ଖୁବ୍ ଭଲ ଭାବରେ, ଭକ୍ତଶୂନ୍ୟ ଭାବରେ ରଥଯାତ୍ରା ପାଳନ କରାଯିବ : ମୁଖ୍ୟଶାସନ ସଚିବ

ପୁରୀ: ପୁରୀରେ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ରଥଯାତ୍ରା ଲାଗି ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇ ଯାଇଛି। ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା,  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ଡିଜି ଅଭୟ ଇତି ମଧ୍ୟରେ ପୁରୀ ପହଞ୍ଚିଛନ୍ତି | ରାଜ୍ୟ ପ୍ରଶାସନ ଓ ପୁଲିସ ପ୍ରଶାସନ ଦୁଇ ମୁଖିଆ ପୁରୀରେ ରହି ରଥଯାତ୍ରା ସମ୍ପର୍କିତ ପ୍ରସ୍ତୁତିର ତଦାରଖ ଆରମ୍ଭ କରିଛନ୍ତି। ପୁରୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟସଚିବ କହିଛନ୍ତି ଯେ ରଥଯାତ୍ରା ଲାଗି ଆମେ ସଦାସର୍ବଦା ପ୍ରସ୍ତୁତ ଥିଲୁ। ଯଦିଓ ସୁପ୍ରିମ କୋର୍ଟଙ୍କ ରାୟ ଏ ପର୍ଯ୍ୟନ୍ତ ଅପଲୋଡ୍ ହୋଇନାହିଁ ମାତ୍ର ରଥଯାତ୍ରା ଲାଗି ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟିତ୍ବ  ଦିଆଯାଇଛି। ମୁଁ ପ୍ରସ୍ତୁତିର ସମୀକ୍ଷା କଲି। ସମସ୍ତେ ପୂରା ପ୍ରସ୍ତୁତ ଅଛନ୍ତି। ମୋର ବିଶ୍ବାସ, ଆମେ ପୂରା ସୁନ୍ଦର ଭାବରେ, ଭକ୍ତଶୂନ୍ୟ ଭାବରେ ଏବଂ କୋଭିଡ୍ ଗାଇଡଲାଇନ୍ ଅନୁସାରେ ରଥଯାତ୍ରା ପାଳନ କରିବୁ। ଏଥିସହ ସେ ପ୍ରକାଶ କରିଥିଲେ ଯେ ସଂଧ୍ୟା ୫ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ‘ଜୟ ଜଗନ୍ନାଥ’ ଟୁଇଟ୍ କରି ସୁପ୍ରିମକୋର୍ଟ ରାୟକୁ ସ୍ବାଗତ କରିଛନ୍ତି।

ଏହା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ଼. କ୍ରିଷନ କୁମାର ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ରଥଯାତ୍ରା ଆୟୋଜନ ନେଇ ବୈଠକ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ପୁରୀବାସୀଙ୍କ ସହଯୋଗ ଲୋଡିଥିଲେ | ପୁରୀ ଜିଲ୍ଲାପାଳ କହିଥିଲେ, ଯଦି ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦିଅନ୍ତି ତେବେ ସମସ୍ତଙ୍କର ସହଯୋଗ ଦରକାର | ଶ୍ରୀମନ୍ଦିର ପରିଚାଳନା ସମିତିର କିଛି ସଦସ୍ୟ ମଧ୍ୟ ବରିଷ୍ଠ ସେବାୟତଙ୍କ ସହ ଏକ ବୈଠକରେ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି | ତେରେ ସୂଚନା ଓ ଲୋକସଂପର୍କ ବିଭାଗ  ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ନେଇ ଟୁଇଟ୍ କରାଯାଇଛି।

ଏଥିସହ ଆଜି ସଂଧ୍ୟାରେ ଶ୍ରୀମନ୍ଦିର ପରିଚଳନା ସମିତି ଓ ଛତିଶା ନିଯୋଗର ବୈଠକ ବସିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର