ଆଜି ଘୋଷଯାତ୍ରା

ସିଂହଦ୍ବାର ଚକଡ଼ାରେ ତିନି ରଥ, ସାଢ଼େ ୮ଟାରୁ ପହଣ୍ଡି, ୩ଟାରେ ରଥଟଣା

ତିନି ରଥରେ ଆଜ୍ଞାମାଳ ବିଜେ
ଲାଗୁ ହେଲା ୪୮ ଘଣ୍ଟିଆ କର୍ଫ୍ୟୁ

ପୁରୀ : ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ବର୍ଷକର ପ୍ରତୀକ୍ଷାର ଅନ୍ତ ଘଟାଇ ପତିତଜନଙ୍କ ଉଦ୍ଧାର ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାପ୍ରଭୁ। ରତ୍ନବେଦି ଛାଡ଼ି ଜନ୍ମବେଦିରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। କୋଟି ବ୍ରହ୍ମାଣ୍ଡନାଥ କାଳିଆ ସାଆନ୍ତ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯିବେ। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ରଥରେ ବିଜେ ହେବା ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ହୋଇ ସିଂହଦ୍ବାରସ୍ଥିତ ଚକଡ଼ାରେ ବିଜେ କରାଯିବା ସହ ଉତ୍ତରମୁହାଁ ହୋଇ ପ୍ରସ୍ତୁତ ରହିଛନ୍ତି। ସେହିପରି ଆଜି ଦଇତାପତି ସେବକମାନେ ପହଣ୍ଡି ପାଇଁ ମହାପ୍ରଭୁଙ୍କୁ ସେନାପଟା ଲାଗି କରିଛନ୍ତି। ସେପଟେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ସାଢ଼େ ୮ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ସାଢ଼େ ୧୧ଟା ଭିତରେ ପହଣ୍ଡି ଶେଷ କରି ଅନ୍ୟାନ୍ୟ ନୀତି ପରେ ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହେବ। ଯଦି ସଅଳ ନୀତିକାନ୍ତି ଶେଷ ହୁଏ, ତେବେ ଅପରାହ୍ଣ ୩ଟା ପୂର୍ବରୁ ବି ରଥ ଟାଣିବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରଥ ଆଜ୍ଞାମାଳ ବିଜେ ପାଇଁ ରବିବାର ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା। ଗତକାଲିଠାରୁ ଆରମ୍ଭ ହୋଇଥିବା ବନକଲାଗି ରାତି ୩ଟା ସୁଦ୍ଧା ଶେଷ ହୋଇଥିଲା। ପରେ ଆଜି ଭୋର ୫ଟାରେ ମଙ୍ଗଳ ଆଳତି, ୫ଟା ୨୦ରେ ମଇଲମ ଓ ତଡ଼ପଲାଗି, ସାଢ଼େ ୫ଟାରେ ଅବକାଶ, ୬ଟା ୪୦ରେ ସୂର୍ଯ୍ୟପୂଜା, ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ପରେ ସାଢ଼େ ୯ଟାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରୁ ତିନି ବାଡ଼ରୁ ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ତିନି ରଥରେ ବିଜେ କରାଇଥିଲେ। ପରେ ପୂର୍ତ୍ତ ବିଭାଗ ତିନି ରଥର ମାନ ଯାଞ୍ଚ କରିଥିଲା। ରଥ ଯାଞ୍ଚ କରି ପ୍ରମାଣପତ୍ର ଦେବା ପରେ ପୂର୍ବାହ୍ଣ ୧୦ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ନନ୍ଦିଘୋଷ ରଥ, ପରେ ଦେବଦଳନ ଓ ଶେଷରେ ତାଳଧ୍ବଜ ରଥ ଟଣାଯାଇଥିଲା। ମଧ୍ୟାହ୍ନ ୧୨ଟା ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲେ। ରଥ ନିର୍ମାଣରେ ନିୟୋଜିତ ସେବକ, ପୁଲିସ ବଳଙ୍କ ସହଯୋଗରେ ତିନି ରଥକୁ ସିଂହଦ୍ବାର ଚକଡ଼ାରେ ବିଜେ କରାଯାଇଥିଲା।

ଭୋର୍‌ ସାଢ଼େ ୪ଟା: ମଙ୍ଗଳ ଆଳତି
ସକାଳ ୫ଟା: ମଇଲମ, ତଡ଼ପଲାଗି, ରୋଷହୋମ
ସାଢ଼େ ୫ଟା: ଅବକାଶ
୫ଟା ୪୦: ସୂର୍ଯ୍ୟପୂଜା
୬ଟା: ଦ୍ବାରପାଳ ପୂଜା
ସାଢ଼େ ୬ଟା: ଗୋପାଳ ବଲ୍ଲଭ ଓ ସକାଳ ଧୂପ
୮ଟା: ରଥ ପ୍ରତିଷ୍ଠା
୮ଟା ୧୫: ମଙ୍ଗଳାର୍ପଣ
ସାଢ଼େ ୮ଟା: ପହଣ୍ଡି ଆରମ୍ଭ
୧୨ଟା ୪୫ରୁ ଅପରାହ୍ଣ ୨ଟା: ଛେରା ପହଁରା ନୀତି
ଅପରାହ୍ଣ ୨ଟାରୁ ୩ଟା: ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି
ଅପରାହ୍ନ ୩ଟା: ରଥଟଣା

ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ କେବଳ ସେବାୟତ ରଥ ଟାଣିବେ। ପୁଲିସ ରଥକୁ କର୍ଡନ୍‌ କରିନେବେ। ଏଥିପାଇଁ ସଅଳ ନୀତିକାନ୍ତି ସାରି ରଥଟାଣିବାକୁ ଲକ୍ଷ୍ୟ ରଖାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ସକାଳ ୫ଟାରେ ମଇଲମ, ତଡ଼ପଲାଗି, ରୋଷହୋମ ନୀତି ସମ୍ପନ୍ନ ହେବ। ସକାଳ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ବାରପାଳ ପୂଜା ହୋଇ ବେଶ‌ ଶେଷ ହେବ। ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ପରେ ସକାଳ ୮ଟାରେ ରଥ ପ୍ରତିଷ୍ଠା ହେବ। ୮ଟା ୧୫ରେ ମଙ୍ଗଳାର୍ପଣ ହୋଇ ସାଢ଼େ ୮ଟା‌ରେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ରଥରେ ବିଜେ କରିବେ। ସାଢ଼େ ୧୧ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ଭିତରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ରଥକୁ ବିଜେ କରିବେ। ସାଢ଼େ ୧୨ଟାରୁ ଅପରାହ୍ଣ ଗୋଟାଏ ଭିତରେ ଚିତା ଲାଗି ନୀତି ସହ ସାଢ଼େ ୧୨ଟାରେ ବେଶ ଶେଷ ପରେ ୧୨ଟା ୪୫ରୁ ଅପରାହ୍ଣ ୨ଟା ଭିତରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ହେବ। ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହେବ। ସେହିପରି ରଥଯାତ୍ରା ସମୟରେ ପୁଲିସ ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜି ଅଭୟ। ଡିଜି ଅଭୟ ଆଜି ପୁରୀ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ରଥଯାତ୍ରା ଶୃଙ୍ଖଳାର ସହ ଯେପରି ସମ୍ପନ୍ନ ହୁଏ, ସେଥି ପାଇଁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ରଥଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ ବଡ଼ାଦାଣ୍ଡ ସହ ସହରର ସମସ୍ତ ପ୍ରବେଶ ପଥକୁ ରବିବାରଠାରୁ ସମ୍ପୂର୍ଣ୍ଣ ସିଲ୍‌ କରି ଦିଆଯାଇଛି। ସେହିପରି ପୂର୍ବ ଘୋଷଣା ଅନୁଯାୟୀ, ରବିବାର ରାତି ୮ଟାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ଜାରି ହେବା ପରେ ସହରରେ ସାଇରନ୍‌ ମାରି ପୁଲିସ ଗାଡ଼ି ପଇଁତରା ମାରିଛି। ବଡ଼ଦାଣ୍ଡରେ ଥିବା ହେଟୋଲ, ଲଜିଂକୁ ପୁଲିସ ଯାଞ୍ଚ କରିଛି। ସେହିପରି ୬୫ ପ୍ଲାଟୁନ୍‌ ଫୋର୍ସ ସହ ୩ଶହରୁ ଅଧିକ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର