ପୁରୀ : ଗତବର୍ଷ ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ବଡ଼ଦାଣ୍ଡରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ତତ୍କାଳୀନ ଅତିରିକ୍ତ ପୁଲିସ ମହାନିର୍ଦେଶକ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବା ବେଳେ ଏହି ନିଷ୍ପତ୍ତି ନିଆଗଲା। ଏଣେ ଗତ ରଥଯାତ୍ରା ଯାଇ ଚଳିତ ବର୍ଷ ରଥଯାତ୍ରା ନିକଟତର ହେଲାଣି। କିନ୍ତୁ ସହର ଓ ଉପକଣ୍ଠରେ ସିସିଟିଭି ସଜଡ଼ା ଗଲା ନାହିଁ। ୨୦୧୫ ନବକଳେବର ବର୍ଷ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପୁରୀ ସହର ଓ ପ୍ରବେଶ ପଥରେ ଲଗାଇଥିବା ସିସିଟିଭି ଫନି ବାତ୍ୟାରେ ଭାଙ୍ଗିରୁଜି ଯିବା ପରେ ଏନେଇ ଆଉ ପୁଲିସ୍ ପ୍ରଶାସନ ପକ୍ଷରୁ ଗୁରୁତ୍ବାରୋପ କରାଯାଇନାହିଁ। ରଥଯାତ୍ରା ପାଖେଇ ଆସୁଥିବାବେଳେ ସିସିଟିଭି ସଚଳ କରିବା ଦିଗରେ ପ୍ରଶାସନ ନିରବ ରହିଛି।
ପୁରୀ ସହରର ୩ ପ୍ରବେଶ ପଥରେ ସିସିଟିଭି ଭାଙ୍ଗିଯାଇଥିଲେ ବି ଏହାକୁ ସଜାଡ଼ିବା ପାଇଁ ତତ୍ପରତା ପ୍ରକାଶ ପାଉନାହିଁ। ୨୦୧୫ ନବକଳେବର ବର୍ଷ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପୁରୀ ସହର ଓ ପ୍ରବେଶ ପଥରେ ସିସିଟିଭି ଲଗାଇଥିଲେ। ଭୁବନେଶ୍ବର ଦିଗରୁ ମାଳତୀପାଟପୁର, କୋଣାର୍କ ଦିଗରୁ ଆସୁଥିବା ରାସ୍ତାରେ ଭୂଦାନ ଛକ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ରାସ୍ତାରେ ମଙ୍ଗଳାହାଟ ଛକରେ ସିସିଟିଭି ଲଗାଯାଇଥିଲା। ଠିକ୍ ଠାକ୍ ଚାଲିଥିଲେ ହେଁ ଫନି ବାତ୍ୟାରେ ସିସିଟିଭି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲା। ଓଡ଼ିଶା ପୁଲିସ୍ ହାଉସିଙ୍ଗ କର୍ପୋରେସନ ପକ୍ଷରୁ ପୁରୀର ପ୍ରବେଶ ପଥ ସମେତ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସିସିଟିଭି ଲଗାଯାଇଥିଲା। ବଡ଼ଦାଣ୍ଡ ମଧ୍ୟରେ ୧୫୦ ଫିକ୍ସଡ ସିସିଟିଭି କ୍ୟାମେରା ଓ ୩୧ଟି ମୁଭେବୁଲ କ୍ୟାମେରା, ଶ୍ରୀମନ୍ଦିର ମଧ୍ୟରେ ୪୫ଟି ଫିକ୍ସଡ କ୍ୟାମେରା ଓ ୧୭ଟି ରୋଟେଟିଙ୍ଗ କ୍ୟାମେରା ଲଗାଯାଇଥିଲା।
/sambad/media/post_attachments/wp-content/uploads/2022/05/cctv-2.jpg)
ଏହାବ୍ୟତୀତ ଅଠରନଳା, ହରେକୃଷ୍ଣପୁର, ମାଳତୀପାଟପୁର ବସ୍ଷ୍ଟାଣ୍ଡ, ତାଳବଣିଆ, ସିଟି ବସ୍ଷ୍ଟାଣ୍ଡ, ଭିଆଇପି ରୋଡ୍, ରେଳ ଷ୍ଟେସନ୍, ସୁଭାଷ ବୋଷ ଛକ, ମୋଚି ସାହି, ନୃସିଂହ ମନ୍ଦିର ଛକ, ଗୌରାଙ୍ଗ ଛକ ନିକଟରେ ୧୧୪ ଷ୍ଟେସନାରି କ୍ୟାମେରା ଓ ୧୪ଟି ରୋଟେଟିଙ୍ଗ କ୍ୟାମେରା ଲଗାଯାଇଥିଲା। ଏଗୁଡ଼ିକର ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ୍ ରୁମ୍ ଟାଉନ ଥାନା ପରିସରରେ କରାଯାଇଥିଲା। ଏ ବାବଦରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଫନି ବାତ୍ୟାରେ କ୍ଷୟକ୍ଷତି ପରେ ଏହାକୁ ପୁନରୁଦ୍ଧାର କରାଗଲା ନାହିଁ। ଗତବର୍ଷ ରାଜ୍ୟ ରାଜକୋଷରୁ ପୁଣି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଆଉ ୨୩୬ ସିସି କ୍ୟାମେରା ଲଗାଇବାକୁ ଅଣ୍ଟା ଭିଡ଼ିଥିଲେ ବି ବର୍ଷେ ହେଲା ତାହା ସାକାର ହୋଇପାରିଲା ନାହିଁ। ଏହି ବାଟ ଦେଇ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ କେନ୍ଦ୍ରମନ୍ତ୍ରୀ, ଓ ପୁଲିସ୍ ପ୍ରଶାସର ଉଚ୍ଚପଦସ୍ଥ ଅଧିକାରୀମାନେ ଆସୁଛନ୍ତି, କିନ୍ତୁ ଏହାକୁ ସଜାଡ଼ିବା ଦିଗରେ ଗୁରୁତ୍ବାରୋପ କରାଯାଉନାହିଁ।
ଏନେଇ ସାମାଜିକ କର୍ମୀ ଜ୍ୟୋତିରଂଜନ ନାୟକ କହିଛନ୍ତି, ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକ ପୁରୀକୁ ଛୁଟି ଆସୁଛନ୍ତି। ସେମାନଙ୍କ ନିରାପତ୍ତା ଓ ସୁରକ୍ଷା ସବୁଠୁ ଗୁରୁତ୍ବପୂର୍ଣ୍ଣ। ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ସରକାର ଗୁରୁତ୍ବାରୋପ କରିବା ଉଚିତ। ଅପରାଧିକ କାର୍ଯ୍ୟକଳାପ ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ତୃତୀୟ ନୟନ ଭଳି ନଜର ରଖୁଥିବା ସିସିଟିଭି ବ୍ୟବସ୍ଥାକୁ ସହରର ସୀମାନ୍ତରେ ସଚଳ କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/puri-3.jpg)