ପୁରୀ: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନନ୍ୟ ଓ ବିଶ୍ୱପ୍ରସିଦ୍ଧ। ଏଣୁ ତାଙ୍କ ରଥଯାତ୍ରା କିଭଳି ଶୃଙ୍ଖଳିତ ଓ ସମୟ ଅନୁସାରେ ଶେଷ ହେବ; ସେଥିପାଇଁ ସେବକ, ପ୍ରଶାସକ, ବିଭିନ୍ନ ବିଭାଗର ଅଧିକାରୀଙ୍କ ମିଳିତ ପ୍ରୟାସ ଜରୁରି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏହି ଅବସରରେ ସେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆସୁଥିବା ଭକ୍ତଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବଦେବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ଚଳିତ ରଥଯାତ୍ରାର ଦ୍ବିତୀୟ ସମନ୍ବୟ ବୈଠକ ଆଜି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ପୌରୋହିତ୍ୟରେ ପୁରୀ ଟାଉନ୍‌ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ହରିଚନ୍ଦନ କହିଥିଲେ, ମହାପ୍ରଭୁଙ୍କ ମହିମା ଓ ମହତ୍ତ୍ୱକୁ ଅଧିକ ପ୍ରସାରିତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ପ୍ରଦର୍ଶନୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ହେବ।

Advertisment

ପୁରୀରେ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ସକ୍ରିୟ କରିବାକୁ ଜଣେ ଯୁଗ୍ମ ନିର୍ଦ୍ଦେଶକ ସ୍ତରର ଅଧିକାରୀ ଏବଂ ପୌରପାଳିକା ପାଇଁ ଜଣେ ଅତିରିକ୍ତ ସଚିବ ସ୍ତରର ଅଧିକାରୀ କାର୍ଯ୍ୟ ଅନୁଧ୍ୟାନ ପାଇଁ ନିୟୋଜିତ କରାଯିବ। ସେହିପରି, ରଥଯାତ୍ରା ସମୟରେ ଅଂଶୁଘାତର ମୁକାବିଲା ପାଇଁ ୧୦୦ ଶଯ୍ୟାବିଶିଷ୍ଟ ଅଂଶୁଘାତ ୱାର୍ଡ ବ୍ୟବସ୍ଥା କରାଯିବ। ଏହିସବୁ ବ୍ୟବସ୍ଥା ପାଇଁ ସେ ନିର୍ଦ୍ଦେଶ ଦେଇଥିବା କହିଥିଲେ। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ, ଅତିରିକ୍ତ ପୁଲିସ ଡିଜି ସଞ୍ଜୟ କୁମାର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ପରିବହନ କମିସନର ଅମିତାଭ ଠାକୁର, ଆର୍‌ଡିସି ସନ୍ଥ ଗୋପାଳନ, ଓର୍‌ମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ପୁନମ ଗୁହା ତାପସ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ କୁମାର ରାଉତରାୟ, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ଏସ୍‌ପି ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।