ରଥଯାତ୍ରାକୁ ଭୁଲିଗଲା କେନ୍ଦ୍ର : ‘ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ ତାଲିକାରେ​ ନାହିଁ

ଗବେଷକ, ଜଗନ୍ନାଥପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରୁଛି ନିଷ୍ପତ୍ତି, ସ୍ଥାନ ପାଇଛି ମାଣ ଓଷା, ଛଉ ନୃତ୍ୟ, ରାବଣ ଛାୟା

ଭୁବନେଶ୍ବର/ପୁରୀ : ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କୁମ୍ଭ ମେଳା ସ୍ଥାନ ପାଇଲା। ‌ପଶ୍ଚିମବଙ୍ଗର ଦୁର୍ଗା ପୂଜା ତାଲିକାରେ ରହିଲା। ଆସାମର ଜୋନ୍‌ବିଲ୍‌ ମେଳା ବି। କିନ୍ତୁ ଓଡ଼ିଶାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କିପରି ବିଶେଷଜ୍ଞମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଲା ନାହିଁ? ଶହ ଶହ ବର୍ଷ ରଥଯାତ୍ରାର ସାଂସ୍କୃତିକ ଐତିହ୍ୟ କେଉଁ ଦୃଷ୍ଟିରୁ କମିଗଲା?

ଗତ ୧୮ ତାରିଖ ବିଶ୍ବ ଐତିହ୍ୟ ଦିବସ‌ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ‘ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ ତାଲିକାକୁ ନେଇ ଏମିତି ପ୍ରଶ୍ନ ଉଠୁଛି ଓଡ଼ିଶାରେ। ବର୍ଷ ବର୍ଷ ଧରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଭାବେ ଜଣାଶୁଣା ରଥଯାତ୍ରାକୁ ‌େକମିତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଡ଼ାଇଗଲା, ତାହାର ଉତ୍ତର କେହି ପାଉ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଓଡ଼ିଶାକୁ ଏତେ ବଡ଼ ଧକ୍କା ହୋଇଥିଲେ ବି ରାଜ୍ୟ ସଂସ୍କୃତି ବିଭାଗ ନିରବ ରହିଛି। କେନ୍ଦ୍ରକୁ ଏହି ପ୍ରସଙ୍ଗରେ ଚିଠିଟିଏ ଲେଖି ଦାବି ଉପସ୍ଥାପନ କରିନି।

ଅବଶ୍ୟ ଓଡ଼ିଶାର ତିନିଟି ସା‌ଂସ୍କୃତିକ ଐତିହ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ତାହା ହେଲା ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣଛାୟା। ଓଡ଼ିଶାର ସାଂସ୍କୃତିକ ଦୁନିଆରେ ଏହି ତିନିଟି ଐତିହ୍ୟର ନିଶ୍ଚିତ ଗୁରୁତ୍ବ ରହିଛି।

ମାଣବସା ଗୁରୁବାର ଖାଣ୍ଟି ଓଡ଼ିଆ ପର୍ବ ଓ ଘରେ ଘରେ ଏକ ପରିଚିତ ପରମ୍ପରା। ସେହିପରି ଛଉ ନୃତ୍ୟ ପାଇଁ ଦେଶବିଦେଶରେ ଓଡ଼ିଶା ବେଶ୍‌ ଖ୍ୟାତି ସାଉଁଟିଛି। ରାବଣଛାୟାର ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ରହିଛି।

ଏହା ସତ୍ତ୍ବେ ରଥଯାତ୍ରା ହିଁ ଓଡ଼ିଶାର ସବୁଠାରୁ ବଡ଼ ସାଂସ୍କୃତିକ ଐତିହ୍ୟ, ଯାହା କି ଦେଶବିଦେଶରେ ଓଡ଼ିଶା ତଥା ଭାରତକୁ ସ୍ବତନ୍ତ୍ର ପରିଚୟ ଦେଉଛି। ଉଭୟ ସାଂସ୍କୃତିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ବ ଅଧିକ। ଯେଉଁ ମାପକାଠିରେ ସଂସ୍କୃତି ମନ୍ତ୍ରଣାଳୟ ୧୦୦ରୁ ଅଧିକ ସାଂସ୍କୃତିକ ଐତିହ୍ୟକୁ ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍ ତାଲିକାରେ ସ୍ଥାନ ଦେଲା, ସେହି ମାପକାଠିରେ ରଥଯାତ୍ରା ଯୋଗ୍ୟତା ପର୍ଯ୍ୟାୟକୁ ନ ଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

ୟୁନେସ୍କା ପକ୍ଷରୁ ସାରା ବିଶ୍ବର ‘ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ ତାଲିକା ପ୍ରସ୍ତୁତ କରାଯାଉଛି। ଏହି ତାଲିକାରେ ବର୍ତ୍ତମାନ ସୁଦ୍ଧା ଭାରତରୁ ୧୩ଟି ସାଂସ୍କୃତିକ ଐତିହ୍ୟ ସ୍ଥାନ ପାଇଛି। ୨୦୧୭ରେ ଶେଷ ଥର ପାଇଁ କୁମ୍ଭମେଳା ସ୍ଥାନ ପାଇଥିଲା। ବିଶ୍ବର ବିଭିନ୍ନ ଦେଶରେ ଥିବା ସାଂସ୍କୃତିକ ଐତିହ୍ୟକୁ ବ୍ୟାପକ ପ୍ରଚାର ପ୍ରସାର କରି ପିଢ଼ି ପରେ ପିଢ଼ି ମଧ୍ୟରେ ତାହାକୁ ଉଜ୍ଜୀବିତ କରି ରଖିବା ପାଇଁ ୟୁନେସ୍କୋ ପକ୍ଷରୁ ଏହି ଉଦ୍ୟମ କରାଯାଇଛି। ୟୁନେସ୍କୋ ତାଲିକାରେ ସ୍ଥାନ ପାଉଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକର ଆନ୍ତର୍ଜାତିକ ସ୍ତରରେ ପ୍ରଚାର, ପ୍ରସାର ହୋଇପାରୁଛି।

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ଚୟନ ଢାଞ୍ଚାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ‘ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ବିଭିନ୍ନ ରାଜ୍ୟର ୧୦୬ଟି ସାଂସ୍କୃତିକ ଐତିହ୍ୟ ଏଥିରେ ସ୍ଥାନ ପାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଭିଜନ୍-୨୦୨୪ ପ୍ରସ୍ତୁତ କରାଯାଉଛି। ସେଥିରେ ‘ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ରହିବ। ସଂସ୍କୃତି ମନ୍ତ୍ରଣାଳୟର ଏକ ଯୋଜନା ‘ସେଫ୍‌ଗାର୍ଡିଂ ଦି ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍ ଆଣ୍ଡ୍‌ ଡିଭର୍ସ କଲ୍‌ଚରାଲ୍‌ ଟ୍ରାଡିସନ୍ ଅଫ୍ ଇଣ୍ଡିଆ’ ଅଧୀନରେ ସାଂସ୍କୃତିକ ଐତିହ୍ୟକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବେ। ଏହି ତାଲିକାରୁ କିଛି ସାଂସ୍କୃତିକ ଐତିହ୍ୟକୁ ୟୁନେସ୍କୋ ତାଲିକାରେ ସ୍ଥାନ ଦେବାକୁ ମଧ୍ୟ ପର୍ଯ୍ୟାୟକ୍ରମେ ଉଦ୍ୟମ କରାଯିବାର ଯୋଜନା ରହିଛି।

ସଂସ୍କୃତି ମନ୍ତ୍ରଣାଳୟର ‘ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ ତାଲିକା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ଓଡ଼ିଶା ସରକାର ସେହି ସୁଯୋଗ ହାତଛଡ଼ା କରିବା ଉଚିତ ନୁହେଁ। ଏହି ତାଲିକାରେ ରଥଯାତ୍ରା ସ୍ଥାନ ପାଇଲେ ହିଁ ଭବିଷ୍ୟତରେ ୟୁନେସ୍କୋ ତାଲିକାରେ ସ୍ଥାନ ପାଇବାର ସମ୍ଭାବନା ରହିଛି, ଯାହା କି ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନର ବିକାଶରେ ସହାୟକ ହେବ। ଆହୁରି ମଧ୍ୟ ରଥଯାତ୍ରାକୁ ଏଥିରେ ସ୍ଥାନ ଦେବା ଓଡ଼ିଶା ପାଇଁ ଏକ ସମ୍ମାନର ପ୍ରଶ୍ନ ଅଟେ।

ରଥଯାତ୍ରାକୁ ସ୍ଥାନ ‌ନ ଦିଆଯିବା ନେଇ ଓଡ଼ିଶାରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି ଯେ ଯଦି ଓଡ଼ିଶାର କୌଣସି ଗୋଟିଏ ପର୍ବକୁ ପ୍ରଥମେ ବିଚାରକୁ ନିଆଯାଏ, ତାହା ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହା ଓଡ଼ିଶାର ନିଜସ୍ବ ପର୍ବ। ଓଡ଼ିଶାର ମୂଳ ମାଟିରେ ଯେଉଁ ରଥଯାତ୍ରା ଚାଲିଛି, ତାହା ସାରା ବିଶ୍ବକୁ ବ୍ୟାପିଛି। ଯେଉଁ ପରମ୍ପରା ତଥା ସଂସ୍କୃତି ସାରା ବିଶ୍ବକୁ ମାର୍ଗଦର୍ଶନ କରୁଛି, ତାକୁ ଏହି ତାଲିକାରୁ ବାଦ୍‌ ଦେବା ଉଚିତ ହୋଇନି। ଓଡ଼ିଶାର ଯଦି କୌଣସି ପର୍ବ ‘ଇନ୍‌ଟାଞ୍ଜିବଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ ତାଲିକାରେ ନେବାକୁ ହୁଏ, ‌ତାହା ପ୍ରଥମେ ରଥଯାତ୍ରା ହିଁ ହେବ। ସଂସ୍କୃତି ମନ୍ତ୍ରଣାଳୟ ତାଲିକାରେ ରଥଯାତ୍ରାକୁ ପ୍ରାଥମିକତା ଭିତ୍ତିରେ ସ୍ଥାନ ଦେବା ଦରକାର।

ବରିଷ୍ଠ ସଂସ୍କୃତି ଗବେଷକ ତଥା ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଡ. ଭାସ୍କର ମିଶ୍ର କହିଛନ୍ତି ଯେ ରଥଯାତ୍ରା ହଜାର ହଜାର ବର୍ଷର ପରମ୍ପରା। ଯେଉଁଥିରେ ବିଶ୍ବର କୋଣ ଅନୁକୋଣରୁ ଭକ୍ତମାନେ ସାମିଲ୍‌ ହୁଅନ୍ତି। ଯେଉଁ ତିନୋଟି ପରମ୍ପରାକୁ ତାଲିକାରେ ସ୍ଥାନିତ କରାଯାଇଛି, ତା’ ଅପେକ୍ଷା ରଥଯାତ୍ରାର ପ୍ରସିଦ୍ଧି କାହିଁ କେତେ ଗୁଣରେ ଅଧିକ। ଏହା ଅତ୍ୟନ୍ତ ପ୍ରାଚୀନ।

ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର ମିଶ୍ର କହିଛନ୍ତି ଯେ ରଥଯାତ୍ରା ସବୁଠାରୁ ବଡ଼ ଯାତ୍ରା। ସେହିଭଳି କଟକର ବାଲିଯାତ୍ରା ଓଡ଼ିଶାର ଐତିହ୍ୟକୁ ନେଇ ହୁଏ। ଏସବୁ ‘ଇନ୍‌ଟାଞ୍ଜିବେଲ୍‌ କଲ୍‌ଚରାଲ୍‌ ହେରିଟେଜ୍’ ତାଲିକାରେ ରହିବା ଦରକାର। ଯେଉଁମାନେ ଏହି ତାଲିକା ପ୍ରସ୍ତୁତ କରିଛନ୍ତି, ବୋଧହୁଏ ଅଧିକ ଗବେଷଣା କରିନାହାନ୍ତି। ଏହାକୁ ଆଉଥରେ ବିଚାରକୁ ନିଆଯାଉ। ଆମର ଗୁରୁତ୍ବପୂର୍ଣ୍ଣ ଯାତ୍ରାଗୁଡ଼ିକ ଏଥିରେ ସାମିଲ୍‌ କରାଯାଉ। ଏହାର ସାମାଜିକ ଓ ମାନବିକ ଦୃଷ୍ଟିକୋଣକୁ ବି ବିଚାରକୁ ନିଆଯାଉ।
ସଂସ୍କୃତି ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରେ ଏହି ତାଲିକା ଦିଆଯିବା ସହ ବିଭିନ୍ନ ମହଲରୁ ମତାମତ ମଧ୍ୟ ଆହ୍ବାନ କରାଯାଇଛି। ବଳିଷ୍ଠ ଯୁକ୍ତି ସହ ଅନ୍ୟ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଲେ ତାହାକୁ ଅନୁଧ୍ୟାନ କରାଯାଇ ତାଲିକାରେ ସାମିଲ କରାଯିବାର ସୁଯୋଗ ରହିଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଗଲେ ରଥଯାତ୍ରା ସ୍ଥାନ ପାଇବାରେ କୌଣସି ଅସୁବିଧା ହେବ ନାହିଁ। କାରଣ ଅନେକ ରାଜ୍ୟର ୫/୬ଟି ଲେଖା ସାଂସ୍କୃତିକ ଐତିହ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ପଡ଼ୋଶୀ ପଶ୍ଚିମବଙ୍ଗର ସର୍ବାଧିକ ୮ଟି ସାଂସ୍କୃତିକ ଐତିହ୍ୟ ତାଲିକାଭୁକ୍ତ ହୋଇଛି। ଓଡ଼ିଶା ପକ୍ଷରୁ ତୁରନ୍ତ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ଉଠୁଛି।

ଏ ସମ୍ପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଥିଲେ, ଓଡ଼ିଶାର ତିନିଟି ସାଂସ୍କୃତିକ ଐତିହ୍ୟ ସ୍ଥାନ ପାଇବା ଖୁସିର ବିଷୟ। ରଥଯାତ୍ରା ସ୍ଥାନ ପାଇଥିଲେ ଆହୁରି ଭଲ ହୋଇଥା’ନ୍ତା। ତେବେ ଏହି ତାଲିକାରେ ଭବିଷ୍ୟତରେ ନୂଆ ସାଂସ୍କୃତିକ ଐତିହ୍ୟ ଯୋଡ଼ାଯାଇପାରିବ। ସେ ଦିଗରେ ରାଜ୍ୟ ସଂସ୍କୃତି ବିଭାଗ ମଧ୍ୟ ଆଲୋଚନା କରିବ।

ସମ୍ବନ୍ଧିତ ଖବର