କେନ୍ଦୁଝର : ବିଶ୍ୱର ସର୍ବବୃହତ୍ ଏକକ ରଥ ମାନ୍ୟତା ପାଇଥିବା କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜିଉଙ୍କ ନନ୍ଦିଘୋଷ ରଥ ସମ୍ପର୍କରେ ପୁରୀ ଗଜପତି ମହାରାଜାଙ୍କ ମନ୍ତବ୍ୟକୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିପାଇଁ ଆଜି କେନ୍ଦୁଝର ଶ୍ରୀ ବଳଦେବଜିଉଙ୍କ ମନ୍ଦିର ସହ ଜଡ଼ିତ ରହିଥିବା କିଛି ବୁଦ୍ଧିଜୀବୀଙ୍କୁ ନେଇ ବୈଠକ ହୋଇଥିଲା। ଏ ଦିଗରେ ଗଜପତି ମହାରାଜ ଏବଂ ଶଙ୍କରାଚାର୍ଯ୍ୟଙ୍କ ସହିତ ଅଲୋଚନା କରିବାକୁ ବୈଠକରେ ମତ ପ୍ରକାଶ ପାଇଛି।
ବୈଠକର ସୂଚନା ଅନୁଯାୟୀ, କେନ୍ଦୁଝରର ପଞ୍ଚବିଂଶତି ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ୧୬୭୩ ମସିହାରେ ଶ୍ରୀ ଶ୍ରୀ ବଳଦେବଜିଉଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଦିନଠାରୁ କେନ୍ଦୁଝରରେ ରଥଯାତ୍ରା ହେଉଛି। ଶ୍ରୀ ବଳଦେବଜିଉଙ୍କ କାଠ ନିର୍ମିତ ରଥ ସର୍ବୋଚ୍ଚ ରଥ ଭାବେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇଛି। ଏହାପୂର୍ବରୁ ଶ୍ରୀ ବଳଦେବଜିଉଙ୍କ ରଥ ନ୍ୟାସନାଲ୍ ରେକର୍ଡସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ଏସିଆ ପାସିଫିକ ଆଇକନ, ଗ୍ଲୋବାଲ ରେକର୍ଡସ, ୱଣ୍ଡର ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇସାରିଛି। ଏହି ରଥର ଉଚ୍ଚତା ୭୨ ଫୁଟ ଏବଂ ଗୋଲେଇ ୪୫ ଫୁଟ ହୋଇଥିବା ବେଳେ ଏଥିରେ ପ୍ରାୟ ୮ଫୁଟ ଉଚ୍ଚର ଷୋହଳଟି ଚକ ଲାଗିଥାଏ। ଏହା ଏପରି ଏକ ପ୍ରାଚୀନ କ୍ଷେତ୍ର ଯେଉଁଠାରେ ନବକଳେବର ପ୍ରଥା ନାହିଁ। ରଥଯାତ୍ରା ସମୟରେ ରଥରେ ଅଧରପଣା କରାଯାଏ ନାହିଁ। କିନ୍ତୁ ଶ୍ରୀକ୍ଷେତ୍ର ଧାମର ପରମ୍ପରାକୁ ପାଥେୟ କରି ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ସବୁଠୁ ବଡ଼ରଥର ମାନ୍ୟତା ପାଇବାର ବହୁଦିନ ପରେ ଏହାକୁ ନେଇ ବିବାଦ ସୃଷ୍ଟି କରାଯିବାକୁ ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି।
ଦୀର୍ଘ ୩୫୦ ବର୍ଷ ହେବ କେନ୍ଦୁଝରରେ ରଥ ଗଡ଼ୁଛି। ଏହି ରଥ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇଛି। ଏହି ପରିସ୍ଥିତିରେ ପୁରୀର ରଥ ସବୁଠୁ ଉଚ୍ଚ ଏବଂ ପୁରୀ ରଥର ଉଚ୍ଚତାଠାରୁ କୌଣସି ରଥର ଉଚ୍ଚତା ଅଧିକ ହେବା ଉଚିତ ନୁହେଁ ବୋଲି ଗଜପତି ମହାରାଜ ମତ ଦେଇଛନ୍ତି। ଯାହା ଗ୍ରହଣୀୟ ନୁହେଁ ବୋଲି ଆଜିର ବୈଠକରେ ମତ ପ୍ରକାଶ ପାଇଛି। ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଦୀପକ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହି ରଥର ପ୍ରାଚୀନତା ଏବଂ ଉଚ୍ଚତା ସମ୍ପର୍କରେ ପ୍ରାମାଣିକ ତଥ୍ୟ ସହ କେନ୍ଦୁଝର ଜିଲ୍ଲାପାଳ, ପୁରୀ ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ବିବରଣୀ ପ୍ରଦାନ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା।
ବୈଠକରେ ଗବେଷକ ନିରଞ୍ଜନ ବାରିକ, ସଂଗ୍ରାହକ ସୁଜିତ ପଟ୍ଟନାୟକ, ବରିଷ୍ଠ ନାଗରିକ ନବକିଶୋର ସାହୁ, ଅଧ୍ୟାପକ ପ୍ରସନ୍ନ କୁମାର ପତି, ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/keonjhar-rath.jpg)