ଭାଇଭଉଣୀଙ୍କ ସହ ମିଶି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ଶ୍ରୀଜିଉଙ୍କ ରଥ। ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି।

ସେବାୟତମାନେ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସରେ ଟାଣି ନେଇ ଶରଧାବାଲି ଅଭିମୁଖେ ବାହାରିଥିଲେ। ଆଜି ବଳଭଦ୍ରଙ୍କ  ରଥ ଟଣା କାର୍ଯ୍ୟ ଠିକ୍ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୭ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ବିଜେ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଶେଷ ହୋଇପାରିଥିଲା ।

ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଥିଲା ।  ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସର ସହିତ ଟାଣି ଟାଣି ନେଉଥିଲେ । ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଥିଲେ ।

କୋଭିଡ-୧୯ କଟକଣାରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଆୟୋଜନ ହୋଇଛି । ଆଜି ଭୋର ସାଢ଼େ ୪ଟାରୁ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା । ପହଣ୍ଡି ବିଜେ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ସକାଳ ୧୦ଟା ପୂର୍ବରୁ ଶେଷ ହୋଇଯାଇଥିଲା । ଏହା ପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ । ସେହିପରି ଗଜପତି ମହାରାଜ ତିନି ରଥ ଉପରେ ଛେରାପହଁରା କରିଥିଲେ ।

ଚଳିତ ବର୍ଷ ପୁରୀକୁ ସାଧାରଣ ଭକ୍ତଙ୍କୁ ବାରଣ ହୋଇଛି । ପୁରୀର ଜନତା ମଧ୍ୟ ନିଜ ଘରର ଛାତ ଉପରେ ଥାଇ ରଥଯାତ୍ରାକୁ ଦେଖିପାରୁ ନାହାନ୍ତି । ଗତକାଲି ଠାରୁ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଯାଇଛି । କରୋନା ଗାଇଡଲାଇନ ଅନୁସାରେ ଘୋଷଯାତ୍ରାର ଆୟୋଜନ ହେଉଥିବାରୁ ଲୋକମାନେ ବାଧ୍ୟତାମୂଳକ ଭାବେ କଟକଣାକୁ ପାଳନ କରୁଛନ୍ତି । ଲୋକେ ମହାପ୍ରଭୁଙ୍କ ଯାତ୍ରାକୁ ଟେଲିଭିଜନ ମାଧ୍ୟମରେ ଦେଖୁଛନ୍ତି ।

ସମ୍ବନ୍ଧିତ ଖବର