ଜୟପୁର: ସ୍ଥାନୀୟ ପୌରପାଳିକା ସଭାଗୃହ ପରିସରରେ ମଙ୍ଗଳବାର ଦିନ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଦେବୋତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ରଥଯାତ୍ରାକୁ ରାଜ୍ୟ ସରକାର ନିଜ କ୍ୟାଲେଣ୍ଡରରେ ସାମିଲ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ରାଜରାଜୁଡା ଅମଳୁ ଚାଳି ଆସିଥିବା ପରମ୍ପରାକୁ କିଭଳି ଓ କେଉଁ ପରିସ୍ଥିତିରେ ରାଜ୍ୟ ସରକାର ସାମିଲ କରିନାହାନ୍ତି ବୋଲି ତାରା କହିଥିଲେ।
୮ବର୍ଷ ପରେ ନୂଆ ରଥ ନିର୍ମାଣ ହେଉଛି। ରଥର ମାନ, ଉଚ୍ଚତା ଆଦି ଠିକ ଅଛି ନା ନାହିଁ ଆଦିକୁ ନିର୍ବାହୀ ଯନ୍ତ୍ରୀ କ୍ଷୀରଧର କନ୍ଧପାଣୀ ଯାଂଚ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ବୈଠକରେ ଗତ ବର୍ଷ ରଥଯାତ୍ରା, ବାହୁଡା ଓ ୯ଦିନ ଧରି ମନ୍ଦିର ଆଖପାଖରେ ବ୍ୟାପକ ଭାବେ ମୋବାଇଲ୍ ଓ ଭ୍ୟାନିଟ୍ ବ୍ୟାଗ୍ ଚୋରୀ ହୋଇଥିଲା। ଏହକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପୁଲିସ ପ୍ରଶାସନକୁ କୁହାଯାଇଥିଲା। ଏଥରକ ଅଧିକା ମହିଳା ପୁଲିସକୁ ସୁରକ୍ଷା ଦାୟିତ୍ବ ଦିଆଯିବ ବୋଲି ଜୟପୁର ଏସଡିପିଓ ଅଙ୍କିତ ବର୍ମା ସୂଚନା ଦେଇଥିଲେ। ତା ସହ ପୁରୁଷ ପୁଲିସ ସାଧା ପୋଷାକରେ ବି ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବେ। ଯାତ୍ରାର ୫ଦିନ ପୂର୍ବରୁ ବ୍ୟାପକ ଭାବେ ସହରରେ ଏବଂ ବ୍ଲକ ଅଂଚଳରେ ଅବକାରୀ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରିବାକୁ ନିଷ୍ପତ୍ତି ହୋଇଥିଲା। ବାଇକ୍ ପାର୍କିଂ ପାଇଁ ୨ଟି ସ୍ଥାନ କରାଯିବ। ଗୋଟିଏ ହନୁମାନ ମନ୍ଦିର ପଛ ଓ ଗୋବର୍ଦ୍ଧନ ମୁଣ୍ଡା ପାର୍ଶ୍ବରେ କରାଯିବ। ଅନ୍ୟଟି ପୁରୁଣା ଏସଡିଏମଓଙ୍କ କୋଠାକୁ ଭାଙ୍ଗି ସ୍ଥାନକୁ ସମତୁଲ କରି ସେଠାରେ ବି ଗୋଟିଏ ଅସ୍ଥାୟୀ ପାର୍କିଂ କରାଯିବ ବୋଲି କହିଛନ୍ତି ତାରା।
ରଥଯାତ୍ରା ଦିନ ସହରର ମୁଖ୍ୟରାସ୍ତାରେ ବାଇକ ବି ଚଳାଚଳକୁ ବନ୍ଦ କରାଯିବ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ୪ଟି ପାଣି ଟେଙ୍କରରେ ପାଣି ଯୋଗାଇବେ। ଅଗ୍ନିଶମ ବିଭାଗ ପାଣି ସ୍ପ୍ରେ କରିବା ସହ ଉପସ୍ଥିତ ରହିବେ। ସ୍ବାସ୍ଥ୍ୟ ବିଭାଗ ଦୁଇଟି ଆମ୍ବୁଲାନସ୍ ସହ ଆୟୁଷ ଡାକ୍ତର, ପାର୍ମାଶିଷ୍ଟଙ୍କୁ ନେଇ ରହିବେ। ନିରନ୍ତର ବିଦ୍ୟୁତ ସେବା ଟାଟାପାୱାର ପକ୍ଷରୁ ଯୋଗାଇ ଦିଆଯିବ। ଏଥର ଅନ୍ନପ୍ରସାଦ ୧୦୦ଟଙ୍କାରେ ବିକ୍ରି ହେବ। ସ୍ବାସ୍ଥ୍ୟ, ପରିମଳ ଓ ସଫେଇ ଦିଗରେ ବିଶେଷ ଧ୍ୟାନ ପୌରପାଳିକା ଓ ସ୍ବାସ୍ଥ୍ୟ ବିଭାଗ ଧ୍ୟାନ ଦେବାକୁ ଉପଜିଲ୍ଲାପାଳ କହିଥିଲେ। ସବୁ ଦିନ ସ୍ଥାନୀୟ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନସଂଧ୍ୟା ଆୟୋଜନ କରାଯିବ। ବିଶ୍ବବିଦ୍ୟାଳୟର ଏନସିସି କ୍ୟାଡେଟ୍, ଏନଏସଏସ୍ ସ୍ବେଚ୍ଛାସେବୀଙ୍କ ସହ ଅନ୍ୟ ସ୍ବେଚ୍ଛାସେବୀମାନେ ସହଯୋଗ କରିବେ। ଜୟପୁର ବିଡିଓ ଶକ୍ତି ମହାପାତ୍ର, ପୌରଉପାଧ୍ୟକ୍ଷା ବି.ସୁନିତା, ନିର୍ବାହୀ ଯନ୍ତ୍ରୀ ଇଂ.ବିଶ୍ବନାଥ ପାତ୍ର ମଂଚାସୀନ ଥିଲେ। ମନ୍ଦିରର ଗର୍ଭଗୃହ ଉପର ଭାଗରେ ଗଛ ଉଠିଥିବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।
ଗତ ବୈଠକର ବିବରଣୀ ଓ ଏଥରକ କରାଯିବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ଦେବୋତ୍ତର ବିଭାଗର କୃଷ୍ଣ ଚନ୍ଦ୍ର ଦାଶ ତଥ୍ୟ ଉପସ୍ଥାପନ କରିଥିଲେ। ଶେଷରେ ଦେବୋତ୍ତର ବିଭାଗ ଅଧିକାରୀ ତଥା ତହସିଲଦାର ଡ.ମୋନାଲିସା ଆଚାର୍ଜୀ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡିଏମଓ ଡ. ଦିଲ୍ଲୀପ ବିଶ୍ବାଳ, ଡ.ଅରୁଣ ପାଢ଼ୀ, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ଟାଉନଥାନା ଅଧିକାରୀ ରମଣୀ ରଂଜନ ଦଳାଇ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଯଶୋଧା ଗାଦବା, ସେବାୟତ, ପୂଜକ ଆଦି ପ୍ରମୁଖ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/jpr-rath-yatra-1-2.jpg)