ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୨୭ ଦିନରେ ପହଞ୍ଚିଥିବାବେଳେ ଆଜି ସୁଦ୍ଧା ତିନି ରଥର ୪୨ ଚକରୁ ୩୯ ଚଳ ନିର୍ମାଣ ସରିଥିବାବେଳେ ବାକି ତିନି ଚକର ନିର୍ମାଣ ଜାରି ରହିଛି। ତିନିରଥର ଚାରିନାହାକା ନିର୍ମାଣ ଶେଷ ହେବା ପରେ ତିନିରଥର ‘ଚଉଦ ନାହାକା’ ନିର୍ମାଣ ଶେଷ ହୋଇଛି। ତିନି ରଥର ଦଣ୍ଡା, ଅଖ ନିର୍ମାଣ ଜାରି ରହିଛି। ତିନି ରଥ ଉପରେ ନଜର ପକାଇଲେ, ତାଳଧ୍ଵଜ ରଥର ୧୩ ଗୋଟି ଚକ ନିର୍ମାଣ ଶେଷ ପରେ ଶେଷ ଚକ ବଳା ବସି ପନ୍ଦାରି ଗାଡ଼ ଖୋଦେଇ ଶେଷ ହୋଇଛି। ଚାରି ନାହାକା, ଚଉଦ ନାହାକା ଶେଷ ପରେ ତିନି ଭୂଇଁ ନିର୍ମାଣ ପାଇଁ ଚଉତା ସରିଥିବା ୧୨ଟି ଭୂଇଁରୁ ୧୦ଟିର ବିନ୍ଧ ଓ ଆଡ଼ି ବିନ୍ଧ ଶେଷ ହୋଇଛି। ପୋଲ ଗୟଳ ଚିରଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଦୁଇଟି ପଡ଼ି ନାହାକା ଅଖ ଓ ଦୁଇଟି ବ୍ରେକ୍ ଅଖ ନିର୍ମାଣ ନିର୍ମାଣ ଜାରି ରହିଛି।
ବାକି ଅଖ ନିର୍ମାଣ ଜାରି ରହିଛି। ଦେବଦଳନ ରଥର ୧୧ଟି ଚକ ସରିଥିବାବେଳେ ଶେଷ ଚକରେ ବଳା ଓ ପନ୍ଦାରି ବସି ପନ୍ଦାରି ଗାଡ଼ ଜାରି ରହିଛି। ଚାରି ନାହାକା ଓ ଚଉଦ ନାହାକା ନିର୍ମାଣ ଶେଷ ହୋଇଛି। ଭୂଇଁ ଚଉତା, ଓରାରେ ବିନ୍ଧ ଓ ଆଡ଼ି ବିନ୍ଧ ଶେଷ ହୋଇଛି। ଅନ୍ୟ ଅଖ ସହ ବ୍ରେକ୍ ଅଖ ନିର୍ମାଣ ଜାରି ରହିଛି। ନନ୍ଦିଘୋଷ ରଥର ୧୫ଟି ଚକ ସରିଥିବାବେଳେ ଶେଷ ଚକର ପନ୍ଦାରି ଗାଡ଼ ଖୋଦେଇ ଶେଷ ହୋଇଛି। ଚାରି ନାହାକା ଓ ଚଉଦ ନାହାକା ନିର୍ମାଣ ସରିଥିବାବେଳେ ଭୂଇଁ ଚଉତା ଓ ଓରାରେ ବିନ୍ଧ ଓ ଆଡ଼ି ବିନ୍ଧ ଶେଷ ହୋଇଛି। ବାକି ଅଖ ନିର୍ମାଣ ଜାରି ରହିଛି। ରୂପକାର ସେବକମାନେ ସାଲଗୁଜରେ ସିଂହ ବିରାଳ ରୂପ ଖୋଦେଇ ପରେ ପଲିସ୍ କାମ ଜାରି ରଖିଛନ୍ତି। ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରହିଛି। ଦୋଳବେଦି କମାରଶାଳରେ ଘଡ଼ିମୁହଁ ଦଣ୍ଡା କଣ୍ଟା, ଦଣ୍ଡା ବିଡିଆ କଣ୍ଟା, ଧ୍ବଜା ବତା କଣ୍ଟା ନିର୍ମାଣ ଜାରି ରହିଛି।