖାଗଲା। ସକାଳ ଗୋପାଳବଲ୍ଲଭ ନୀତି ଅପରାହ୍ଣରେ ଦିଆଗଲା। ରଥ ପହଞ୍ଚିବାର ୪ ଘଣ୍ଟା ବିଳମ୍ବରେ ନୀତି ଆରମ୍ଭ ହେଲା। ଏହାର ଦିନକ ପରେ ପୁଣି ଆଡ଼ପ ପହଣ୍ଡି ବେଳେ ବିଶୃଙ୍ଖଳା ଦେଖାଦେଇଥିଲା। ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଏହି ସମୟରେ ଚାରମାଳ ଉପରେ ଶ୍ରୀଜଗନ୍ନାଥ ଡାହାଣ ପାର୍ଶ୍ବକୁ ପଡ଼ି ଯାଇଥିଲେ। ଯେଉଁଥିପାଇଁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଚିତା ବି ଖସି ପଡ଼ିଥିଲା। ବର୍ଷାରେ ଚାରମାଳ ଓଦା ହୋଇଯାଇଥିବାରୁ ସେବକମାନଙ୍କ ଗୋଡ଼ ଖସି ଏଭଳି ଘଟଣା ଘଟିଲା ବୋଲି ସେବକମାନେ ସଫେଇ ଦେଇଛନ୍ତି।

publive-image

ଅଭିଯୋଗ ଉଠିଛି, ପହଣ୍ଡିବେଳେ ବହୁ ଅନଭିଜ୍ଞ ଯୁବ ଦଇତାପତି ରଥ ଉପରେ ଚଢ଼ିଥିଲେ। ଯେଉଁମାନେ ପ୍ରଥମ ଥର ପହଣ୍ଡି କରୁଥିଲେ। ସେମାନଙ୍କ ଭୁଲ୍‌ କାରଣରୁ ଏଭଳି ଘଟିଗଲା ବୋଲି କେତେକ ମତ ଦେଇଛନ୍ତି। ଏହାକୁ ନେଇ ଦଇତାପତିମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବି ବସିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ଭକ୍ତ ମହଲକୁ କିନ୍ତୁ ଏହା ଗଭୀର ଆଘାତ ଦେବା ସହ ଆନ୍ଦୋଳିତ କରିଛି। କିନ୍ତୁ କୌଣସି ବିଘ୍ନର ଏହା ପୂର୍ବାଭାଷ ବୋଲି ଭକ୍ତ ମହଲ ଆଶଙ୍କା ବ୍ୟକ୍ତ କରିଛନ୍ତି।

publive-image

ଅନ୍ୟପଟେ, ଆଶା କରାଯାଉଥିଲା ଯେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଆଗଲେ, ଶ୍ରୀମନ୍ଦିର ବିଶୃଙ୍ଖଳାରେ ସୁଧାର ଆସିବ। ରଥଯାତ୍ରା ପୂର୍ବରୁ ନୂଆ ମୁଖ୍ୟ ପ୍ରଶାସକ ଭାବେ ରଂଜନ କୁମାର ଦାସ କାର୍ଯ୍ୟରେ ଯୋଗ ଦେଇଛନ୍ତି। ହେଲେ ଏତେ ସବୁ ଅଘଟଣ ସଂପର୍କରେ ସେ ଅସମ୍ଭବ ନିରବ ରହୁଛନ୍ତି। ଏଯାଏ ପରିଚାଳନା କମିଟି ବୈଠକ ଡାକି କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ତନାଘନା ବି ହୋଇନାହିଁ। ମହାପ୍ରଭୁଙ୍କ କାର୍ଯ୍ୟରେ ବିଶୃଙ୍ଖଳାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରଶୟ ଦେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେବା ଘଟଣା ଆଗାମୀ ଦିନରେ ସରକାର ବିରୋଧରେ ଜନମତ ସୃଷ୍ଟି କରିବାରେ ସହାୟକ ହୋଇପାରେ, ଏ ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ।