ପୁରୀ : ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଆଜି ରଥକାଠ ଅନୁକୂଳ ହୋଇଛି। ପରମ୍ପରା ମୁତାବକ, ରାଜନଅରର ସ୍ତୋତ୍ରୀୟ ବ୍ରାହ୍ମଣମାନେ ରଥଖଳାରେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିଥିଲେ। ବ୍ରାହ୍ମଣମାନେ ବାଗ୍ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରି ଚଳିତ ବର୍ଷର ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହେବ ସେ ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଶ୍ରୀମନ୍ଦିର କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ତିନି ରଥ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୧୯୫ ଖଣ୍ଡ କାଠ ବଳକା ରହିଛି। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆଉ ୬୭୦ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ନୟାଗଡ଼ ବନଖଣ୍ଡରୁ କାଠକଟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକରେ ୫୭ ଖଣ୍ଡ କାଠ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିସାରିଛି।
ରଥକାଠ ଅନୁକୂଳ
/sambad/media/post_attachments/wp-content/uploads/2019/02/DSC_0270_filtered.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)