ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ସୁସମ୍ପାଦନ କରିବା ନିମନ୍ତେ ଆସନ୍ତାକାଲି ବସିବ ଦ୍ୱିତୀୟ ରଥଯାତ୍ରା ସମନ୍ବୟ ବୈଠକ। ସୋମବାର ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟ ଉପରେ ଆଲୋଚନା କରାଯିବ।
ବିଶେଷ କରି ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଯୋଗାଣ, ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟବସ୍ଥା, ଆବଶ୍ୟକୀୟ ରଥ କାଠ, ରଥ ନିର୍ମାଣ, ବିଭିନ୍ନ ବନଖଣ୍ଡରେ ଥିବା କାଠର ତାଲିକା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏଥିସହ ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଶାନ୍ତିଶୃଙ୍ଖଳା ରକ୍ଷା, ଆଇନଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପୁଲିସ ମୁତୟନ ବ୍ୟବସ୍ଥା , ସିସିଟିଭି କ୍ୟାମେରା ଲଗାଇବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆଦି ଉପରେ ବୈଠକରେ ଆଲୋଚନା ହେବ।