କେନ୍ଦ୍ରାପଡ଼ା, ବାରିପଦାରେ ଏ ବର୍ଷ ଗଡ଼ିବନି ରଥ

୬ ଜିଲ୍ଲାର କେତେକ ସ୍ଥାନରେ ବି ରଥଯାତ୍ରା ବନ୍ଦ

ଭୁବନେଶ୍ବର : ଚଳିତବର୍ଷ କରୋନାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରା ଉପରେ ପଡ଼ିଛି। କେତେକ ସ୍ଥାନରେ କେବଳ ରଥଯାତ୍ରା ବିଧି ଅନୁଷ୍ଠିତ ହେବାକୁ ଥିବାବେଳେ କିଛି ସ୍ଥାନରେ ରଥଟଣା କାର୍ଯ୍ୟ ହେବନାହିଁ। ଫଳରେ, କେନ୍ଦ୍ରାପଡ଼ାରେ ପ୍ରସିଦ୍ଧ ଶ୍ରୀବଳଦେବ ଜୀଉମନ୍ଦିର ରଥଦାଣ୍ଡ ଏବଂ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡରେ ଚଳିତବର୍ଷ ମହାବାହୁଙ୍କ ରଥ ଗଡ଼ିବ ନାହିଁ। ସେହିଭଳି, ବାଲେଶ୍ବର ଜିଲ୍ଲାର ୧୨ଟି ସ୍ଥାନରେ ପ୍ରଶାସନ କଟକଣା ଜାରି କରିଥିବାବେଳେ କନ୍ଧମାଳ ଜିଲ୍ଲାର ୨ଟି, ସମ୍ବଲପୁର ଜିଲ୍ଲାର ୫ଟି ,ଗଜପତି ଜିଲ୍ଳାର ୨ଟି ଏବଂ ବାରିପଦା ବ୍ୟତିରେକ ମୟୂରଭଞ୍ଜ ଜିଲ୍ଲାର ୫ଟି ମନ୍ଦିରରେ ରଥଯାତ୍ରା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବାଲେଶ୍ବରର ବାଲିଆପାଳରେ ଥିବା ୨ ଜଗନ୍ନାଥ ମନ୍ଦିର, ବ‌ାଲେଶ୍ବର ସହର ଅନ୍ତର୍ଗତ ବ୍ଳକ୍‌ କଲୋନିସ୍ଥିତ ଜଗନ୍ନାଥ ମନ୍ଦିର, ସୋରରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ଓ ଦଧିବାମନ ଜୀଉ ମନ୍ଦିର, ରେମୁଣାର ୩ ଜଗନ୍ନାଥ ମନ୍ଦିର ଓ ଜଳେଶ୍ବରର ଇସ୍କନ ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରା ଚଳିତବର୍ଷ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିଭଳି, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ, ବାଲୁଗୁଡ଼ା; ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗୀର ଓ ଟିଟିଲାଗଡ଼; ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ଆର୍‌.ଉଦୟଗିରି; ମୟୂରଭଞ୍ଜ ଜିଲ୍ଲାର ରାସ‌ଗୋବିନ୍ଦପୁର, ବେତନଟୀ ଏବଂ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ, ସମ୍ବଲପୁର ସହରର ବୁଢ଼ାରାଜା ଓ ଧନୁପାଲିଠାରେ କେଉଁକାଳୁ ହୋଇ ଆସୁଥିବା ରଥଯାତ୍ରା ଏଥର ବନ୍ଦ ରହିବ। ଚଳିତବର୍ଷ ମହାପ୍ରଭୁଙ୍କ ରଥ ଗଡ଼ିବ ନାହିଁ ଏବଂ ମନ୍ଦିର ବାହାରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବାର ପ୍ରାଚୀନ ପରମ୍ପରାରୁ ଭକ୍ତମାନେ ବଞ୍ଚିତ ହେବେ।

YouTube

ଏ ବର୍ଷ କେନ୍ଦ୍ରାପଡ଼ାର ଆରାଧୢ ଦେବତା ସିଦ୍ଧ ବଳଦେବଜିଉଙ୍କ ରଥଯାତ୍ରା ହେବ ନାହିଁ। କରୋନା ସ˚କ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ରଥଯାତ୍ରା ଉପରେ କଟକଣା ଲଗାଇଛି। କେବଳ ମନ୍ଦିର ଭିତରେ ସେବାୟତଙ୍କ ଦ୍ବାରା ଠାକୁରଙ୍କ ଯଥାବିଧି ନୀତିକାନ୍ତି ସ˚ପନ୍ନ କରାଯିବ। ମନ୍ଦିର ପରଚାଳନା କମିଟି କର୍ମକର୍ତା ଓ ସେବାୟତଙ୍କ ସହ ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏପରି ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, କୋଭିଡ୍‌-୧୯ ପାଇଁ ଚଳିତବର୍ଷ ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ରଥଯାତ୍ରା ସମୟରେ ଯେତେ ମନାକଲେ ବି ଭକ୍ତ ସମାଗମକୁ ଅଟକାଇବା ସମ୍ଭବପର ହେବନାହିଁ। ଭକ୍ତ ବିହୀନ ରଥଯାତ୍ରା ଶ୍ରଦ୍ଧାଳୁମାନଙ୍କ ଭାବାବେଗକୁ ପ୍ରଭାବିତ କରୁଥିଲେ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର