ଶେଷହେଲା ୧୨ ଦିନର ଘୋଷଯାତ୍ରା: ନୀଳକନ୍ଦରରେ ଚତୁର୍ଦ୍ଧାମୂର୍ତ୍ତି, ମହାପ୍ରଭୁଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ Latestଜିଲ୍ଲାପୁରୀ By Sambad Digital Last updated Jul 13, 2022 ସେୟାର ପୁରୀ : ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ନବଦିନାତ୍ମକ ଯାତ୍ରା ସାରି ମଙ୍ଗଳବାର ଦିନ ନୀଳକନ୍ଦରକୁ ବିଜେ କରିଛନ୍ତି ମହାପ୍ରଭୁ। ସାଙ୍ଗରେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ଧରି ପୁଣିଥରେ ଶ୍ରୀମନ୍ଦିରକୁ ଫେରିଛନ୍ତି। ଜନ୍ମବେଦି ଓ ରଥ ଉପରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବାପରେ ଆଜି ରତ୍ନବେଦିରେ ବିଜେ କରିଛନ୍ତି ନୀଳଦ୍ରିନାଥ। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ମଙ୍ଗଳବାର ଦିନ ଆଷାଢ଼ ଶୁକ୍ଳ ତ୍ରୟୋଦାଶୀ ତିଥିରେ ବିଜେ କାହାଳୀ ସହ ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲି ଝୁଲି ନୀଳକନ୍ଦରକୁ ବିଜେ କରିଛନ୍ତି। ରଥଯାତ୍ରାର ଶେଷଦିନରେ ନୀଳାଦ୍ରି ବିଜେ ବେଳେ ଦେଖିବାକୁ ମିଳିଛି ଭାବବିହ୍ବଳ ଓ ଭକ୍ତିମୟ ପରିବେଶ। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଡାକରେ ଫାଟି ପଡ଼ିଛି ସିଂହଦ୍ୱାର। ଆସନ୍ତାକାଲିଠାରୁ ପୁଣିଥରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରୁ ଦର୍ଶନ ଦେବେ। ଭକ୍ତମାନ ନୀଳାଚଳ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜିବେ। ସେପଟେ ଚଳିତବର୍ଷ ସଅଳ ପହଣ୍ଡି ଶେଷ ହୋଇଛି। ରାତି ୧୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସମ୍ପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସମ୍ପନ୍ନ ହୋଇଛି। ନୀଳାଦ୍ରି ବିଜେ ଉପଲକ୍ଷେ ମଙ୍ଗଳବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ତିନି ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶଶେଷ ପରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ପରେ ସକାଳଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା ବେଶଶେଷ ପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସନ୍ଧ୍ୟାଆଳତି, ସନ୍ଧ୍ୟା ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯାଇଥିଲା। ପୁଷ୍ପାଞ୍ଜଳି ପରେ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଚାରମାଳ ଉପରେ ତିନିଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା। ପ୍ରଥମେ ରାମ-କୃଷ୍ଣ, ମଦନମୋହନ ନୀଳାଦ୍ରି ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନଙ୍କୁ ରତ୍ନବେଦିରେ ବିଜେ କରାଯାଇଥିଲା। ପରେ ରାତି ୭ଟା ୨୦ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ଠାକୁର ରତ୍ନବେଦିରେ ବିଜେ କରିବା ପରେ ମା’ ସୁଭଦ୍ରାଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରା ରତ୍ନବେଦିରେ ବିଜେ କରିବାପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିରର ଚାହାଣୀ ମଣ୍ଡପରୁ ଲକ୍ଷ୍ମୀ-ନାରାୟଣ ଭେଟ ଓ ବଚନିକା ପାଠ ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ।