ପୁରୀ : ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଯଥା ସମୟରେ ସଂପନ୍ନ ହେଲା। ତଥାପି ବଡ଼ଦାଣ୍ଡରେ ଅଧବାଟରେ ଅଟକିଲେ ମହାବାହୁ। ଯେଉଁଠି ଦିନକରେ ତିନି ରଥ ଶରଧାବାଲିରେ ପହଞ୍ଚିବା କଥା, ସେଠି ପହଞ୍ଚିବାକୁ ଦୁଇଦିନ ଲାଗିଲା। କାହିଁକି ତିନି ରଥ ଶରଧାବାଲିରେ ପହଞ୍ଚି ପାରିଲା ନାହିଁ, ତାହାକୁ ନେଇ ଘଣ୍ଟା ଚକଟା ଚାଲିଥିବା ବେଳେ ଆଜି ଆଉ ଏକ ଅଭାବନୀୟ ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ତିନି ରଥ ସକାଳେ ପହଞ୍ଚିବା ପରେ ନୀତିକାନ୍ତିରେ ଚରମ ବିଶୃଙ୍ଖଳା କରାଯାଇଛି। ଏପରିକି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁରଙ୍କୁ ଭୋକରେ ରଖିବାକୁ ପଛାଇ ନାହାନ୍ତି ସେବକ। ସକାଳ ଖାଇବା ଅପରାହ୍ଣରେ ଦେଇଛନ୍ତି। ଏଥିସହିତ ଶ୍ରୀମନ୍ଦିର ପ୍ରଶାସନର ବିଫଳତା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।
ନୀତି ବିଳମ୍ବ ହେଲେ, ନୀତି ସଂପୃକ୍ତ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ବି ଜାରି ହୋଇଛି ଏବଂ ସମସ୍ତ ନିଯୋଗକୁ ଏ ସଂପର୍କରେ ଚିଠି କରି ଅବଗତ କରାଯାଇଛି। ୨୦୧୯ ମସିହାରୁ ଏହି ନିଷ୍ପତ୍ତି ଲାଗୁ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକମାନେ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିପାରୁନାହାନ୍ତି। ଶ୍ରୀମନ୍ଦିର ଭିତରେ ଏହାର ବାରମ୍ବାର ଉଲ୍ଲଂଘନ ହୋଇଥିଲା। ଏବେ ପୂରା ସରକାର ଯେବେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସକ୍ରିୟ ରହିଛି, ସେତେବେଳେ ବି ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସାହସ ଜୁଟାଇ ପାରିନାହାନ୍ତି।
ବୁଧବାର ସକାଳ ୬ଟା ୫୦ରୁ ୭ଟା ୪୦ ଭିତରେ ମଙ୍ଗଳ ଆଳତି ପରେ ୬ଟା ୫୫ରୁ ୭ଟା ୪୦ ଭିତରେ ମଇଲମ, ୭ଟା ୧୦ରୁ ୭ଟା ୫୦ ଭିତରେ ତଡ଼ପଲାଗି, ୭ଟା ୨୫ରୁ ୮ଟା ୫ ଭିତରେ ଅବକାଶ ପୂଜା, ୭ଟା ୪୫ରୁ ୮ଟା ୧୫ ଭିତରେ ବେଶ ଶେଷ ପରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲା। ଦୁଇ ରଥ ଯଥାକ୍ରମେ ପୂର୍ବାହ୍ଣ ୧୦ଟା ୨୫ ଓ ପୂର୍ବାହ୍ଣ ୧୦ଟା ୩୫ରେ ପହଞ୍ଚିଥିଲେ। ଗତକାଲି ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚିସାରିଥିଲା।
ନିୟମ ଅନୁସାରେ, ରଥ ପହଞ୍ଚିବା ପରେ ରଥରେ ଥିବା ସେବକ ଓହ୍ଲାଇଥାନ୍ତି ଓ ପରେ ରଥ ଉପରେ ବାକି ନୀତିକାନ୍ତି ଆରମ୍ଭ ହେବାର ବିଧି ରହିଛି। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡ଼ି ଭୋଗ) ନୀତି ହେବ। ଆଜି ଯେହେତୁ ରଥ ପ୍ରାୟ ୧୦ଟା ୩୫ରେ ପହଞ୍ଚିଲା, ଏହା ପରେ ଗୋପାଳ ବଲ୍ଲଭ ନୀତି ହେବା କଥା। କିନ୍ତୁ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତି ଅପରାହ୍ଣ ପ୍ରାୟ ୩ଟା ୫ରୁ ୩ଟା ୪୫ ଭିତରେ ସଂପନ୍ନ ହୋଇଛି। ସେହିଭଳି ସକାଳ ଧୂପ ୩ଟା ୫୫ରୁ ୪ଟା ୫୫ ଭିତରେ ସଂପନ୍ନ ହୋଇଛି। ପରେ ମଇଲମ ଓ ମହାସ୍ନାନ ନୀତି ବଢ଼ିଥିଲା। ତେବେ ଆଜି ନୀତିକାନ୍ତିରେ ଏତେ ଘଣ୍ଟା ବିଳମ୍ବକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନୀତିକାନ୍ତି ବିଳମ୍ବ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି। କିଛିଦିନ ପୂର୍ବରୁ ବି ଏକାଧିକ ଥର ବିନା ପହୁଡ଼ରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସମାଲୋଚିତ ହୋଇଥିଲା।
ଏ ସଂପର୍କରେ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ନୀତି ସଂପୃକ୍ତ ପାଳିଆ ସେବକମାନେ ରଥ ପାଖକୁ ଆସିବେଳେ ପୁଲିସ ବାଟରେ ଅଟକାଇଥିଲା। ପାଳିଆ ସେବକ ବୋଲି ପରିଚୟ ଦେଇଥିଲେ ବି ପୁଲିସ ଛାଡ଼ି ନଥିଲା। ଯେଉଁଥିପାଇଁ ପାଳିଆ ସେବକମାନେ ସେଠାରୁ ଫେରି ଯାଇଥିଲେ। ଏଣୁ ନୀତି ଆରମ୍ଭରେ ବିଳମ୍ବ ହୋଇଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନ ପାଳିଆ ସେବକଙ୍କୁ ବୁଝାସୁଝା କରି ଆଣି ନୀତିକାନ୍ତି କରିଥିଲା ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସଂପାଦକମାନଙ୍କୁ ନୀତି ସଂପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ଚିଠି କରାଯାଇଥିଲା। ଚିଠି ଅନୁଯାୟୀ, ନୀତି ସଂପୃକ୍ତ ସେବାୟତ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତି ଚିଠିରେ ସୀମିତ ରହିଥିବାରୁ ପାଳିଆ ସେବକମାନେ ନୀତିକାନ୍ତି ଶୃଙ୍ଖଳା ପ୍ରତି ଗୁରୁତ୍ବ ଦେଉନାହାନ୍ତି ଓ ମହାପ୍ରଭୁଙ୍କ ନୀତିକାନ୍ତି ବାରମ୍ବାର ବିଳମ୍ବ ହେଉଛି ବୋଲି ଅଭିଯୋଗ ହୋଇଛି।