‘ରଥଯାତ୍ରାର ବିକଳ୍ପ ନାହିଁ’, ରଥ ନ ଗଡ଼ିଲେ ବନ୍ଦ ହୋଇଯିବ ନୀତି

ସରକାର ସ୍ବତନ୍ତ୍ର ଅଧ୍ୟାଦେଶ ଆଣନ୍ତୁ

ପୁରୀ : ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟର ଯେଭଳି ବିକଳ୍ପ ନାହିଁ, ରଥଯାତ୍ରାର ବି ସେଭଳି କୌଣସି ବିକଳ୍ପ ନାହିଁ। ରଥଯାତ୍ରା ହେବ କି ନାହିଁ, ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ। ରଥରେ ଆଜ୍ଞାମାଳ ବିଜେ ହେଲେ ରଥଯାତ୍ରା ସୁନିଶ୍ଚିତ ହେବ। ବିଜେ ନହେଲେ ରଥଯାତ୍ରା ହୋଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ଏ ନିଷ୍କର୍ଷ ଆସିଯିବ। ତେଣୁ ସରକାର ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ କରିବା ପାଇଁ ହସ୍ତକ୍ଷେପ କରନ୍ତୁ। ପୁନଃବିଚାର ପାଇଁ ସୁପ୍ରିମକୋର୍ଟ ଯାଆନ୍ତୁ କିମ୍ବା ଅଧ୍ୟାଦେଶ ଆଣି ରଥଯାତ୍ରା କରାନ୍ତୁ। ଏ ନେଇ ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ସ୍ପଷ୍ଟ କରି ସାରିଛନ୍ତି। ତେଣୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସବୁ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି।

ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେବାୟତ ପ୍ରତିନିଧି ତଳୁଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର କହିଛନ୍ତି ଯେ ସମସ୍ତେ ରଥଯାତ୍ରାର ବିକଳ୍ପ କଥା କହୁଛନ୍ତି। ରଥଯାତ୍ରାର କିନ୍ତୁ କୌଣସି ବିକଳ୍ପ ନାହିଁ। ବିନା ଭକ୍ତରେ କିଭଳି ରଥଯାତ୍ରା ଅନୁଷ୍ଠିତ ହୋଇପାରିବ, ସେ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ। ସରକାର ଚାହିଁଲେ ସ୍ବତନ୍ତ୍ର ଅଧ୍ୟାଦେଶ ଜରିଆରେ ରଥଯାତ୍ରା କରିପାରିବେ। ଅନ୍ୟପଟେ ଆସନ୍ତାକାଲି ଉଭାଯାତ୍ରା ସହ ତିନି ରଥରେ ଆଜ୍ଞାମାଳ ବିଜେ ନୀତି ରହିଛି। ତିନି ରଥରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳା ବିଜେ ସୁନିଶ୍ଚିତ କରାଯିବ। ପରମ୍ପରା ଅନୁଯାୟୀ, ଆଜ୍ଞାମାଳ ବିଜେ ପରେ ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ଟାଣି ନିଆଯାଇଥାଏ। କିନ୍ତୁ ରଥ ଆଜ୍ଞାମାଳ ବିଜେ ପରେ ଯଦି ରଥ ଟଣା ନହୁଏ, ଆମେ ଧରିନେବୁ ଯେ ରଥଯାତ୍ରା ହେବନି। ‌ରଥ ନଗଡ଼ିଲେ ରଥଯାତ୍ରାର ନୀତିକାନ୍ତି ବନ୍ଦ ହୋଇଗଲା ବୋଲି ଧରିନେବୁ। ବାକି ସବୁ ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି ସେବାୟତ ପ୍ରତିନିଧିମାନେ କହିଛନ୍ତି।

ସମ୍ବନ୍ଧିତ ଖବର