ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, କେଉଁଠି ରଥଟଣା ବନ୍ଦ ହେଲା ଜାଣନ୍ତୁ

ଭୁବନେଶ୍ୱର: ଚଳିତ ବର୍ଷ କରୋନା ଭାଇରସ୍‌ କଟକଣା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବନାହିଁ ବୋଲି ଜଣାପଡ଼ିଛି । କିଛି ସ୍ଥାନରେ କେବଳ ରଥଯାତ୍ରା ବିଧି ଅନୁଷ୍ଠିତ ହେବାକୁ ଥିବା ବେଳେ କିଛି ସ୍ଥାନରେ ରଥଟଣା କାର୍ଯ୍ୟ ହେବ ନାହିଁ।

ବାଲେଶ୍ୱର ଜିଲ୍ଲାରେ ୧୨ଟି ସ୍ଥାନରେ ରଥଯାତ୍ରା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଖଡ଼ଗପାଲ, ବାଲିଆପାଳ ଓ ବାଲେଶ୍ୱରସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉପରେ କଟକଣା ଲାଗିଛି। ବାଲିଆପାଳରେ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଟଣା ହେବ ନାହିଁ। ବାଲେଶ୍ୱରସ୍ଥିତ ଜାନୁଗଞ୍ଜ ଜଗନ୍ନାଥ କମିଟି ବ୍ଲକ କଲୋନି ପକ୍ଷରୁ ରଥଟଣା ହେବ ନାହିଁ। ସେହିଭଳି ସୋର ଗୁଡ଼ର ଶ୍ରୀଜଗନ୍ନାଥ ମନ୍ଦିରରେ ରଥ ଗଡ଼ିବ ନାହିଁ। ସୋରସ୍ଥିତ ଅନନ୍ତପୁରରେ ମଧ୍ୟ ମହାପ୍ରଭୁଙ୍କ ରଥ ଗଡ଼ିବ ନାହିଁ। ଜଳେଶ୍ୱରରେ ଇସ୍କନ ମନ୍ଦିରରେ ମଧ୍ୟ ରଥଯାତ୍ରା ବନ୍ଦ ରହିବ। ସୋରସ୍ଥିତ ରାୟପୁର ଶ୍ରୀଜଗନ୍ନାଥ ମନ୍ଦିରରେ ରଥଟଣା କଟକଣା ଜାରି କରାଯାଇଛି। ସେହିଭଳି ସୋର ମୁବାରକପୁରରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥ ଚଳିତ ବର୍ଷ ଗଡ଼ିବ ନାହିଁ। ରେମୁଣାର କଇଁରାଳି ଜଗନ୍ନାଥ ମନ୍ଦିରରେ ରଥଟଣା କଟକଣା ଲାଗିଛି। କେଦାରପୁର ଦଧିବାମନ ମନ୍ଦିରରେ ମଧ୍ୟ ରଥ ଗଡ଼ିବ ନାହିଁ। ରେମୁଣା ସହଳିପାଣାରେ ରଥଟଣା ବନ୍ଦ ରହିବ। ଏଠାକାର ଚରଣପାଲ ଜଗନ୍ନାଥ ମନ୍ଦିରରେ ରଥ ଗଡ଼ିବ ନାହିଁ।

କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡ଼ାରେ ରଥଟଣା କଟକଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସେହିଭଳି ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ଓ ଟିଟିଲାଗଗଡ଼ ସବ୍‌ଡିଭିଜନରେ ରଥଟଣା କାର୍ଯ୍ୟ ଉପରେ କଟକଣା ଜାରି ହୋଇଛି। ମୟୂରଭଂଜ ଜିଲ୍ଲାର ସଦରମହକୁମା ବାରିପଦାରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରୀହରିବଳଦେବ ଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ କରୋନା ଗାଇଡଲାଇନ ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର