ମହାପ୍ରଭୁଙ୍କୁ ନେଇ ବେପାର! : ଟିଭି ପ୍ରସାରଣ ନେଇ ବିବାଦ ଜୋର୍‌ ଧରିଲା

ପରିଚାଳନା କମିଟି ଜାଣିନି, ସରକାରଙ୍କ ଅନୁମତି ନାହିଁ, ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ଏଭଳି ନିଷ୍ପତ୍ତି: ମୁଖ୍ୟ ପ୍ରଶାସକ

ପୁରୀ : ପତିତଜନକୁ ଦର୍ଶନ ଦେବା ଲାଗି ବର୍ଷକରେ ଥରେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି। ରଥାରୁଢ଼ ହୋଇ ଦର୍ଶନ ଦିଅନ୍ତି ଭକ୍ତଙ୍କୁ। ଯେଉଁଥି ପାଇଁ ପ୍ରତିବର୍ଷ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୁଏ। ଭିଡ଼ରେ ଦର୍ଶନରୁ ବଞ୍ଚିତ ହେଉଥିବା ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଭକ୍ତମାନେ ଟେଲିଭିଜନ୍‌ ପରଦାରେ ରଥଯାତ୍ରାର ସିଧା ପ୍ରସାରଣ ଦେଖି ଆତ୍ମତୃପ୍ତି ଲାଭ କରିଥାନ୍ତି। ବିଦେଶରେ ରହୁଥିବା ଭକ୍ତମାନେ ବି ସିଧା ପ୍ରସାରଣ ଜରିଆରେ ରଥଯାତ୍ରା ତଥା ରଥାରୁଢ଼ ମହାପ୍ରଭୁଙ୍କୁ ଅତି ନିକଟରୁ ଦେଖିବାର ସୌଭାଗ୍ୟ ଅର୍ଜନ କରନ୍ତି। ଭକ୍ତମାନଙ୍କର ଏହି ଅଧିକାରକୁ ଛଡ଼ାଇ ନେବାକୁ ଅପଚେଷ୍ଟା ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଟେଲିଭିଜନ୍ ପରଦାରେ ରଥଯାତ୍ରାର ସିଧା ପ୍ରସାରଣ ଉପରେ ରୋକ୍ ଲଗାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି ପାଇଁ ଚାଲିଛି ଚକ୍ରାନ୍ତ। ନା ଏ ସଂପର୍କରେ ଗଜପତି ଜାଣିଛନ୍ତି, ନା ଶ୍ରୀମନ୍ଦିର ପରିଚାଳନା କମିଟି। କାହାକୁ କିଛି ନଜଣାଇ ବିନା ଅନୁମୋଦନ‌ରେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତି ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ବିଭିନ୍ନ ମହଲରେ ଏହି ଘଟଣାକୁ ତୀବ୍ର ବିରୋଧ କରାଯାଇଛି।

ଗତ ୪ ତାରିଖରେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଚିଠି (ନଂ-୫୯୧୭/୪.୬.୨୦୧୯) କରିଛି। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ବିନା ଅନୁମତିରେ କୌଣସି ପରିସ୍ଥିତିରେ ବୈଦ୍ୟୁତିକ ଗଣମାଧ୍ୟମମାନେ ଚଳିତ ରଥଯାତ୍ରାର ସିଧା ପ୍ରସାରଣ କରିପାରିବେନି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯିବ। ସିଧା ପ୍ରସାରଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ଆବେଦନପତ୍ର ସହ ବିଡ୍ ଦର ଉଲ୍ଲେଖ କରି ଆସନ୍ତା ୧୦ ତାରିଖ ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବେ। ସେହିଦିନ ହିଁ ଆବେଦନପତ୍ର ଓ ବିଡ୍ ଖୋଲି କିଏ ସିଧା ପ୍ରସାରଣ ପାଇଁ ଯୋଗ୍ୟ ତାହା ଉପରେ ନିଷ୍ପତ୍ତି ନିଆଯିବ।

ଚୟନ ତାଲିକାରେ ରହିଥିବା ଆବେଦନକାରୀମାନେ ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ଟଙ୍କା ଜମା ଦେଲା ପରେ ସିଧା ପ୍ରସାରଣର ଅନୁମତିପତ୍ର ପାଇବେ। ବୈଦ୍ୟୁତିକ ଗଣମାଧ୍ୟମଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୯ଟି ସର୍ତାବଳୀ ବି ରଖିଛି। ନିଜସ୍ବ ଖର୍ଚ୍ଚରେ ସିଧା ପ୍ରସାରଣ ସହ ଏହାର ଭିଡିଓ କ୍ଲିପିଂ ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ସର୍ତ ରଖାଯାଇଛି। ଯଦି ଶ୍ରୀମନ୍ଦିର ପ୍ରଶାସନ କିଛି ସୂଚନା ଦେବାକୁ ଚାହିଁବେ, ତେବେ ସଂପୃକ୍ତ ଗଣମାଧ୍ୟମ ତତକ୍ଷଣାତ୍ ଏହାକୁ ପ୍ରସାରଣ କରିବା ଲାଗି କୁହାଯାଇଛି। ଦୂରଦର୍ଶନକୁ ବିନା କୌଣସି ଦେୟରେ ସିଧା ପ୍ରସାରଣ ଦେବାକୁ ନିର୍ଦେଶ ଦିଆଯାଇଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଚିଠି କରିଛି, ସେଥିରେ ଅନୈତିକ କାର୍ଯ୍ୟ ବଢ଼ିବା ନେଇ ଆଶଙ୍କା ଜାତ ହୋଇଛି। କାରଣ ସର୍ବାଧିକ ବିଡ୍ ପକାଇଥିବା ‌ବୈଦ୍ୟୁତିକ ଗଣମାଧ୍ୟମ ସିଧା ପ୍ରସାରଣ ପାଇଁ ଯୋଗ୍ୟ ବିବେଚିତ ହେବେନି। ଯେଉଁମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚୟନ ତାଲିକାରେ ରଖିବ, ସେହିମାନେ ହିଁ ସିଧା ପ୍ରସାରଣର ଅଧିକାର ପାଇବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏପରି କରି ଶ୍ରୀମନ୍ଦିର ପ୍ରଶାସନ ସିଧା ପ୍ରସାରଣକୁ ଅବାଟରେ ନେବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଯଦି ନିର୍ଦ୍ଦିଷ୍ଟ କିଛି ବୈଦ୍ୟୁତିକ ଗଣମାଧ୍ୟମଙ୍କୁ ସିଧା ପ୍ରସାରଣର ଅଧିକାର ମିଳେ ସେମାନେ ମନମାନି କରିବାର ବି ଆଶଙ୍କା ରହିଛି। ନିଜସ୍ବ ସ୍ବାର୍ଥ ପାଇଁ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିବେ। ଏପରି ହେଲେ ମହାପ୍ରଭୁଙ୍କୁ ନେଇ ରହିଥିବା ଧାର୍ମିକ ଭାବନା ପ୍ରତି କୁଠାରାଘାତ ସଦୃଶ ହେବ। କାରଣ ଆଗରୁ ସବୁ ବୈଦ୍ୟୁତିକ ଗଣମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ ହେଉଥିଲା। କେହି ସେପରି ମନମାନି କରିବାକୁ ସାହସ କରୁନଥିଲେ। ଯଦି ଏହାକୁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସାୟୀକରଣ କରିଦିଏ ତେବେ ବୈଦ୍ୟୁତିକ ଗଣମାଧ୍ୟମମାନଙ୍କର ମନମାନି ଯଥେଷ୍ଟ ବଢ଼ିଯିବ। ଯାଦ୍ବାରା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ଶ୍ରୀମନ୍ଦିର ପ୍ରଶାସନ କିଛି ନିଷ୍ପତ୍ତି ନେବା ପୂର୍ବରୁ ଗଜପତି ମହାରାଜ, ପରିଚାଳନା କମିଟିର ଅନୁମତି ନେବା କଥା। ମୁଖ୍ୟମନ୍ତ୍ରୀ, ଆଇନ ବିଭାଗର ଅନୁମତି ବି ରହିଛି। କିନ୍ତୁ ଏ ସଂପର୍କରେ ପରିଚାଳନା କମିଟି ସାମାନ୍ୟତମ ସୂଚନା ପାଇନଥିବା ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି। ପୁରୀ ସଚେତନ ନାଗରିକ ମଞ୍ଚ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ନିଷ୍ପତ୍ତିରୁ ଓହରିବାକୁ ମଞ୍ଚର ସଭାପତି ପ୍ରସନ୍ନ କୁମାର ଦାଶ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଭକ୍ତଙ୍କୁ ଅଣଦେଖା କରି ଏପରି ନିଷ୍ପତ୍ତି ନିଆଯିବା ନିନ୍ଦନୀୟ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର