ରଥଯାତ୍ରା ହେଲା… ନୂଆ ଇତିହାସ ବି ଲେଖାଗଲା… ହେଲେ… ବୁଝିଲାନି ଭକ୍ତର ମନ

ପୁରୀ: ବର୍ଷକୁ ଥରେ ଆଜି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପରମ୍ପରା ଓ ପ୍ରତିଶ୍ରୁତିର ରକ୍ଷା ନିମନ୍ତେ ବିଶ୍ୱ ନିଅନ୍ତା କାଳିଆ ଠାକୁର ସଙ୍ଗରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ରତ୍ନ ସିଂହାସନ ଉପରୁ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ ଲକ୍ଷ ଲକ୍ଷ ପତିତଜନଙ୍କୁ ଉଦ୍ଧରିବା ପାଇଁ। ଅନେକ କାରଣ ପାଇଁ ମହାପ୍ରଭୁଙ୍କର ଏହି ନବ ଦିନାତ୍ମକ ରଥଯାତ୍ରାର ରହିଛି ଅନେକ ବୈଶିଷ୍ଟ୍ୟ, ଅନେକ ସ୍ୱାତନ୍ତ୍ର୍ୟ। କାରଣ, ଭକ୍ତର ଭାବରେ ବନ୍ଧା ଭାବବିନୋଦିଆ ଠାକୁର ଯେତେବେଳେ ରଥାରୂଢ଼ ହେବା ପାଇଁ ପହଣ୍ଡିରେ ଆସନ୍ତି ବଡ଼ଦାଣ୍ଡ ଉପରକୁ ସେତେବେଳେ ଘଟେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହାମିଳନ। ସିଂହଦ୍ୱାରରେ ବିଜେକାହାଳୀ ବାଜି ଉଠିବା ମାତ୍ରେ ଘଣ୍ଟଘଣ୍ଟା ଆଉ ହରିବୋଲ ଧ୍ୱନି ମଧ୍ୟରେ ମଣିମା, ମହାବାହୁ ଡାକରେ ନିନାଦିତ ହୋଇଉଠେ ଗଗନ ପବନ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ବିଶ୍ୱର କୋଣ ଅନୁକୋଣରୁ ଧାଇଁ ଆସନ୍ତି ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡ ଉପରକୁ ମହାପ୍ରଭୁଙ୍କର ଗୋଟିଏ ଝଲକ ପାଇବା ସହ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରି ଜନ୍ମଜନ୍ମାନ୍ତରରୁ ମୋକ୍ଷପ୍ରାପ୍ତି ଆଶାରେ। ସମୁଦ୍ରର ଢ଼େଉ ସଦୃଶ ବଡ଼ଦାଣ୍ଡ ଉପରେ ଲହଡ଼ି ଭାଙ୍ଗୁଥାଏ ଏକ୍ଷାଧିକ ଭକ୍ତଙ୍କ ଗହଳି। ତିଳ ଧାରଣ ପାଇଁ ସୁଦ୍ଧା ସ୍ଥାନର ଅଭାବ ପଡ଼େ ବଡ଼ଦାଣ୍ଡ ଉପରେ। କି ଅପୂର୍ବ ସେ ଦୃଶ୍ୟ! କି ଭାବ ସେ ବନ୍ଧନରେ !! ଅବର୍ଣ୍ଣନୀୟ !!!

ଲକ୍ଷାଧିକ ଭକ୍ତଙ୍କ ଗହଳି ମଧ୍ୟରେ ବଡ଼ଦାଣ୍ଡ ଉପରେ ଆଗରେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ନନ୍ଦିଘୋଷରେ କାଳିଆ ସାଆନ୍ତ ଜଗନ୍ନାଥ ବିଜେ ହୋଇ ଯେତେବେଳେ ଜନ୍ମବେଦୀ ଅଭିମୁଖେ ମାଉସୀ ମା’ ମନ୍ଦିର ଅଭିମୁଖେ ଘୋର ଘର୍ଘର ନାଦ ମଧ୍ୟରେ ଆଗେଇ ଚାଲନ୍ତି ସେତେବେଳେ ରଥ କହେ ମୁଁ ବଡ଼; ପଥ କହେ ମୁଁ ବଡ଼। ହେଲେ, ସବୁରି ଉପରି କିନ୍ତୁ ଥାଆନ୍ତି ମହାବାହୁ।

ଆଜି ବି ଜଗନ୍ନାଥ ଧାମ ପୁରୀରେ ଅନୁଷ୍ଠିତ ହୋଇ ଯାଇଛି ରଥଯାତ୍ରା। ହେଲେ, ଆଜିର ରଥଯାତ୍ରା ସୃଷ୍ଟି କରିଛି ଏକ ନୂଆ ଇତିହାସ। କାରଣ, କରୋନା ମହାମାରୀ ପରିପ୍ରେକ୍ଷୀରେ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଆଜିର ରଥଯାତ୍ରାର ଆୟୋଜିତ ହୋଇଛି ଭକ୍ତଶୂନ୍ୟ ଭାବେ। କେବଳ ମାତ୍ର କିଛି ସେବାୟତ ଓ ନିର୍ଦ୍ଦିଷ୍ଟ ପ୍ରଶାସକଙ୍କ ଗହଣରେ। ଭକ୍ତମାନେ ଭଗବାନଙ୍କ ସାନ୍ନିଧ୍ୟରୁ ବଞ୍ଚିତ ହୋଇ ଅବାରିତ ଭାବେ ଆଖିରୁ ଝରାଇଛନ୍ତି ଲୋତକର ଧାରା।

ତଥାପି ଧାର୍ଯ୍ୟ ସମୟ ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ବଢ଼ିବା ସହ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜା ମଧ୍ୟ ତାଙ୍କର ଛେରାପହଁରା ନୀତିକୁ ସୁଚାରୁ ରୂପେ ସମାପନ କରିଛନ୍ତି। ସେହିପରି ମଙ୍ଗଳ ଆଳତି ଠାରୁ ଆରମ୍ଭ କରି ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ, ବଲ୍ଲଭ ଓ ସକାଳଧୂପ, ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ସମୟ ନିର୍ଘଣ୍ଟ ଅନୁଯାୟୀ ଶେଷ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା ସକାଳ ୭ଟା ୨୫ ମିନିଟ ସମୟରେ ଓ ଶେଷ ହୋଇଥିଲା ୯ଟା ୧୦ ମିନିଟରେ। ଏହାପରେ ମଦନମୋହନ ବିଜେ ରଥ ଉପରକୁ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ୧୦ଟା ୩୫ରୁ ୧୧ଟା ୪୦ ପର୍ଯ୍ୟନ୍ତ କରିଥିଲେ ଛେରାପହଁରା। ଏହାପରେ ତିନିରଥ ଆଗପଛ ହୋଇ ବଡ଼ଦାଣ୍ଡ ଉପରେ ଗଡ଼ି ଯାଇ ପହଞ୍ଚିଥିଲେ ମାଉସୀ ମା’ ମନ୍ଦିର ସମ୍ମୁଖରେ। କିନ୍ତୁ, ଭକ୍ତ ବିନା ବଡ଼ଦାଣ୍ଡ ଲାଗୁଥିଲା ଖାଁ ଖାଁ… ଶ୍ରୀଜିଉମାନଙ୍କର ମୁଖମଣ୍ଡଳ ଲାଗୁଥିଲା ଉଦାସିଆ ଉଦାସିଆ…!

ରଥଯାତ୍ରା ହେଲା… ପରମ୍ପରା ରକ୍ଷା ହେଲା… ପ୍ରତିଶ୍ରୁତି ରହିଲା… ଚଳିତ ବର୍ଷର ରଥଯାତ୍ରା ମଧ୍ୟ ରଚନା କଲା ନୂଆ ଏକ ଇତିହାସ। ହେଲେ, ସବୁରି ଉର୍ଦ୍ଧ୍ୱରେ ବଞ୍ଚିତ ରହିଗଲେ ଭକ୍ତ… ସେଥିପାଇଁ ଭକ୍ତ ଆଜି ଉର୍ଦ୍ଧ୍ୱବାହୁ ହୋଇ ପ୍ରାର୍ଥନା କରୁଛି… ହେ ମହାବାହୁ! ରଥଯାତ ହେଉ… ଫି’ ବର୍ଷ ହେଉ… କିନ୍ତୁ ସେଥିରେ ସାମିଲ ହେବାର ସୁଯୋଗରୁ ବଞ୍ଚିତ କରନି ଆମକୁ… ତୁମ ବିନା ଆମେ ଅପୂର୍ଣ୍ଣ… ସ୍ଥିତି ହୀନ…!

ସମ୍ବନ୍ଧିତ ଖବର