ପୁରୀ: ବଡ଼ଦାଣ୍ଡକୁ ମନଇଛା ଖୋଳିଦେଲ। ବଡ଼ ବଡ଼ ଗାତ କରିଦେଲ। ରଥଯାତ୍ରା କେମିତି ହେବ? ରଥ ଦବିବନି ବୋଲି କିଏ ଲିଖିତ ପ୍ରତିଶ୍ରୁତି ଦେବ? କାହିଁକି ଏଭଳି ଅବ୍ୟବସ୍ଥା? ଆଜି ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକରେ ପ୍ରଶାସନିକ ଅଧିକାରୀଙ୍କୁ ଏଭଳି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ସେବାୟତ। କହିଛନ୍ତି ଯେ ମୁଣ୍ଡ ଉପରେ ରଥଯାତ୍ରା। କିନ୍ତୁ ବଡ଼ଦାଣ୍ଡ ଯେଉଁ ଅବସ୍ଥାରେ ପଡ଼ିଛି, ରଥଯାତ୍ରାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ଜଳଜଳ ଦିଶୁଛି। ଯଦି ରଥଯାତ୍ରାରେ କିଛି ବିଘ୍ନ ଘଟେ, ମହାପ୍ରଭୁ କାହାରିକୁ କ୍ଷମା ଦେବେନି। ଏହି ଅବସରରେ ସେବାୟତମାନେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ନେଇ ବିଷୋଦ୍ଗାର କରିଛନ୍ତି। ପ୍ରକଳ୍ପ ଠିକ୍ କାର୍ଯ୍ୟକାରୀ ହେଉନଥିବାରୁ ଆଗାମୀ ଦିନରେ ରଥ ପାଇଁ କାଠର ଅଭାବ ଦେଖାଦେବ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଦାବି ହୋଇଥିଲା। ଘଟଣାର ଗମ୍ଭୀରତାକୁ ଦେଖି କେନ୍ଦ୍ରାଞ୍ଚଳ ଆୟୁକ୍ତ କହିଥିଲେ ଯେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଏକ ଡାଟାବେସ୍ ପ୍ରସ୍ତୁତ ହେଉଛି ଓ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି।
ରଥଖଳା ଖୋଳିଦେଲେ, କାମ କେମିତି ହେବ?
ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ତ୍ବରାନ୍ବିତ କର
ରଥଯାତ୍ରାରେ ଗଡ଼ିବ ୨୧୦ ସ୍ବତନ୍ତ୍ର ଟ୍ରେନ୍
ପୁରୀ ଟାଉନ୍ ହଲ୍ଠାରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଆଜି ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ହୋଇଥିଲା। ରଥକାଠ ଠାରୁ ଆରମ୍ଭ କରି ରାସ୍ତାଘାଟ, ବିଜୁଳି, ପାନୀୟ ଜଳ, ଜନସ୍ବାସ୍ଥ୍ୟ, ପରିମଳ, ପରିବହନ, ରେଳ ଚଳାଚଳ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ପ୍ରଶ୍ନ କରିଥିଲେ କି ବଡ଼ଦାଣ୍ଡକୁ ଖୋଳିଦେଲ। ପୁଣି ଯେଉଁ ଜାଗାରେ ରଥଖଳା ହେଉଥିଲା, ରଥ କାଠ ନିର୍ମାଣ କାର୍ଯ୍ୟ ଅନୁକୂଳ ହେଉଥିଲା, ସେ ଜାଗାକୁ ବି ଖୋଳିଦେଲ। ଏବେ ରଥ ନିର୍ମାଣ କେଉଁଠି ହେବ? ବିଭିନ୍ନ ବନଖଣ୍ଡରୁ ଆସୁଥିବା ରଥ କାଠ କେଉଁଠି ରହିବ? ଯେଉଁ ଜାଗାରେ ରଥ ଖଳା ହେଉଥିଲା, ସେଠି ହେବ ନା ଅନ୍ୟ କେଉଁଠିକୁ ସ୍ଥାନାନ୍ତର କରାଯିବ? ଯଦି ସେହି ଜାଗାରେ ହେବ, କେତେ ଦିନ ଭିତରେ ରଥଖଳା ପ୍ରସ୍ତୁତ କରାଯିବ? ଯଦି ସେହି ଜାଗାରେ ହେବନି, ତେବେ ଯେଉଁ ନୂଆ ଜାଗାରେ ହେବ, ତାର ସୂଚନା ଦିଅ। ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଥିଲେ, ବଡ଼ଦାଣ୍ଡରେ ଯେଉଁଭଳି ନିର୍ମାଣ କାର୍ଯ୍ୟ ହେଉଛି, ତାହା ସନ୍ଦେହ ସୃଷ୍ଟି କରୁଛି। ଚଳିତବର୍ଷ ବଡ଼ଦାଣ୍ଡରେ ରଥ ଗଡ଼ିବା ବେଳେ ଦବିବନି ତ?, ସେବାୟତଙ୍କ ମନରେ ଏଭଳି ଆଶଙ୍କା ଦେଖାଗଲାଣି। ଯେଉଁଭଳି ବଡ଼ଦାଣ୍ଡକୁ ଖୋଳି ସ୍ଲାବ୍ ପକାଯାଉଛି, ଜଣାପଡ଼ୁଛି, ଏଥିରେ ରଥ ଗଡ଼ିଲେ ସବୁ ଫଟେଇ ଦେବ।
ଜିଲ୍ଲାପାଳ ସମର୍ଥ ବର୍ମା ଦୁଇଦିନ ଭିତରେ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ ଯେଉଁ ଜାଗାରେ ରଥଖଳା ରହିଛି, ସେହି ଜାଗାରେ ରଥଖଳା ହେବ ବୋଲି କହିଥିଲେ। ଆଜି ସକାଳେ ବି ସେ ଅନ୍ୟ ଅଧିକାରୀଙ୍କୁ ନେଇ ଖନନସ୍ଥଳ ଅନୁଧ୍ୟାନ କରିଛନ୍ତି, ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପୂର୍ବରୁ ସବୁ ବ୍ୟବସ୍ଥା ହୋଇଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେବାୟତମାନେ ଶାନ୍ତ ପଡ଼ିଥିଲେ। ରଥ କାଠ ବଡ଼ଦାଣ୍ଡର ଯେଉଁ ଜାଗାରେ ରହିବା କଥା, ସେହି ଜାଗାରେ ହିଁ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ରଥ ନିର୍ମାଣ, ସେବାୟତ ପାଉଣା, ସର୍ବୋପରି ରଥଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ତାର ହିସାବ ମାଗିଥିଲେ। ଖର୍ଚ୍ଚର ହିସାବ ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ସେହିଭଳି ପୂର୍ବତଟ ରେଳବାଇ ପକ୍ଷରୁ ରଥଯାତ୍ରା ପାଇଁ ୨୧୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ୩୫ଟି ଟିକେଟ୍ କାଉଣ୍ଟର, ୬ଟି ଅଟୋମେଟିକ୍ ଭେଣ୍ଡିଂ ମେସିନ୍ ଓ ଯାତ୍ରୀଙ୍କ ବିଶ୍ରାମ ପାଇଁ ୧ହଜାର କ୍ଷମତା ବିଶିଷ୍ଟ ସେଡ୍ର ବ୍ୟବସ୍ଥା କରାଯିବ ବୋଲି ଆଜିର ବୈଠକରେ ସୂଚନା ଦିଆଯାଇଥିଲା। ରଥଯାତ୍ରା ପୂର୍ବରୁ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଥିଲେ। ବୈଠକରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁଲିସ ଆଇଜି ନରସିଂହ ଭୋଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଆଇନ ବିଭାଗ ଭାରପ୍ରାପ୍ତ ପ୍ରମୁଖ ସଚିବ ଧନେଶ୍ବର ମଲ୍ଲିକ, ଦୂରଦର୍ଶନ ନିର୍ଦ୍ଦେଶକ ନୃସିଂହ ଜେଟି, ପୁରୀ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।