ରାଜଧାନୀରେ ଗଡ଼ିବନି ରଥ, ଝୁରିବ ପଥ

ବହୁ ପ୍ରତୀକ୍ଷିତ ରାୟ ପରେ ପୁରୀରେ ରଥ ଗଡ଼ିବା ନିଶ୍ଚିତ ହୋଇଛି। ମାତ୍ର ରାଜଧାନୀରେ ଲୋକେ ରଥ ଦେଖିବାରୁ ବଞ୍ଚିତ ହେବେ। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।‌ ତେଣୁ ଏଥର ନିଆରା ଢଙ୍ଗରେ ରଥଯାତ୍ରା ନୀତି ସମ୍ପାଦନ ପାଇଁ ରାଜଧାନୀର ୬୦ରୁ ଊର୍ଧ୍ବ ଜଗନ୍ନାଥ ମନ୍ଦିର ନିଷ୍ପତ୍ତି ନେଇଛନ୍ତି। ମହାପ୍ରଭୁଙ୍କୁ ଅଣସର ପିଣ୍ଡିରୁ ସିଂହାସନକୁ ନନେଇ ମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ମଣ୍ଡପକୁ ଅଣାଯିବ। ତେଣୁ ପ୍ରଭୁ ସିଂହାସନକୁ ଯିବେ ବୋଲି ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ସେଥିରୁ ବିଭିନ୍ନ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ଓ କମିଟି ଓହରିଛନ୍ତି। ସକାଳୁ ଠାକୁରଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ସମ୍ପନ୍ନ କରାଯିବ। ୭ଟା‌ ବେଳେ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ କରାଯିବ। ୮ଟା ବେଳେ ଖେଚୁଡ଼ି ଭୋଗ ହେବ। ରଥ ପ୍ରତିଷ୍ଠା ପାଇଁ କେତେକ ସ୍ଥାନରେ ରଥ ଚକ, ଘୋଡ଼ା ଓ ସାରଥୀଙ୍କୁ ପୂଜା କରାଯିବ।

Getty Images

ମଣ୍ଡପ ଉପରୁ ଦର୍ଶନ ଦେବେ ମହାବାହୁ
ଏଥର ରଥରେ ନୁହେଁ, ବରଂ ମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ମଣ୍ଡପରେ ଦର୍ଶନ ଦେବେ ମହାବାହୁ। ଇସ୍କନରେ ମନ୍ଦିର ବେଢ଼ା ପରିସରରେ ରଥଯାତ୍ରା ରୀତିନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଅଣସର ପିଣ୍ଡିରୁ ପ୍ରସାଦାଳୟ ମଧ୍ୟକୁ ପହଣ୍ଡି କରି ଅଣାଯିବ। ସେଠାରେ ହିଁ ସମସ୍ତ ନୀତିକାନ୍ତ କରାଯିବ। ସବୁଠୁ ପୁରୁଣା ରଥଯାତ୍ରା ଭାବେ ପରିଚିତ ଓୟୁଏଟି ୮ନମ୍ବର ଜଗନ୍ନାଥ ମନ୍ଦିରରେ ମଧ୍ୟ ମନ୍ଦିର ବେଢ଼ା ପରିସରରେ ଥିବା ଭଜନ ପିଣ୍ଡିକୁ ଚତୁର୍ଦ୍ଧା ମୂର୍ତି ବିଜେ କରିବେ। ପୂର୍ବାହ୍ନ ୧୧ଟାରେ ପହଣ୍ଡି ହେବ। ରାସ୍ତା ଉପରେ ଥାଇ ଭକ୍ତମାନେ ଦର୍ଶନର ସୁବିଧା ନେଇପାରିବେ। ଆସନ୍ତାକାଲି ରଥଯାତ୍ରା ଯୋଗୁଁ ଭିଡ଼ ରହିବ। ଏହାକୁ ଦୃଷ୍ଟିରେ ରଖି ସେଠାରେ କିଛି ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ପ୍ରଫେସର ବାମନ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିର‌ ବେଢ଼ା ଭିତରେ ସ୍ନାନ ମଣ୍ଡପ ନିକଟରେ ଏକ ସ୍ବତନ୍ତ୍ର ବୈଠକୀ କରାଯାଇଛି ବୋଲି ମନ୍ଦିର ଟ୍ରଷ୍ଟର ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ପହଣ୍ଡି ହେବ। ରଥଯାତ୍ରା ଲୀଳା ସରିବା ପର୍ଯ୍ୟନ୍ତ ସେଠାରେ ମହାପ୍ରଭୁ ଦର୍ଶନ ଦେବେ। ଏଠାରେ ମଧ୍ୟ ପ୍ରଭୁଙ୍କୁ ବାହାରୁ ଦେଖିବାର ସୁଯୋଗ ପ୍ରାପ୍ତ ହେବ।

ବାଣୀବିହାରରେ ବାଲି ରଥ
ଦୁଃଖ ଓ ଅପମାନରେ ଜର୍ଜରିତ ବଳରାମ ଦାସ ସମୁଦ୍ର ବେଳାରେ ବାଲିରଥ ନିର୍ମାଣ କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ପରର ଘଟଣା ଥିଲା ଇତିହାସ। ବ୍ରାହ୍ମଣ ଓ ରାଜାଙ୍କ ଦ୍ବାରା ଅପମାନିତ ହୋଇଥିବାରୁ ସେ ସମୁଦ୍ର ବେଳାରେ ବାଲି ରଥ କରିଥିଲେ। ଭକ୍ତି ଭାବ ଏତେ ଦୃଢ଼ ଥିଲା ଯେ, ବଡ଼ଦାଣ୍ଡରେ ରଥ ଗଡ଼ିଲା ନାହିଁ। ଏହି ଭକ୍ତିର ସୂଚକ ବାଲି ରଥକୁ ନେଇ ଏଥର ବାଣୀବିହାରରେ ବାଲି ରଥ ଅଙ୍କନ ହେବ। କରୋନା ଏଥର ରଥରେ ପ୍ରଭୁଙ୍କୁ ବିଜେ କରିବାରେ ରୋକ ଲଗାଇ ଥିବାରୁ ଏଭଳି ବିକଳ୍ପ ଚିନ୍ତା କରିଛନ୍ତି ବିଶେଶ୍ବର ମନ୍ଦିର ପରିଚାଳନା କମିଟି। କମିଟିର ସମ୍ପାଦକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କହିବା ମୁତାବକ, ବାଣୀବିହାର ଆରଆରଏଲ୍‌ ଗେଟ୍‌ ନିକଟ ମନ୍ଦିର ପାଖରେ ବାଲିରେ ମୁରୁଜରେ ରଥ ପ୍ରସ୍ତୁତ ହେବ। ୮ ଫୁଟ ଓସାର ଓ ୧୦ ଫୁଟ ଉଚ୍ଚର ଏହି ବାଲି ରଥରେ ଚତୁର୍ଦ୍ଧା ମୂର୍ତିଙ୍କୁ ବିଜେ କରାଯିବ। ସନ୍ଧ୍ୟା ପରେ ପ୍ରଭୁଙ୍କୁ ମନ୍ଦିର ମଧ୍ୟକୁ ନିଆଯିବ।

ଏକାମ୍ର କ୍ଷେତ୍ରରେ ବିଧି ମୁତାବକ ପୂଜା
ଏକାମ୍ର କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ନାହିଁ। ତେବେ ବିଧି ଅନୁଯାୟୀ ପୂଜା କରାଯିବ। ପୁରୁଣା ଭୁବନେଶ୍ବର ବଡ଼ଦାଣ୍ଡ ସାହି ଶ୍ରୀଜଗନ୍ନାଥ ଘୋଷଯାତ୍ରା କମିଟିର ସମ୍ପାଦକ ଶକ୍ତି ପ୍ରସାଦ ସାହୁ କହିଛନ୍ତି ୧୨ବର୍ଷ ହେଲା ରଥଯାତ୍ରା କରି ଆସୁଛୁ। ଚଳିତ ବର୍ଷ ମଧ୍ୟ ରଥ କାମ କରିଥିଲୁ। ମାତ୍ର ଅନୁମତି ଆଶା ନଥିବାରୁ ଠାକୁରଙ୍କୁ ମନ୍ଦିର ବେଢ଼ାରେ ବିଧି ଅନୁଯାୟୀ ପୂଜା, ସୁନାବେଶ, ଅଧର ପଣା ନୀତି କରାଯିବ। ଯମେଶ୍ବର ପାଟଣା ସାହିସ୍ଥିତ ଶ୍ରୀଜଗନ୍ନାଥ ରଥଯାତ୍ରା କମିଟିର ସମ୍ପାଦକ ବସନ୍ତ କୁମାର ସମର୍ଥା କହିଛନ୍ତି ଚଳିତ ବର୍ଷ ୧୫ବର୍ଷରେ ପହଞ୍ଚିଥିଲେ ହେଁ ଏଥର ରଥଯାତ୍ରା ହେବ ନାହିଁ। ପ୍ରଭୁ ନାରାୟଣୀ ମନ୍ଦିରରେ ବିଧି ଅନୁଯାୟୀ ପୂଜା ପାଇବେ। ୪ ଜଣ ସେବାୟତଙ୍କ ଦ୍ବାରା ପାଲିଙ୍କିରେ ନୀଳାଦ୍ରି ବିଜେ ଯାତ୍ରା କରାଯିବ। ଭୀମଟାଙ୍ଗି ତଳ ଫେଜ୍‌ରେ ମହିଳାମାନଙ୍କ ଦ୍ବାରା ହେଉଥିବା ରଥଯାତ୍ରାର ସମସ୍ତ ରୀତିନୀତି ମନ୍ଦିର ପରିସରରେ ହେବ ବୋଲି ସାଇଶ୍ରୀ କ୍ଲବର ସମ୍ପାଦିକା ବବିତା ସାହୁ କହିଛନ୍ତି।

କିଛି ସ୍ଥାନରେ ହାତେ ଗଡ଼ିବ
ଏଥର ଗଡ଼ିବନି ରଥ। କିନ୍ତୁ ମହାପ୍ରଭୁଙ୍କ ରୀତିନୀତି ହେବ। ପହଣ୍ଡିରେ ସିଂହାସନରୁ ତିନି ଠାକୁରଙ୍କୁ ମନ୍ଦିର ବେଢ଼ା ମଧ୍ୟରେ ହୋଇଥିବା ପ୍ରତୀକ ଜନ୍ମବେଦିକୁ ନିଆଯିବ। ଚନ୍ଦ୍ରଶେଖରପୁର, ପଟିଆ, ଡମଣା ଓ ମଞ୍ଚେଶ୍ବର ଅଞ୍ଚଳରେ ଏମିତି ଅଭିନବ ଢଙ୍ଗରେ ଚଳିତ ବର୍ଷ ରଥ ଯାତ୍ରା ସମାହିତ ହେବ। ସୂଚନାନୁସାରେ କିସ୍ ଶ୍ରୀବାଣୀ ‌‌କ୍ଷେତ୍ର, ଆରସିଏମ୍, ବିଡିଏ, ପଟିଆ, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଭିଏସ୍ଏସ୍ ନଗର, ଗାଡ଼କଣ, ରେଲୱେ କଲୋନି ଓ ରଙ୍ଗମାଟିଆ ଜଗନ୍ନାଥ ମନ୍ଦିରମାନଙ୍କରେ ରଥଯାତ୍ରା କେବଳ ବିଧି ଅନୁସାରେ ସମାହିତ ହେବ। ତେବେ ମହାପ୍ରଭୁ ରଥାରୂଢ଼ ହେବେ ନାହିଁ କି ରଥ ଦାଣ୍ଡରେ ଗଡ଼ିବ ନାହିଁ। ସ୍ବାସ୍ଥ୍ୟ ଭଲ ନ ଥିଲେ ସେବାୟତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। କିଛି ସ୍ଥାନରେ ରଥ ପ୍ରତିଷ୍ଠା ପରେ ଠାକୁରଙ୍କୁ ପହଣ୍ଡି କରି ସିଂହାସନରୁ ମନ୍ଦିର ବାହାରକୁ ଆଣାଯିବ। ଚାରମାଳ ପାଟ ପୂଜା ଓ ଘୋଡ଼ା ସାରଥୀ ପୂଜା କରାଯିବା ପରେ ରଥକୁ ମନ୍ଦିର କମିଟି କେଇ ହାତ ଗଡ଼େଇବେ। ପରେ ଠାକୁରଙ୍କୁ ପୁଣି ପହଣ୍ଡି କରି ଅସ୍ଥାୟୀ ଜନ୍ମବେଦିକୁ ନେବେ। ସେଠାରେ ୯ ଦିନ ଧରି ସମସ୍ତ ପ୍ରକାର ପୂଜାର୍ଚ୍ଚନା କରାଯିବ। ଏହି ସମୟରେ ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର