ପୁରୀ : ମହାପ୍ରଭୁଙ୍କ ଆଜ୍ଞା ପାଇ ତିନି ରଥ ଆଜି ସିଂହଦ୍ବାର ସମ୍ମୁଖ ଚକଡ଼ାରେ ବିଜେ କରିଛନ୍ତି। ତିନିବାଡ଼ଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରେ ଥିବା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନଙ୍କୁ ପୁଲିସ ଓ ଭକ୍ତବୃନ୍ଦ ସିଂହଦ୍ବାର ସମ୍ମୁଖକୁ ଟାଣି ଆଣିଛନ୍ତି। ଟିକେ ସ୍ପର୍ଶ ପାଇଁ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ରଥ ତ୍ରୟ।
ବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ବାମନ ରୂପରେ ଦର୍ଶନ ଦ୍ୱାରା ପୁନର୍ଜନ୍ମରୁ ମୁକ୍ତି ମିଳିବ ବୋଲି ଭକ୍ତ ବିଶ୍ୱାସ କରନ୍ତି। ଏଣୁ ମହାପ୍ରଭୁଙ୍କୁ ରଥ ଉପରେ ଟିକିଏ ଅାଖିପୂରାଇ ଦର୍ଶନ କରିବା ଲାଗି ଆଜିଠାରୁ ଲକ୍ଷାଧିକ ଭକ୍ତ ଭି଼ଡ଼ ଜମାଇଲେଣି ପୁରୀରେ।
ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ମା’ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଆଜ୍ଞାମାଳ ବିଜେସେଣେ ମହାପ୍ରଭୁ ସୁସ୍ଥ ହେବା ପରେ ଆଜି ନବଯୌବନ ଦର୍ଶନ ଦେଇଛନ୍ତି। ହେଲେ ମନ ପୂରିନି। ବଡଦାଣ୍ଡକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅତ୍ୟନ୍ତ ବ୍ୟାକୁଳ ଠାକୁରେ। କେତେବେଳେ ସେନାପଟା ଲାଗି ସରିବ? କେତେବେଳେ ମୁଦିରସ୍ତ, ପତିମହାପାତ୍ର ଓ ବଡ଼ପଣ୍ଡା ମଙ୍ଗଳାର୍ପଣ କରିବେ? କେତେବେଳେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ? କେତେବେଳେ ଘଣ୍ଟୁଆ ଘଣ୍ଟନାଦ କରିବ? କେତେବେଳେ ବାଜିବ ବିଜେ କାହାଳି? ଅପେକ୍ଷା କରିଛନ୍ତି ମହାପ୍ରଭୁ।
ଆଇନଶୃଙ୍ଖଳା ଦାୟିତ୍ବରେ ୧୮୭ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀ
/sambad/media/post_attachments/wp-content/uploads/2023/06/p-24-750x430.jpg)
ମଙ୍ଗଳବାର ଆଷାଢ଼ ଶୁକ୍ଲ ପକ୍ଷ ଦ୍ୱିତୀୟା ତିିଥି ଅର୍ଥାତ୍ ରାତି ପାହିଲେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ବା ଦୁର୍ଲଭ ମିଳନ ଘଟିବ। ଏଥିସହିତ ଆରମ୍ଭ ହେବ, ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ ଭଗବାନ ଶ୍ରୀଜଗନ୍ନାଥଙ୍କର ବିଶ୍ବବିଶ୍ରୁତ ଘୋଷଯାତ୍ରାରେ ବାହାରିବେ। ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ରିପୋର୍ଟ ଲେଖା ହେବା ବେଳକୁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇଉଠିଲାଣି ପୂଣ୍ୟଭୂମି ଶ୍ରୀକ୍ଷେତ୍ର।
ସକାଳୁ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିବାପରେ ସାଢ଼େ ୯ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।
୧୮୭ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।
/sambad/media/post_attachments/wp-content/uploads/2023/06/p-15-716x430.jpg)
ଶ୍ରୀମନ୍ଦିର ପ୍ରଶାସନର ଚୂଡ଼ାନ୍ତ ନୀତି ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ୬ଟା ୧୦ରେ ମଇଲମ, ସାଢ଼େ ୬ଟାରେ ତଡ଼ପଲାଗି ଓ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୮ଟାରୁ ୯ଟା ଖେଚୁଡ଼ି ଭୋଗ ହେବ। ପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ଖୁଣ୍ଟିଆ ‘ମଣିମା’ ଡାକ ଦେବା ସହିତ ଅାରମ୍ଭ ହେବ ଚତୁର୍ଧାବିଗ୍ରହଙ୍କ ପହଣ୍ଡି। ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ।
ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ। ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ସାଢ଼େ ୨ଟାରୁ ଛେରାପହଁରା ଆରମ୍ଭ ହେବ। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହେବ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ। ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/p-30.jpg)