ପୁରୀ : ଶ୍ରୀମନ୍ଦିରରେ ଏକଛତ୍ରବାଦୀ ଶାସନ ଚଳିବନି। ତୁରନ୍ତ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲ। ଶୋଷଣମୁକ୍ତ ପରିବେଶ ପାଇଁ ଉତ୍ତରଦ୍ବାରରୁ ମହାପ୍ରସାଦ ଆଣିବାକୁ ଭକ୍ତଙ୍କୁ ଅନୁମତି ଦିଅ। ୩ ବର୍ଷ ହେଲାଣି ଶ୍ରୀମନ୍ଦିର ରୋଷଘର ପାଇଁ ଜାଳେଣି ସମସ୍ୟା ଦେଖାଦେଲାଣି। ସେବାୟତ ପରିବାର ଜାଳେଣି ପାଇଁ କଲବଲ ହେଉଛନ୍ତି। ଯଦି ଏଭଳି ସମସ୍ୟା ଲାଗିରହେ, ଦିନ ଆସିବ ଗ୍ୟାସରେ ମହାପ୍ରସାଦ ରନ୍ଧନ ପରିସ୍ଥିତି ଉପୁଜିବ। ଆଜି ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକରେ ଏଭଳି ଢଙ୍ଗରେ ପ୍ରଶାସନିକ ଅଧିକାରୀଙ୍କୁ ଘେରିଛନ୍ତି ଶ୍ରୀମନ୍ଦିର ସେବାୟତ। ବିଭିନ୍ନ ପ୍ରସଙ୍ଗ ଉଠାଇ ତମ୍ବିତୋଫାନ କରିଛନ୍ତି। ତତ୍କାଳ ସମାଧାନ ପାଇଁ ଦାବି କରିଛନ୍ତି। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଅଭିଯୋଗ ଶୁଣିବା ପରେ ଅଧିକାରୀଙ୍କ ସହ ଆଲୋଚନା ପୂର୍ବକ ସବୁ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଭକ୍ତଙ୍କୁ ଚାରିଦ୍ବାରରୁ ମିଳୁ ଦର୍ଶନ
ପରିକ୍ରମା ପ୍ରକଳ୍ପ ଶୀଘ୍ର ସାର: ବିଧାୟକ
ରଥଯାତ୍ରାରେ ଜଗିବେ ୧୫୦ ପ୍ଲାଟୁନ ଫୋର୍ସ

ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ୍‌ ହଲ୍‌ରେ ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଆରମ୍ଭରୁ ବିଧାୟକ ଶ୍ରୀ ଷଡ଼ଙ୍ଗୀ ପରିକ୍ରମା ପ୍ରକଳ୍ପ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ତୁରନ୍ତ କାମ ସାରିବାକୁ କହିଥିଲେ। ବିଧାୟକ କହିଥିଲେ, ଶ୍ରୀମନ୍ଦିର ଚତୁଃପାର୍ଶ୍ବକୁ ହରଚଣ୍ଡୀସାହି, ବାଲିସାହି, ଦୋଳମଣ୍ଡପସାହି, ଧାନକୁଟିସାହି ଆଦି ରାସ୍ତା ସଂଯୋଗ କରୁଛି। କିନ୍ତୁ ରାସ୍ତାଘାଟ ଖୋଳି ଦିଆଯାଇଥିବାରୁ ସ୍ଥାନୀୟ ଲୋକେ କଲବଲ ହେଉଛନ୍ତି। ଯଦି ଏବେ ଏଭଳି ସମସ୍ୟା, ରଥଯାତ୍ରାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ।

ବରିଷ୍ଠ ସେବାୟତ ରଜତ ପ୍ରତିହାରୀ, ବିଶ୍ବାବସୁ ବିନାୟକ ଦାସମହାପାତ୍ର, ତଳୁଛ ନୀଳକଣ୍ଠ ମହାପାତ୍ର, ଦାମୋଦର ମହାସୁଆରଙ୍କ ସହ ଅନ୍ୟ ବରିଷ୍ଠ ସେବାୟତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଅଡ଼ି ବସିଥିଲେ। ଅଭିଯୋଗ କରିଥିଲେ, ଚାରିଦ୍ବାର ନ ଖୋଲିବାରୁ ଭକ୍ତ ଖରାତରାରେ ଛିଡ଼ା ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅଧିକ କଷ୍ଟ ପାଉଛନ୍ତି ସ୍ଥାନୀୟ ଭକ୍ତ। ଆଗରୁ ସ୍ଥାନୀୟ ଭକ୍ତମାନେ ଚାରିଦ୍ବାର ଦେଇ ସୁବିଧାରେ ଦର୍ଶନ କରି ଫେରୁଥିଲେ। କିନ୍ତୁ କରୋନା ଆଳରେ ଦୁଇବର୍ଷ ହେଲାଣି ଏଥିରେ ପ୍ରତିବନ୍ଧକ ଲଗାଯାଇଛି। ବରିଷ୍ଠ ନାଗରିକମାନେ ବି ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଓ ଅନେକ ସମୟରେ ମହାପ୍ରଭୁଙ୍କୁ ଦର୍ଶନ ନ ପାଇ ଫେରୁଛନ୍ତି। ସେବାୟତଙ୍କୁ ସମାଲୋଚନା କରୁଛନ୍ତି। ସେହିଭଳି ଭକ୍ତମାନେ ଲଡ଼ୁ ହେଉ କି ଅନ୍ୟ ମହାପ୍ରସାଦ ଆବଶ୍ୟକ ପଡ଼ିଲେ, ଉତ୍ତରଦ୍ବାର ଦେଇ ଆଣି ପାରୁଥିଲେ। ଏହିଦ୍ବାର ବି ଭକ୍ତଙ୍କ ପାଇଁ ବନ୍ଦ କରି ଦିଆଯାଇଛି। କିଛି ଦଲାଲ ଏହାର ସୁଯୋଗ ନେଇ ଚାରିଗୁଣା ଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି। ଅଯଥା ସୁପକାରମାନେ ବଦନାମ ହେଉଛନ୍ତି।

ଦାମୋଦର ମହାସୁଆର ଅଭିଯୋଗ କରିଥିଲେ, ଶ୍ରୀମନ୍ଦିର ଦାୟିତ୍ବରେ ରହୁଥିବା ପୁଲିସ, ଜେଟିପି, ଓଏସ୍‌ଏପିମାନେ ହାତଗୁଞ୍ଜା ନେଇ ଭକ୍ତଙ୍କୁ ବିଭିନ୍ନ ଗଳିଆ ବାଟରେ ଭର୍ତ୍ତି କରୁଛନ୍ତି। ଏହା ଆମେ ସ୍ବଚକ୍ଷୁରେ ଦେଖୁଛୁ। ଆଇନମନ୍ତ୍ରୀ ଶ୍ରୀ ସାରକା ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରଜତ ପ୍ରତିହାରୀ ଅଭିଯୋଗ କରିଥିଲେ, ୩ ବର୍ଷ ହେଲାଣି ସେବାୟତମାନେ ଜାଳେଣି କାଠ ପାଇଁ ଅସୁବିଧା ଭୋଗୁଛନ୍ତି। ରୋଷଘର ପାଇଁ ନିୟମିତ ଝାଉଁ କାଠ ଆବଶ୍ୟକ। କିନ୍ତୁ ମନ୍ଦିର ପାଖରେ ଡିପୋ ନ ଥିବାରୁ ଦୂରରୁ କାଠ ଆଣିବାକୁ ପଡ଼ୁଛି। ଚୋରାରେ ବିକ୍ରି ହେଉଥିବା କାଠକୁ ଅଧିକ ଦର ଦେଇ କିଣୁଛନ୍ତି। ବିଶ୍ବାବସୁ ଶ୍ରୀ ଦାସମହାପାତ୍ର କହିଥିଲେ, ଏମିତି ସମସ୍ୟା ଲାଗି ରହିଲେ, ମହାପ୍ରସାଦ ଦର ବଢ଼ିବ, ଭକ୍ତମାନେ ଅଧିକ ଟଙ୍କା ଦେଇ ମହାପ୍ରସାଦ କିଣିବେ। ପୂର୍ବ ଭଳି ତୁରନ୍ତ ଶ୍ରୀମନ୍ଦିର ପାଖରେ ଏକ କାଠ ଡିପୋ ଖୋଲିବାକୁ ଦାବି କରିଥିଲେ। ପୂର୍ବତନ ପରଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ବଡ଼ଦାଣ୍ଡ ପିଚୁ କାମ ତୁରନ୍ତ ସାରିବାକୁ ଦାବି କରିଥିଲେ। ଚଳିତ ରଥଯାତ୍ରାରେ ଆଇନଶୃଙ୍ଖଳା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଡା. କେ. ବିଶାଳସିଂହ କହିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ, ରାସ୍ତାଘାଟ, ପରିମଳ ଆଦି ଉପରେ ବି ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌ କେ ଶର୍ମା, ଅତିରିକ୍ତ ଆଇନ ସଚିବ ପ୍ରଣୟ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।