ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳଚକଟା ଘଟଣା ନେଇ ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟରେ ୭ ପୁଲିସ ଅଧିକାରୀଙ୍କୁ ଦୋଷୀ ଦର୍ଶାଯାଇଛି। ଏହି ଦୋଷୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ଅକ୍ଟୋବର ୨୫ ତାରିଖରେ ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି।

Advertisment

ଦୋଷୀ ଅଧିକାରୀମାନେ ହେଲେ କୋରାପୁଟ ତୃତୀୟ ଓଏସ୍‌ଏପି ବାଟାଲିଅନ୍ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ହେଡ୍‌କ୍ବାର୍ଟର ଡିସିପି ବିଷ୍ଣୁ ପ୍ରସାଦ ପତି, ପୁରୀ ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ ତାପସ ରଂଜନ ଦାସ ଓ ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାୟକ, ପୁରୀ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ, କୁମ୍ଭାରପଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ଛତ୍ରପୁର ଓଏସ୍‌ଏପି ତୃତୀୟ ବାଟାଲିଅନ୍‌ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାଶ। ୭ ଅଧିକାରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସମୟରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ବରେ ଥିଲେ। ଏହି ୭ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଓ ତ୍ରୁଟି କାରଣରୁ ଏତେ ବଡ଼ ଅଘଟଣ ଘଟିଗଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ବଡ଼କଥା ହେଉଛି, ଚଳିତବର୍ଷ ପ୍ରଥମ ଥର ରଥଯାତ୍ରାରେ ଆପଣା ଯାଇଥିବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ଆଇସିସିସି ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯେଉଁ ସିସିଟିଭି ଲାଗିଥିଲା, ତାହା ଭିଡ଼ ନିୟନ୍ତ୍ରଣ ପାଇଁ ଯୋଗ୍ୟ ନଥିଲା ବୋଲି କୁହାଯାଇଛି। ଏଣୁ ରିପୋର୍ଟରେ ସିସିଟିଭି ଓ ଅନ୍ୟାନ୍ୟ କାମ ନେଇଥିବା ଭେଣ୍ଡରକୁ କଳା ତାଲିକାଭୁକ୍ତ କରିବାକୁ କୁହାଯାଇଛି। ରିପୋର୍ଟରେ କୁହାଯାଇଛି, ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣରେ ପୁଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ରଥ ଆଗରେ ଓ ଚତୁଃପାର୍ଶ୍ବରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ବରେ ଥିବା ଏହି ୭ ଅଧିକାରୀ ଘଟଣା ବେଳେ ଅନୁପସ୍ଥିତ ଥିଲେ। କେହି କାହାରି ସହିତ ସମନ୍ବୟ ରକ୍ଷା କରି କାମ କରୁ ନଥିଲେ। ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ଭିତରେ ଘୋର ସମନ୍ବୟର ଅଭାବ ରହିଥିଲା। ଦ୍ବାରଫିଟା ସମୟରେ ନୀତି ଓ ଭିଡ଼ ନିୟନ୍ତ୍ରଣ ପାଇଁ ଯେଉଁ ପଦକ୍ଷେପ ନିଆଯିବା କଥା, ତାହା ନିଆଯାଇ ନଥିଲା। ଭିଡ଼ ଉପରେ ନଜର ରଖିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ଠିକ୍‌ରେ କାମ କରୁ ନଥିଲା।

କାମ କରୁନଥିଲା ଏଆଇ କ୍ୟାମେରା/ଅଚଳ ଥିଲା ୨୭୫ରୁ ୧୦୯ଟି

ଘଟଣାସ୍ଥଳରେ ନଥିଲେ ପୁଲିସ ଅଧିକାରୀ, ୭ ଦୋଷୀ
ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ଚିଠି

ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା, ଆଇନଶୃଙ୍ଖଳା, ଜରୁରିକାଳୀନ ସେବା ଓ ଭିଆଇପି ଗତିବିଧି ଉପରେ ନଜର ରଖିବା ପାଇଁ ୟୁନିଫାଏଡ୍ ପ୍ଲାଟ୍‌ଫର୍ମ ଆଇସିସିସି(ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର) ବି ଠିକ୍‌ରେ କାମ କରୁ ନଥିଲା। ସିସିଟିଭି ଓ ଡ୍ରୋନ୍ ଜରିଆରେ ଭିଡ଼ର ଘନତା ଠଉରେଇବା, ମୁହଁରୁ ଚିହ୍ନିନେବା, ଗାଡ଼ି ଗଣତି ଆଦି ବ୍ୟବସ୍ଥା ବି କାମ କରୁ ନଥିଲା। କୌଣସି ମାର୍ଗଦର୍ଶିକା ଅନୁପାଳନ କରାଯାଇ ନଥିଲା। ଆବଶ୍ୟକ ଅନୁସାରେ ସିସିଟିଭି ଲଗାଯାଇ ନଥିଲା। ଯେଉଁ ଉଚ୍ଚତା ଓ ଯେଉଁ ଦିଗକୁ ସିସିଟିଭି ରହିବା କଥା  ତାହା ନଥିଲା। ବିଓକ୍ୟୁ(ବିଲ୍ ଅଫ୍ କ୍ବାଣ୍ଟିଟିଜ୍) ଅନୁସାରେ ୨୭୫ଟି ସିସିଟିଭି ଲାଗିବା କଥା। କିନ୍ତୁ ୧୨୩ରୁ ୨୩୨ ନମ୍ବର(୧୦୯ଟି) ପର୍ଯ୍ୟନ୍ତ ଲାଗିଥିବା ସିସିଟିଭି ଠିକ୍‌ରେ କାମ କରୁନଥିଲା। ସଂପୃକ୍ତ ଭେଣ୍ଡର ଏଥିରୁ ଆବଶ୍ୟକ ଫୁଟେଜ୍ ଦେଇ ପାରି ନଥିଲା। ବିଓକ୍ୟୁ ଅନୁସାରେ ଡ୍ରୋନ୍ କ୍ୟାମେରାର ବ୍ୟବହାର କରାଯାଇ ନଥିଲା। ଯେଉଁ କ୍ୟାମେରା ଲାଗିଥିଲା, ତାହା ଭିଡ଼ ନିୟନ୍ତ୍ରଣ କରିବାକୁ ଯୋଗ୍ୟ ନଥିଲା। ଭିଡ଼ ଉପରେ ନଜର ରଖିବାକୁ ଯେଉଁ ଏଲ୍ଇଡି ଟିଭି ଲାଗିଥିଲା, ତାହା ବି ଠିକ୍‌ରେ କାମ କରୁନଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଜୁନ୍ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜୁନ୍ ୨୮ରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ପ୍ରତିବର୍ଷ ଭଳି ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ ପାଇଁ ରାତିସାରା ଭକ୍ତଙ୍କ ସୁଅ ଛୁଟିଥିଲା। କିନ୍ତୁ ସେଦିନ ସଅଳ ପହୁଡ଼ କରି ଦିଆଯାଇଥିଲା ଓ ବିଳମ୍ବରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏଣୁ ଭକ୍ତଙ୍କ ଭିଡ଼ ବଢ଼ିବା ସହ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଓ ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ଫଳସ୍ବରୂପ ଜୁନ୍ ୨୯ ତାରିଖ ଭୋର ପ୍ରାୟ ୪ଟାରେ ଦ୍ବାରଫିଟା ନୀତି ପରେ ପରେ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଠେଲାପେଲା ଓ ଦଳାଚକଟା ସ୍ଥିତି ଉପୁଜିଥିଲା। ଦଳାଚକଟାରେ ପ୍ରତିଭା ଦାସ(୫୨), ପ୍ରେମକାନ୍ତ ମହାନ୍ତି(୭୮) ଓ ବାସନ୍ତୀ ସାହୁ(୪୨ଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର ତତ୍କାଳ ଉନ୍ନୟନ କମିସନର୍‌ ଅନୁ ଗର୍ଗଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିସନର୍‌ ତାଙ୍କ ତଦନ୍ତ ରିପୋର୍ଟ ୩୧ ଜୁଲାଇରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଯେଉଁଥିରେ ସେ ଏହି ୭ ପୁଲିସ ଅଧିକାରୀଙ୍କୁ ଦୋଷୀ ଦର୍ଶାଇଛନ୍ତି।