କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ଦାୟର ମାମଲାରେ ପକ୍ଷଭୁକ୍ତ ହେବାପାଇଁ ହାଇକୋର୍ଟରେ ପୁରୀର ତିନିଜଣ ଆଇନଜୀବୀ ‘ଇଣ୍ଟରଭେନସନ୍’ ପିଟିସନ୍ ଦାଖଲ କରିଛନ୍ତି। ଆଇନଜୀବୀ ବିଶ୍ବନାଥ ଦାଶ, ରାମଚନ୍ଦ୍ର ସାହୁ ଓ ଶିବାନନ୍ଦ ପାତ୍ର ମିଳିତ ଭାବେ ଏ ନେଇ ଗୋଟିଏ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ମେ ୨୧ରେ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ରଥଯାତ୍ରା ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ମଙ୍ଗଳବାର ଦିନ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଦୁଇଟି ଆବେଦନ ଦାଖଲ କରାଯାଇଥିଲା। ଆଜି ଆଉ ଏକ ଏପରି ଆବେଦନ ଦାଖଲ କରାଯାଇଛି। ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅନୁମତି ମିଳୁ ଓ ମାମଲାରେ ଶୁଣାଣି ସମୟରେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ରଥଯାତ୍ରା ସ୍ଥଗିତ ପାଇଁ ଶ୍ରୀ ପାଣିଗ୍ରାହୀଙ୍କ ଆବେଦନରେ ପ୍ରାର୍ଥନା କରାଯାଇଥିବା ବେଳେ ଏହାକୁ ବିରୋଧ କରି ଏପରି ପିଟିସନ୍ ଦାଖଲ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ରଥଯାତ୍ରା ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ରୁଜୁ ମାମଲାରେ ଦର୍ଶାଯାଇଛି ଯେ ଇତି ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଇଥିବା ବେଳେ ଜୁନ୍ ୨୩ରେ ରଥଯାତ୍ରା ଦିନ ଏହି ସଂଖ୍ୟା ବହୁ ଅଧିକ ହୋଇଥିବ ବୋଲି ଅନୁମାନ କରାଯାଉଛି। ଲକ୍ଡାଉନ୍ ଅବଧି ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଜୁନ୍ ୨୩ରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ରଖାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୁରୀର ତିନି ଆଇନଜୀବୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/high-court.jpg)