ରଥଯାତ୍ରା ପ୍ରସାରଣ: ସବୁ ଚ୍ୟ‌ାନେଲ୍‌କୁ ଅନୁମତି

ଟେଣ୍ଡର ନିଷ୍ପତ୍ତିରୁ ଓହରିଲା,ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ସିଧା ପ୍ରସାରଣ ସୁବିଧା ସମସ୍ତ ଟେଲିଭିଜନ୍‌ ଚ୍ୟାନେଲ୍‌ଙ୍କୁ ମିଳିବ। ଟିଭି ପ୍ରସାରଣ ସ୍ବତ୍ବକୁ ନେଇ ସବୁ ଆଡୁ ବିରୋଧର ସ୍ବର ଉଠିବା ପରେ ପ୍ରବଳ ଚାପର ବଶବର୍ତ୍ତୀ ହୋଇ ଶ୍ରୀମନ୍ଦିର ପ୍ରଶାସନ ଆଜି ଟେଣ୍ଡର ନିଷ୍ପତ୍ତିରୁ ଓହରିଯାଇଛି। ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବ। କୌଣସି ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‌ ନୁହେଁ, ବରଂ ସମସ୍ତ ଟିଭି ଚ୍ୟ‌ାନେଲ୍‌ ଏହି ସୁବିଧା ପାଇବେ। ଶ୍ରୀମନ୍ଦିର ପ୍ରଶାସନ ରାଜସ୍ବ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସିଧା ପ୍ରସାରଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ଗତକାଲି ଟେଣ୍ଡର ଆବେଦନପତ୍ର ଆସିବା ପରେ ବଜାର ଦର ସଂପର୍କରେ କିଛି ଧାରଣା ଆସିଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ୍‌ ମୁଖ୍ୟଙ୍କ ସହିତ ଏକ ମିଳିତ ବୈଠକ ଡକାଯାଇ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଟିଭି ଚ୍ୟ‌ାନେଲମାନେ ସିଧା ପ୍ରସାରଣ କରି ରାଜସ୍ବ ପାଉଥିବାରୁ ‌ସେମାନେ ଏ ବାବଦରେ କେତେ ଟଙ୍କା ମନ୍ଦିର ପ୍ରଶାସନକୁ ଦେଇପାରିବେ ସେ ସଂକ୍ରାନ୍ତରେ ଆଲୋଚନା କରାଯିବ। ତେବେ ବିଜ୍ଞାପନ ନ ଦେଖାଇ ‌ଯଦି କେହି ଟିଭି ଚ୍ୟ‌ାନେଲ୍‌ ସିଧା ପ୍ରସାରଣ କରିବ ତେବେ ସେହି ଚ୍ୟାନେଲ୍‌ ପାଖରୁ ମନ୍ଦିର ପ୍ରଶାସନ ଟଙ୍କାଟିଏ ବି ନେବ ନାହିଁ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଲାମ ଡାକିବାକୁ ନିଷ୍ପତ୍ତି ନେବା ପରେ ଏହାକୁ ସବୁସ୍ତରରେ ବିରୋଧ କରାଯାଇଥିଲା। ଏମିତିକି ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା। ଆଜି ପରିଚାଳନା କମିଟି ବୈଠକରେ ଦୀର୍ଘ ସମୟ ଧରି ଏହି ପ୍ରସଙ୍ଗରେ ଆଲୋଚନା ହେବା ପରେ ମନ୍ଦିର ପ୍ରଶାସନ ଟେଣ୍ଡର ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା ବୈଠକ‌ରେ ହୋଇଥିବା ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ରଥଯାତ୍ରା ପହଣ୍ଡି ବେଳେ ସିଂହଦ୍ବାର ଚକଡା (ସିଂହଦ୍ବାର-ଅରୁଣସ୍ତମ୍ଭ) ଅଞ୍ଚଳରେ କୌଣସି କ୍ୟାମେରା ରହିବ ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପ୍ରାଧିକୃତ ସ୍ଥାନରେ କ୍ୟାମେରା ରହିବ। ସେମାନେ ସେଠାରୁ ଭିଡିଓ ଓ ଫଟୋ ଉତ୍ତୋଳନ କରିପାରିବେ। ପହଣ୍ଡିରେ ବିଶୃଙ୍ଖଳା ଓ ବିଳମ୍ବକୁ ଏଡ଼ାଇବା ପାଇଁ ଏଭଳି କଟକଣା ଜାରି କରାଯାଇଛି। ରଥଯାତ୍ରା ଧାରା ବିବରଣୀ ଦେଉଥିବା ଘୋଷକଙ୍କ ଉପରେ ମଧ୍ୟ ମନ୍ଦିର ପ୍ରଶାସନ ପ୍ରଥମ କରି କଟକଣା ଲଗାଇଛି। କେବଳ ଜଗନ୍ନାଥ ସଂସ୍କୃତି ଉପରେ ଜ୍ଞାନ ଥିବା ଘୋଷକଙ୍କୁ ହିଁ ଧାରା ବିବରଣୀ ଦେବା ଲାଗି ସୁଯୋଗ ମିଳିବ। ରଥଯାତ୍ରା ସିଧା ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‌ମାନେ ଘୋଷକମାନଙ୍କର ତାଲିକା‌ ଆଗୁଆ ପଠାଇବେ। ତାଲିକା ମିଳିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ନିଷ୍ପତ୍ତି ନେବ। ପୂର୍ବରୁ ଧାରା ବିବରଣୀ ସମୟରେ କିଛି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇଥିବାରୁ ଏଥର ଏଭଳି କଟକଣା କରାଯାଇଛି।

ବୈଠକରେ ମହାପ୍ରଭୁଙ୍କ ଘୋଷ ଯାତ୍ରା, ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତିକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ଚୂଡାନ୍ତ ହୋଇଛି। ଆଜିର ବୈଠକରେ ମନ୍ଦିର ମରାମତି ସଂପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ରଖିଥିବା ଉତ୍ତର ସଂପର୍କରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ବାତ୍ୟା ‘ଫନି’ରେ ଶ୍ରୀମନ୍ଦିରର କ୍ଷୟକ୍ଷତି ଓ ମରାମତି ସଂକ୍ରାନ୍ତୀୟ ରିପୋର୍ଟ ଏଏସ୍‌ଆଇ ଅଧିକ୍ଷକ ପରିଚାଳନା କମିଟି ନିକଟରେ ଉପସ୍ଥାପନ କରିଥିଲେ। ଏଥିରେ ନୀଳଚକ୍ର ଡ୍ରୋନ୍‌ ସର୍ଭେ ରିପୋର୍ଟ ହସ୍ତାନ୍ତର କରାଯାଇଥିଲା। ଉତ୍ତୋଳିତ ଭିଡ଼ିଓରୁ ଶ୍ରୀମନ୍ଦିର ନୀଳଚକ୍ର ଓ ମୁଖ୍ୟ ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି। ଫନିରେ ଭାଙ୍ଗିଥିବା ଭୋଗମଣ୍ଡପ କଳସର ମରାମତି କାମ ସରିଥିବା ବେଳେ ନୂଆ ସିଂହମୂର୍ତ୍ତି ଲଗାଯାଇଛି। ସେହିପରି ବାତ୍ୟା ସମୟରେ ସିଂହଦ୍ବାର‌‌ରେ ଭାଙ୍ଗିପଡିଥିବା ଜୟବିଜୟ ମୂର୍ତ୍ତି ଆସନ୍ତା ୧୬ ତାରିଖରେ ଲଗାଯିବ ବୋଲି ଏଏସ୍‌ଆଇ ଜଣାଇଥିଲା। ବୈଠକରେ ନୀଳାଦ୍ରି ବିଜେ ଗ୍ରହଣ ନୀତି ମଧ୍ୟ ଚୂଡାନ୍ତ ହୋଇଛି। ନୀଳାଦ୍ରି ବିଜେ ଦିନ ଅପରାହ୍ନ ୪ଟାରୁ ପହଣ୍ଡି ବିଜେ ଆରମ୍ଭ ହୋଇ ରାତି ଗୋଟାଏ ସୁଦ୍ଧା ରୁନ୍ଧା କାମ ଶେଷ ହେବ। ଭୋର ୫ଟା ବେଳେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢି ମଧ୍ୟାହ୍ନ ଧୂପ ପରେ ନୀତି ବନ୍ଦ ରହିବ। ରଥଯାତ୍ରା ସମୟରେ ମନ୍ଦିରର ଆନୁସଙ୍ଗିକ ମରାମତି ପାଇଁ ଆସନ୍ତାକାଲି ଅପରାହ୍ନ ୪ଟାରେ ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଓପେପା ସମ୍ମିଳନୀ କକ୍ଷରେ କୋର୍‌ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ଜଣାଇଥିଲେ। ବୈଠକରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ, ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର