ପୁରୀ : ଶନିବାର ଦିନ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ ଅବସରରେ ଦଇତାପତିଙ୍କ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ଅବସରରେ ଗଜପତି ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବିଶେଷ ଗୁରୁତ୍ବ ଦେଇଛନ୍ତି। ଆଲୋଚନା ପରେ ଗଜପତି ମହାରାଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ଓ ଆସନ୍ତାକାଲି, ଦୁଇଦିନ ବନକଲାଗି କରାଯିବ। ନବଯୌବନ ଦର୍ଶନ ଦିନ ମହାପ୍ରଭୁ ଲକ୍ଷାଧିକ ଭକ୍ତଙ୍କୁ ନୂଆ ରୂପରେ ଦର୍ଶନ ଦେବେ। ଗତକାଲି ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରିଥିଲି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପର ଲୁହା ବିମ୍ ସ୍ଥାନରେ ଷ୍ଟେନ୍ଲେସ୍ ଷ୍ଟିଲ୍ ବିମ୍ ଲଗାଯାଇଛି। ଆଉ କିଛି କାର୍ଯ୍ୟ ବାକି ରହିଛି, ତାହା ରଥଯାତ୍ରା ପରେ ସମ୍ପୂର୍ଣ୍ଣ କରାଯିବ। ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରାକୁ ଗଜପତି ବିରୋଧ କରିଛନ୍ତି। ଏହା ବନ୍ଦ ହେବା ଆବଶ୍ୟକ ବୋଲି କହିଛନ୍ତି।
ଗଜପତି କହିଛନ୍ତି, ବିଧି ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ରଥଯାତ୍ରା ହେବା କଥା। ସ୍ଥଳ ବିଶେଷରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ତ୍ରୟୋଦଶୀ ତିଥି ମଧ୍ୟରେ ରଥଯାତ୍ରା ହୋଇପାରିବ। ଖଜାର ବ୍ୟବସାୟୀକରଣ, ନିର୍ମାଲ୍ୟ ବିକ୍ରି ଓ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ରନ୍ଧନ କରି ବିକ୍ରି ହେଉଥିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ। ମହାପ୍ରସାଦର ସ୍ବତନ୍ତ୍ର ମର୍ଯ୍ୟାଦା ଓ ପ୍ରସ୍ତୁତ ପ୍ରଣାଳୀ ସ୍ବତନ୍ତ୍ର ରହିଥିବାରୁ ବାହାରେ କୁଡୁଆରେ ରନ୍ଧନ କରି ମହାପ୍ରସାଦ ନାଁରେ ବିକ୍ରି କରିବା ଆଦୌ ଉଚିତ ନୁହେଁ। ଏହା କଳି ଯୁଗର ପ୍ରଭାବ। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବା ଉଚିତ୍ ବୋଲି ଗଜପତି କହିଛନ୍ତି। ମହାପ୍ରଭୁଙ୍କ ସଂସ୍କୃତି, ପରମ୍ପରା, ଯାନିଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କରେ ଓଡ଼ିଶା ବାହାରେ ଥିବା ଲୋକଙ୍କୁ ଜଣାଇବା ପାଇଁ ବିଭିନ୍ନ ଭାଷାରେ ଅଧିକ ପୁସ୍ତକ ପ୍ରକାଶ ପାଇବା ଆବଶ୍ୟକ। ସେହିପରି ଗଜପତିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ପଞ୍ଚରାତ୍ର ରାଜ୍ୟର ପ୍ରତି ଅନୁକୋଣରେ ଆୟୋଜନ ହେବା ଆବଶ୍ୟକ ବୋଲି ଗଜପତି କହିଛନ୍ତି।