ପୁରୀ : ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ଦୁଇବର୍ଷ ଧରି ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଏଥର ଅଧିକ ଭକ୍ତ ପୁରୀ ଆସିବେ। ସମସ୍ତ ଭକ୍ତ ଯେଭଳି ଭଲ ଅନୁଭୂତି ନେଇ ଫେରିବେ, ସେ ଉପରେ ବିଶେଷ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଚଳିତ ବର୍ଷର ରଥଯାତ୍ରା ଯେଭଳି ଶାନ୍ତିଶୃଙ୍ଖଳା ଓ ସୁରୁଖୁରରେ ଶେଷ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଏବଂ କରୋନା ସଂପୂର୍ଣ୍ଣ ଦୂର ହୋଇନଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ବି ପରାମର୍ଶ ଦେଇଛନ୍ତି।

Advertisment

ଶନିବାର ଦିନ ପୁରୀ ଟାଉନ୍‌ ହଲ୍‌ଠାରେ ଅନୁଷ୍ଠିତ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଭର୍ଚୁଆଲ ମୋଡ୍‌‌ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଅନ୍ୟପଟେ ଏତେବଡ଼ ଆୟୋଜନ କରାଯାଇଥିଲେ ବି ଆଜି ମାତ୍ର ୨୦ ମିନିଟ୍‌ରେ ସମୀକ୍ଷା ବୈଠକ ଶେଷ ହୋଇଯାଇଥିଲା।ପୁରୀ ଟାଉନ୍‌ହଲଠାରେ ସମୀକ୍ଷା ବୈଠକରେ ଯୋଗଦେଇଥିବା ମନ୍ତ୍ରୀ ଓ ଅଧିକାରୀମାନଙ୍କୁ କିଛି କହିବା ପାଇଁ ସୁଯୋଗ ମିଳିନଥିଲା।

publive-image

ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରି କହିଥିଲେ, କୋଭିଡ୍‌ ବେଳେ ଗତ ଦୁଇ ବର୍ଷ ଧରି ସେବାୟତମାନେ ଯେଉଁଭଳି ରଥଯାତ୍ରା ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ, ତାହା ପ୍ରଶଂସାଯୋଗ୍ୟ। ପୁରୀର ଜନସାଧାରଣ ବି ସମଭାବେ ଧନ୍ୟବାଦର ପାତ୍ର। ତେବେ ରଥଯାତ୍ରା ସମୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଏଡ଼ାଇ ଦେଇ ହେବନାହିଁ। ଏବେ ବି କରୋନା ସମ୍ପୂର୍ଣ୍ଣ ଦୂର ହୋଇନି। ଏଣୁ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଚଳିତବର୍ଷ ରଥଯାତ୍ରାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୧ଟି ସୂଚନା କେନ୍ଦ୍ର ଖୋଲାଯାଇଛି। ପାରମ୍ପରିକ ଲୋକନୃତ୍ୟର ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଆଧ୍ୟାତ୍ମିକଧର୍ମୀ ନୃତ୍ୟଗୀତର ବି ଆୟୋଜନ କରାଯାଇଛି। ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ କହିଥିଲେ, ଚଳିତବର୍ଷ ରଥଯାତ୍ରାରେ ଭକ୍ତଙ୍କ ଅଂଶୁଘାତଜନିତ ଅଘଟଣର ମୁକାବିଲା ପାଇଁ ୨ଟି ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲାଯିବ। ୨୦ଟି ଆଶୁ ଚିକିତ୍ସା କେନ୍ଦ୍ର ସାଙ୍ଗକୁ ୨୩୩ଜଣ ଡାକ୍ତର ନିୟୋଜିତ ହେବେ। ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ପାଇଁ ୬ଜଣ ଖାଦ୍ୟ ନିରୀକ୍ଷକ ନିୟୋଜିତ ହେବେ। ବଡ଼ଦାଣ୍ଡ ଓ ଭକ୍ତଙ୍କ ଉପରେ ଜଳସିଞ୍ଚନ ସହ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡ ପାନୀୟ ଜଳ ଷ୍ଟାଣ୍ଡ୍‌ପୋଷ୍ଟ ଉପରେ ସ୍ବତନ୍ତ୍ର ନଜର ରହିବ। ଭକ୍ତଙ୍କ ଗମନାଗମନ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୧୩୭ଟି ଟ୍ରେନ୍‌ ଚାଲିବ। ବିଦ୍ୟୁତ୍‌ ସରବରାହ ଅବ୍ୟାହତ ରଖିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି।

ସେହିଭଳି ପୁଲିସ ଡିଜି ସୁନିଲ କୁମାର ବଂଶଲ କହିଥିଲେ, ଚଳିତବର୍ଷ ରଥଯାତ୍ରାରେ ଆଇନଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯାଇଛି। ଯଥେଷ୍ଟ ସଂଖ୍ୟାରେ ପୁଲିସ ମୁତୟନ କରାଯାଉଛି। ଏହାସହ ଭିଡ଼ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ପାଇଁ ସ୍ବେଚ୍ଛାସେବୀଙ୍କୁ ବି ନିୟୋଜିତ କରାଯିବ ବୋଲି ଶ୍ରୀ ବଂଶଲ କହିଥିଲେ। ଏହି ଅବସରରେ ରଥଯାତ୍ରା ମୁଖପତ୍ର-୨୦୨୨ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ୫-ଟି ସଚିବ ଭି କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ବାଗତ ଭାଷଣ ଓ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ସୁରେଶ ଚନ୍ଦ୍ର ଦଳାଇ ଧନ୍ୟବାଦ ଦେଇଥିଲେ।

publive-image

ମଞ୍ଚାସୀନ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇନ ବିଭାଗ ପ୍ରମୁଖ ସଚିବ ପ୍ରତାପ କୁମାର ପାତ୍ର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ପରିବହନ କମିସନର ଅରୁଣ ବୋଥ୍ରା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍‌ପି ଡ. କେ. ବିଶାଳ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ ସଭାପତି, ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ।