ଦେବସ୍ନାନ ପୂର୍ଣ୍ଣିମାରେ ରାତି ୧ରୁ ପହଣ୍ଡି, ଦିନ ୧୧ରେ ହାତୀବେଶ
ନବଯୌବନ ଦର୍ଶନ, ସୁନାବେଶ, ନୀଳାଦ୍ରି ବିଜେ ନୀତିରେ ମଧ୍ୟ ମୋହର
ପୁରୀ : କୋଭିଡ୍ ମହାମାରୀ ପାଇଁ ପୂର୍ବବର୍ଷ ଭଳି ଚଳିତବର୍ଷ ବି ବିଶ୍ବପ୍ରସିଦ୍ଧ ରଥଯାତ୍ରା ସହ ଦେବସ୍ନାନ ପୂର୍ଣ୍ଣିମା, ସୁନାବେଶ ଆଦି ବିନା ଭକ୍ତରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ ନୀତିକାନ୍ତି ସଅଳ ସାରିବାକୁ ନିଷ୍ପତ୍ତି ନେଇଛି ଛତିଶାନିଯୋଗ। ନିଷ୍ପତ୍ତି ଅନୁଯାୟୀ, ଜୁଲାଇ ୧୨ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୮ଟାରେ ରଥର ପ୍ରତିଷ୍ଠା ପରେ ସାଢ଼େ ୮ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ସାଢ଼େ ୧୧ଟା ସୁଦ୍ଧା ପହଣ୍ଡି ଶେଷପରେ ରଥ ଉପରେ ଅନ୍ୟାନ୍ୟ ନୀତି ସାରି ଅପରାହ୍ଣ ୩ଟାରେ ରଥ ଟଣାଯିବ। ସେପଟେ ଆାସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରେ ବି ସଅଳ ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବବର୍ଷ ଭଳି ଚଳିତବର୍ଷ ବି ପୂର୍ବଦିନ ରାତି ୧ରୁ ପହଣ୍ଡି ଆରମ୍ଭ ହେବ। ଭୋର ୪ଟା ସୁଦ୍ଧା ପହଣ୍ଡି ଶେଷ ପରେ ୧୦୮ ସୁବାସିତ ଜଳରେ ସ୍ନାନ, ବେଶ, ଛେରାପହଁରା ହୋଇ ପୂର୍ବାହ୍ନ ୧୧ଟାରୁ ୧୨ଟା ଭିତରେ ହାତୀବେଶ ହୋଇ ଠାକୁର ଦର୍ଶନ ଦେବେ। ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ବେଶ ଓଲାଗି ହୋଇ ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ କରି ସୁନା ଚିତା ଓ ରାହୁରେଖା ମଇଲମ ନୀତି ସଂପାଦନ କରିବାକୁ ନୀତି ଚୂଡ଼ାନ୍ତ ହୋଇଛି।
ରଥଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା ସହ ନବଯୌବନ ଦର୍ଶନ, ସୁନାବେଶ, ଅଧର ନୀତି, ନୀଳାଦ୍ରି ବିଜେ ନୀତି ଉପରେ ଆଜି ଛତିଶାନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବକମାନେ ଯୋଗ ଦେଇଥିଲେ। ବୈଠକ ଆରମ୍ଭରୁ କୋଭିଡ୍ କଟକଣା ଭିତରେ ଶୃଙ୍ଖଳିତ ରଥଯାତ୍ରା ଶେଷ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ ନିବେଦନ କରିଥିଲେ। ନୀତିକାନ୍ତି ଓ ଶୃଙ୍ଖଳା ଉପରେ ବିଚାରବିମର୍ଶ ପରେ ପୂର୍ବବର୍ଷ ବିଭିନ୍ନ ନିଯୋଗରୁ ଯେତିକି ସଂଖ୍ୟାରେ ସେବକ ରହିଥିଲେ, ଚଳିତବର୍ଷ ବି ସେତିକି ସଂଖ୍ୟକ ସେବକ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରାରେ ରଖିବାକୁ ନିଷ୍ପତ୍ତି ହୋଇଛି। ନୀତି ସବ୍କମିଟି ପ୍ରସ୍ତୁତ କରିଥିବା ନୀତିକାନ୍ତି ଉପସ୍ଥାପନ ପରେ ସର୍ବସମ୍ମତିକ୍ରମେ ଏହାକୁ ଗୃହୀତ କରାଯାଇଥିଲା।
ଚୂଡ଼ାନ୍ତ ନୀତି ଅନୁଯାୟୀ, ସ୍ନାନଯାତ୍ରା ପାଇଁ ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ରାତି ୧ରୁ ନୀତିକାନ୍ତି ଆରମ୍ଭ ହେବ। ରାତି ୧ରୁ ମଙ୍ଗଳାର୍ପଣ ପରେ ପହଣ୍ଡି ଓ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ନୀତି ପରେ ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରା ପହଁରା ଅନୁଷ୍ଠିତ ହେବ। ପରେ ହାତୀବେଶ ହୋଇ ଠାକୁର ସ୍ନାନମଣ୍ଡପରେ ଦର୍ଶନ ଦେବେ। ବାହୁଡ଼ା ପହଣ୍ଡି ଶେଷ ପରେ ରାତି ୯ଟାରୁ ୧୨ଟା ଭିତରେ ଅଣସର ତାଟି ବନ୍ଧା ନୀତି ଅନୁଷ୍ଠିତ ହେବ। ପରେ ପଟଦିଅଁ ତଥା ଦଶାବତାର ବିଜେ କରିବେ। ରାତି ସାଢ଼େ ୩ଟାରେ ଜୟ-ବିଜୟ ଦ୍ବାର ବନ୍ଦ ହେବା ପରେ ବେହରଣ ଦ୍ବାର ଫିଟିବ। ଭୋର ୪ଟାରେ ୧୫ ଦିନିଆ ଅଣସର ନୀତି ଆରମ୍ଭ ହେବ।
ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ, ତଡ଼ପଲାଗି ଓ ରୋଷହୋମ, ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ସାଢ଼େ ୬ଟାରୁ ସାଢ଼େ ୭ଟା ଗୋପାଳ ବଲ୍ଲଭ ଓ ସକାଳଧୂପ(ଖେଚୁଡି ଭୋଗ), ୮ଟାରେ ରଥ ପ୍ରତିଷ୍ଠା, ୮ଟା ୧୫ରେ ମଙ୍ଗଳାର୍ପଣ, ସାଢ଼େ ୮ଟାରୁ ୧୧ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି, ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଦନମୋହନ ବିଜେ, ସାଢ଼େ ୧୨ଟାରୁ ଅପରାହ୍ଣ ୧ଟା ଚିତା ଲାଗି, ମଧ୍ୟାହ୍ନ ୧୨ଟା ୪୫ରୁ ଅପରାହ୍ଣ ୨ଟା ଛେରା ପହଁରା, ଅପରାହ୍ଣ ୨ଟାରୁ ୩ଟା ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ନୀତି ଅନୁଷ୍ଠିତ ହେବ। ପରେ ରଥଟଣା ଆରମ୍ଭ ହେବ।
ସେହିଭଳି ଜୁଲାଇ ୯ରେ ପଡୁଥିବା ନବଯୌବନ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହେବ। ଜୁଲାଇ ୨୦ ତାରିଖରେ ବାହୁଡ଼ା ଯାତ୍ରା ଦିନ ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ। ଜୁଲାଇ ୨୧ରେ ଅପରାହ୍ଣ ୪ଟାରୁ ସାଢ଼େ ୫ଟା ଭିତରେ ସୁନା ଅଳଙ୍କାର ଲାଗି ପରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବେ। ରାତି ୧୧ଟାରୁ ବେଶ ଓଲାଗି ହେବ। ଜୁଲାଇ ୨୨ ରାତି ୮ଟା ସୁଦ୍ଧା ଅଧର ନୀତି ଶେଷ ହେବ। ଜୁଲାଇ ୨୩ରେ ଶ୍ରୀଜିଉ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ନୀଳାଦ୍ରି ବିଜେ କରିବେ। ଏହିଦିନ ଅପରାହ୍ଣ ୪ଟାରେ ରତ୍ନସିଂହସନକୁ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ଶେଷ ହେବ।