ପୁରୀ: ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନିଟି କାଠକୁ ବିଧିବିଧାନ ମୁତାବକ ପୂଜା କରାଯାଇଛି। ରାଜନଅର ପକ୍ଷରୁ ଗଜପତିଙ୍କ ପ୍ରତିନିଧି ଭାବେ ଦେବୀପ୍ରସାଦ ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ସହ ପଞ୍ଚାମୃତ, ଚନ୍ଦନ, ସିନ୍ଦୂର, ଫୁଲ, ଶ୍ରୀଫଳ ଓ ମହାପ୍ରସାଦ ଅର୍ପଣ କରାଯାଇଥିଲା। ରଥ ନିର୍ମାଣ ସୃଜନୀ କାର୍ଯ୍ୟ ହୋଇଥିବାରୁ ମା’ ବାଗ୍ଦେବୀଙ୍କୁ ଆବାହନ କରାଯାଇଥିଲା। ପୂଜାସ୍ଥଳରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନୀତ୍ ଅଗ୍ରୱାଲ୍ ଓ ଅନ୍ୟ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ରଥଯାତ୍ରା ନିର୍ବିଘ୍ନରେ ସମ୍ପନ୍ନ ହେବା ନେଇ ପ୍ରଶାସକ, ସେବାୟତମାନେ ପ୍ରାର୍ଥନା କରିଥିଲେ।
ରଥସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି, ୩ ଖଣ୍ଡ ଶିମିଳି କାଠ, ଏପରି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ। ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ସୂଚନା ଅନୁସାରେ, ଗତବର୍ଷ ୫୧ ଖଣ୍ଡ କାଠ ବଳି ପଡ଼ିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୪ ଖଣ୍ଡ ରଥ କାଠ ମଗାଯାଇଥିଲା। ଏହା ଭିତରେ ପ୍ରଥମ ପର୍ଯ୍ୟାୟରେ ୧୦୧ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସି ସାରିଛି। ପର୍ଯ୍ୟାୟକ୍ରମେ ବାକି କାଠ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଏବଂ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/03/E0DRSWiEeM2J8jfiR1hy.jpg)