ହାଇକୋର୍ଟରେ ଜନସ୍ବାର୍ଥ ମାମଲା : ପୁରୀରେ ମେସିନ୍ ଟାଣୁ ରଥ

ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

କଟକ : ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ମେସିନ ଦ୍ବାରା ରଥ ଟାଣିବା କାର୍ଯ୍ୟ ସଂପାଦନ ଲାଗି ନିର୍ଦ୍ଦେଶ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା ଉପରେ ଗୁରୁତ୍ବାରୋପ କରାଯାଉଛି। ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି ଓ ଏହି ସ୍ଥିତି କେବେ ପର୍ଯ୍ୟନ୍ତ ଚାଲିବ କହିବା କଷ୍ଟ। ଏଭଳି ସ୍ଥିତିରେ ରଥ ଟାଣିବା ପାଇଁ ପୁଲିସ କିମ୍ବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ନିୟୋଜିତ କରାଯିବା ଉଚିତ ନୁହେଁ। ଗୁଣ୍ଡିଚା ଓ ବାହୁଡାଯାତ୍ରା ଦିନ ମେସିନ୍ ଦ୍ବାରା ରଥ ଟଣାଯିବା ପାଇଁ ବ୍ୟବସ୍ଥା କରିବା ଲାଗି ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ। ଏଥିସହିତ ରଥଯାତ୍ରା ସମୟରେ କୌଣସି ସେବାନୀତି ନଥିବା ବ୍ୟକ୍ତିଙ୍କ ରଥ ଉପରେ ଉପସ୍ଥିତି ଉପରେ କଟକଣା ଜାରି କରାଯାଉ। ଯଥାସମ୍ଭବ କମ୍ ସଂଖ୍ୟକ ସେବକଙ୍କୁ ନେଇ ନୀତି ସଂପାଦନ କରାଯାଉ। ଅଯଥାରେ ଅଧିକ ଲୋକଙ୍କୁ ରଥ ଉପରେ ଚଢିବା ପାଇଁ ଅନୁମତି ଦିଆ ନଯାଉ। ଏହାଦ୍ବାରା ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ ହେବ ଓ କରେନା ଭୂତାଣୁ ସଂକ୍ରମଣ ଆଶଙ୍କା ବଢିବ।

ଜୁନ୍ ୫ ତାରିଖ ଦିନ ସ୍ନାନଯାତ୍ରା ସମୟରେ ସାମାଜିକ ଦୂରତ୍ବ ସହିତ ମାସ୍କ ପରିଧାନ ସଂପର୍କିତ ନିୟମ ଉଲ୍ଲଂଘନ ହୋଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାସ୍କ ପିନ୍ଧି ନଥିବା ଦଇତାପତି ଓ ଅନ୍ୟ ସେବକଙ୍କ ବିରୋଧରେ ନିୟମ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହିତ ଆଗକୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଉତ୍ସବରେ ଯେପରି ନିୟମ କଡାକଡି ଭାବେ ପାଳନ ହେବ ସେ ନେଇ ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ଗୃହ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର